ନୂଆଦିଲ୍ଲୀ, ୧୦।୧୧: ଆମେରିକାର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଲକହିଡ୍ ମାର୍ଟିନର ବଡ଼ ଘୋଷଣା । ୨୦୨୮ ସୁଦ୍ଧା ମହାକାଶରୁ ଏକ ମିସାଇଲ-ନିକ୍ଷେପକାରୀ ଅସ୍ତ୍ରର ହେବ ଲାଇଭ୍ ଟେଷ୍ଟିଂ । ଏହା 'ଗୋଲ୍ଡେନ୍ ଡୋମ୍ ପ୍ରୋଜେକ୍ଟ'ର ଏକ ଅଂଶ, ଯାହା ଆମେରିକାକୁ ଶକ୍ତିଶାଳୀ ସୁରକ୍ଷା କବଚ ପ୍ରଦାନ କରିବ । ଦୁନିଆର ଯେ କୌଣସି କ୍ଷେପଣାସ୍ତ୍ର ଏହି ମିସାଇଲର ପାଖ ମାଡ଼ିପାରିବନି । କମ୍ପାନୀର ସିଇଓ ଜିମ୍ ଟେକଲେଟ୍ କହିଛନ୍ତି, "ଏହା କୌଣସି ଲ୍ୟାବ୍ ପରୀକ୍ଷଣ ନୁହେଁ, ବରଂ ମହାକାଶରେ ଏହାର ପରୀକ୍ଷଣ ହେବ । ଆମେ ଏକ ଇଣ୍ଟରସେପ୍ଟର ନିର୍ମାଣ କରୁଛୁ ଯାହା କକ୍ଷପଥରେ ଉଡ଼ିବ, କ୍ଷେପଣାସ୍ତ୍ରକୁ ଟ୍ରାକ୍ କରିବ ଏବଂ ଏହାକୁ ସମୂଳେ ନଷ୍ଟ କରିବ । ଏହାର ଅର୍ଥ ହେଉଛି ଏହି ସିଷ୍ଟମକୁ ଯୁଦ୍ଧ ପରିସ୍ଥିତିରେ ପରୀକ୍ଷଣ କରାଯିବ ।"
ଏହି ପ୍ରୋଜେକ୍ଟର ଉଦ୍ଦେଶ୍ୟ କ'ଣ ?
ଆମେରିକା ନିଶ୍ଚିତ କରିବାକୁ ଚାହୁଁଛି ଯେ, ଶତ୍ରୁ ଦେଶର ଯେ କୌଣସି କ୍ଷେପଣାସ୍ତ୍ର ଲଞ୍ଚ ହେବାର ମାତ୍ର କିଛି ସେକେଣ୍ଡ ଭିତରେ ଏହି ମିସାଇଲ ଧ୍ୱଂସ କରାଯାଇପାରିବ । ଶତ୍ରୁର କୌଣସି ମିସାଇଲ ଆମେରିକା ମାଟିରେ ପହଞ୍ଚିପାରିବ ନାହିଁ । ଶତ୍ରୁକୁ ମାତ୍ ଦେବାକୁ ଏହି ନୂତନ ମହାକାଶ-ଭିତ୍ତିକ ପ୍ରତିରକ୍ଷା ପ୍ରଣାଳୀ ବିକଶିତ କରାଯାଉଛି ।
କିପରି କାମ କରିବ ‘ଗୋଲଡେନ୍ ଡମ୍ ସିଷ୍ଟମ୍’ ?
