ଭୁବନେଶ୍ବର,୨୭/୦୧: ଖଣ୍ଡଗିରି ରାଜରାସ୍ତା ଉପରେ ଘାଇଁ ଘାଇଁ ହେଇ ବୁଲୁଛି ପ୍ରଚାର ଗାଡ଼ି। ଆଜିଠୁ ଖଣ୍ଡଗିରିରେ କମ୍ପିବ ଯାତ୍ରା ପେଣ୍ଡାଲ। ୪ ପାର୍ଟି ମଞ୍ଚସ୍ଥ କରିବେ ଏବର୍ଷର ପ୍ରମୁଖ ସୁପର ହିଟ ନାଟକ ସବୁ। ଦୈତାରି ପଣ୍ଡା, ପୀୟୂଷ ତ୍ରିପାଠୀ, ସାଇ, ମୁନୁ ପଣ୍ଡାଙ୍କ ଭଳି ଭଳି ଚର୍ଚ୍ଚିତ ଚେହେରା ଓହ୍ଲାଇବେ ମଞ୍ଚକୁ। ଏଭଳି ଯାତ୍ରା କଳାକାର ଙ୍କ ଜୀବନ୍ତ ଅଭିନୟ ଦେଖିବାକୁ ସକାଳୁ ଟିକେଟ ବିକ୍ରି ସରିଛି। ଆଜି ପ୍ରଥମ ରାତିରେ ନାଟକ ଦେଖିବା ପାଇଁ ସକାଳୁ ସକାଳୁ ଟିକେଟ କାଟିଛନ୍ତି ଯାତ୍ରା ପ୍ରେମୀ।

ସକାଳୁ ଯାତ୍ରା ସିଂହବାହିନୀର 'ତୁ ମୋ ବଜରଙ୍ଗୀ' ଓ କୋଣାର୍କ ଗଣନାଟ୍ୟର 'ତୁ ବୋଧେ ମୋ ଭାଗ୍ୟରେ ନାହୁଁ' ନାଟକ ଦେଖିବା ପାଇଁ କାଉଣ୍ଟରରେ ପ୍ରବଳ ଭିଡ଼ ଯୋଗୁଁ ଲମ୍ବା ଲାଇନ୍ ଲାଗିଥିଲା। ବିଶେଷକରି ପିୟୂଷ ତ୍ରିପାଠୀଙ୍କ ଅଭିନୟ ଦେଖିବାକୁ ଭିଡ଼ ଲାଗିଛି। ଆଜିଠୁ ଖଣ୍ଡଗିରି ଯାତ୍ରା ଆରମ୍ଭ ହେଉଥିବାରୁ ସିଂହବାହିନୀ ଟିକେଟ କାଉଣ୍ଟରରେ ପୀୟୂଷଙ୍କ ଫ୍ୟାନ ମାନେ ଟିକେଟ କିଣିଛନ୍ତି। ସେପଟେ ଯାତ୍ରା ପ୍ରେମୀଙ୍କୁ ଆକର୍ଷିତ କରିବା ପାଇଁ ପୀୟୂଷଙ୍କ ବଡ଼ ବଡ଼ ପୋଷ୍ଟର ଲଗାଇଛି ଯାତ୍ରା ସିଂହବାହିନୀ। ନାଟ୍ୟକାର ଡ ଦୀପକ ଜେନା ଙ୍କ ରଚିତ ଦୁଇ ନାଟକ ତୁ ମୋ ବଜରଙ୍ଗୀ ଓ ତୁ ବୋଧେ ମୋ ଭାଗ୍ୟରେ ନାହୁଁ ନାଟକ ଏ ବର୍ଷ ର ସୁପରହିଟ ନାଟକ ସାବ୍ୟସ୍ତ ହୋଇ ସାରିଥିବା ବେଳେ ଖଣ୍ଡଗିରି ଇନ୍ଦିରା ସାଂସ୍କୃତିକ ଯୁବ ସମିତି ଓ ସନାତନ ସେବା ସମିତି ପକ୍ଷରୁ ଏହି ଦୁଇଟି ନାଟକ ମଞ୍ଚସ୍ଥ କରାଯିବ ବୋଲି ପୋଷ୍ଟର ଲଗାଯାଇଛି। ଟିକେଟ ଦର ପୂର୍ବ ବର୍ଷ ଭଳି ୨ ଶହ, ଅଢେଇ ଶହ ଓ ୩ ଶହ ଟଙ୍କା ରଖାଯାଇଛି।

ସେହିଭଳି ହରେକୃଷ୍ଣ ମହତାବ କମିଟି ପେଣ୍ଡାଲ ରେ ଯାତ୍ରା ଅଶୋକ ସମ୍ରାଟର ପ୍ରଦୀପ ବେହେରାଙ୍କ ରଚନା ଓ ନିର୍ଦ୍ଦେଶନାରେ 'ଅଧା ରହିଗଲା ଆମ କାହାଣୀ' ମଞ୍ଚସ୍ଥ ହେବ। ଅନ୍ୟପଟେ ଜାଗମରା ମେଲଣ ପଡ଼ିଆରେ ଅନନ୍ତକେଶରୀଦେବ କମିଟି ଦ୍ଵାରା ଯାତ୍ରା ରାଜ ଦରବାର ମଧ୍ୟ ସୁପରହିଟ ନାଟକ ପରିବେଷଣ କରିବ। ତେବେ ପ୍ରଶାସନ ପକ୍ଷରୁ ୨ ହଜାର ଚେୟାର ପକାଇବା ପାଇଁ କଟକଣା ଜାରି କରାଯାଇଛି। ଅଗ୍ନିଶମ ବିଭାଗ ପକ୍ଷରୁ ଯାତ୍ରା ଦର୍ଶକଙ୍କ ସୁରକ୍ଷା କୁ ନେଇ ସକାଳେ ଫାୟାର ମକ ଡ୍ରିଲ କରାଯାଇଛି। ସନାତନ ସେବା ସମିତି ସାମ୍ନାରେ ଏହି ମକ୍ ଡ୍ରିଲ୍ କରାଯାଇଥିଲା । ସବୁ କମିଟି ର ସଦସ୍ୟ ମାନଙ୍କୁ ନିଆଁ ଲିଭାଇବା ପାଇଁ କିଭଳି ଫାୟାର ଏକ୍ସଟ୍ୟୁନଗ୍ୟୁଷର୍ ବ୍ୟବହାର କରିବେ ସେନେଇ ଅଗ୍ନୀଶମ ବିଭାଗ ପକ୍ଷରୁ ଟ୍ରେନିଂ ଦିଆଯାଇଛି। ପ୍ରତ୍ୟେକ ପେଣ୍ଡାଲ ରେ ଜଣେ ଅଗ୍ନିକ ଉପସ୍ଥିତ ରହିବେ। ସବୁ ମଣ୍ଡପ କୁ ନିୟନ୍ତ୍ରଣ କରିବା ପାଇଁ ଗୋଟିଏ କଣ୍ଟ୍ରୋଲ ରୁମ୍ ବି ରହିଛି। ସବୁ ପରେ ଯାତ୍ରାରେ ଯେପରି ଅଶ୍ଳୀଳତା ପ୍ରଦର୍ଶନ ନହୁଏ, ସେଥିପ୍ରତି ବିଏମସି କଡ଼ା ନଜର ରଖିଚି । ଏସ ଓ ପି ଉଲଂଘନ କଲେ NOC କ୍ୟାନସେଲ କରିବ ବିଏମସି ବୋଲି ପୂର୍ବରୁ ସବୁ କମିଟି କୁ ନିର୍ଦ୍ଦେଶ ଦେଇଛି।