"ଦି ୱାର ଜୋନ୍"ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଲକହିଡ୍ ମାର୍ଟିନ୍ ଭର୍ଜିନିଆରେ ସେଣ୍ଟର ଫର୍ ଇନୋଭେସନ୍ରେ ଏହି ସିଷ୍ଟମ୍ ପାଇଁ ପ୍ରାରମ୍ଭିକ ପ୍ରଯୁକ୍ତିବିଦ୍ୟା ବିକଶିତ କରିଛି । ଏହି ନେଟୱାର୍କ ସ୍ଥଳ, ସମୁଦ୍ର ଏବଂ ମହାକାଶରେ ସୁରକ୍ଷା ପ୍ରଣାଳୀକୁ ସଂଯୋଗ କରିବ । ଏଥିରେ ଅନେକ ପ୍ରମୁଖ ପ୍ରଯୁକ୍ତିବିଦ୍ୟା କମ୍ପାନୀ ଏବଂ ପ୍ରତିରକ୍ଷା ଶିଳ୍ପ ଅଂଶୀଦାରମାନଙ୍କୁ ମଧ୍ୟ ସାମିଲ କରାଯାଇଛି । ଫଳରେ ଆମେରିକାର ପ୍ରଯୁକ୍ତିବିଦ୍ୟା ବିଶ୍ୱର ସର୍ବୋଚ୍ଚ ସ୍ଥାନରେ ରହିବ ।
ଉଡ଼ାଣର ପ୍ରଥମ ପର୍ଯ୍ୟାୟରେ ହିଁ କ୍ଷେପଣାସ୍ତ୍ରକୁ ଧ୍ୱଂସ କରିବାର ପ୍ରସ୍ତୁତି:
ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତରେ, ଯେକୌଣସି ବାଲିଷ୍ଟିକ୍ କିମ୍ବା ହାଇପରସୋନିକ୍ କ୍ଷେପଣାସ୍ତ୍ରକୁ ଲଞ୍ଚ ହେବାର ପ୍ରଥମ କିଛି ସେକେଣ୍ଡରେ, "ବୁଷ୍ଟ ପର୍ଯ୍ୟାୟ"ରେ ହିଁ ଖସାଇ ଦିଆଯାଇପାରିବ । କାରଣ ଏହା ସେତେବେଳେ ସବୁଠାରୁ ଦୁର୍ବଳ ହୋଇଥାଏ । ତେଣୁ ଗୋଲଡେନ୍ ଡୋମ୍ ସିଷ୍ଟମ୍ ଏହା ଉପରେ ବିଶେଷ ଧ୍ୟାନ ଦେଉଛି, ଯାହା ଫଳରେ ଶତ୍ରୁ ଆକ୍ରମଣ କରିବା ପୂର୍ବରୁ ଏହାକୁ ନଷ୍ଟ କରାଯାଇପାରିବ । ଏହି ସିଷ୍ଟମ କେବଳ ଲଞ୍ଚ ସମୟରେ ନୁହେଁ ବରଂ ଏହାର ମିଡ୍ କୋର୍ସ ଫେଜ୍, ଅର୍ଥାତ୍ ଯେତେବେଳେ ଏହା ମହାକାଶରେ ଥାଏ ସେତେବେଳେ ମଧ୍ୟ କ୍ଷେପଣାସ୍ତ୍ରଗୁଡ଼ିକୁ ଟ୍ରାକିଂ କରିବା ସହ ନଷ୍ଟ କରିପାରିବ । ଏହା ଆଇସିବିଏମ୍ (ଇଣ୍ଟରକଣ୍ଟିନେଣ୍ଟାଲ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର) ଭଳି ଦୂରଗାମୀ କ୍ଷେପଣାସ୍ତ୍ରକୁ ମଧ୍ୟ ଆମେରିକା ପହଞ୍ଚିବାରୁ ରୋକିବ ।
କାହିଁକି ସ୍ୱତନ୍ତ୍ର ଏହି ମିଶନ ?
ପ୍ରତିରକ୍ଷା ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ଲକହିଡ୍ ମାର୍ଟିନଙ୍କର ଏହି ପ୍ରୋଜେକ୍ଟ ସଫଳ ହୁଏ, ତେବେ ଏହା S-400 କିମ୍ବା ଆଇରନ୍ ଡୋମ୍ ଭଳି ଅନ୍ୟାନ୍ୟ କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଯୁକ୍ତିବିଦ୍ୟାକୁ ପଛରେ ପକାଇବ । ଆମେରିକା ଏକ ମହାକାଶ ପ୍ରତିରକ୍ଷା ନେଟୱାର୍କ ସୃଷ୍ଟି କରିବ, ଯାହା ଏହାର ଆରମ୍ଭରେ ଯେକୌଣସି ଆକ୍ରମଣକୁ ପ୍ରତିହତ କରିପାରିବ ।
ଏବେ ନୂଆ ଯୁଦ୍ଧକ୍ଷେତ୍ର ପାଲଟିଛି ମହାକାଶ:
ଯଦିଓ ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ପେଣ୍ଟାଗନ ଏହି ପ୍ରୋଜେକ୍ଟକୁ ନେଇ କିଛି ସ୍ପଷ୍ଟ କରିନାହିଁ, ବିଶେଷଜ୍ଞମାନେ କହିଛନ୍ତି 'ଏହା ଭବିଷ୍ୟତରେ ଆମେରିକୀୟ ମହାକାଶ ବାହିନୀର ଏକ ପ୍ରମୁଖ ଅଂଶ ହେବ । ଏବେ ଏହା ସ୍ପଷ୍ଟ ଯେ ଭବିଷ୍ୟତର ଯୁଦ୍ଧ କେବଳ ସ୍ଥଳଭାଗରେ ନୁହେଁ, ବରଂ ମହାକାଶରେ ବି ହେବ ।'