ଭୋଗରାଇ ୦୧।୬: ଘରେ କେହି ନଥିବାର ସୁଯୋଗ ନେଇ ଅଳଙ୍କାର ସହିତ ନଗଦ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଦୁର୍ବୃତ୍ତ ମାନେ ଘରର ମୁଖ୍ୟ ଫାଟକ,ଦାଣ୍ଡ ଦୁଆରର ଲୁହା ଗ୍ରୀଲ୍ ଓ ଘର ଭିତର କବାଟର ତାଲା ଭାଙ୍ଗି ଭିତରେ ପଶିବା ସହିତ ଆଲମାରୀ ଖୋଲି ସେଥିରୁ ପାଖାପାଖି ୨ ଭରି ଓଜନର ସୁନା ଅଳଙ୍କାର ଓ ନଗଦ ୩୦ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଥିବା ସମ୍ପୃକ୍ତ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର କୁଅଁର ସରିସା ଗାଁରେ ।
ସୂଚନା ମୁତାବକ, କୁଅଁରସରିସା ଗାଁର ସ୍ବର୍ଗତ ଦୟାନିଧି ଭଞ୍ଜଙ୍କ ବଡପୁଅ ସୁଶାନ୍ତ ଭଞ୍ଜ ଆଜକୁ ପ୍ରାୟ ୨୦ ଦିନ ହେଲା ଘରେ ତାଲା ପକାଇ ନିଜ ପରିବାର ସହିତ ପୁଅ ପାଖକୁ ଯାଇଛନ୍ତି। ଆଜି ସକାଳ ପ୍ରାୟ ୭ଟା ସମୟରେ ଗାଁର ଚନ୍ଦନ ପରିଡ଼ା ନାମକ ଜଣେ ପିଲା ସୁଶାନ୍ତଙ୍କ ଘରର ମୁଖ୍ୟ ଫାଟକ ଖୋଲାଥିବା ଦେଖି ସାନଭାଇ ଅକ୍ଷୟ ଭଞ୍ଜଙ୍କୁ ଖବର ଦେଇଥିଲେ । ଅକ୍ଷୟ ଭାଇଙ୍କ ଘରକୁ ଯାଇ ଦେଖିଲା ବେଳକୁ, ତାଙ୍କ ଘରର ମୁଖ୍ୟ ଫାଟକ, ଦାଣ୍ଡ ଦୁଆରର ଲୁହାଗ୍ରୀଲ୍ ଓ ଘର ଭିତର କବାଟର ତାଲା ଭଙ୍ଗାଯାଇ ତଳେ ପଡ଼ିଥିଲା। ଏଥିସହିତ ଘର ଭିତରେ ଥିବା ଆଲମାରୀ ଖୋଲା ପଡ଼ିବା ସହିତ ଜିନିଷପତ୍ର ବୁଣାବୁଣି ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା ।
ଏହା ଦେଖି ଅକ୍ଷୟ ସଙ୍ଗେ ସଙ୍ଗେ ନିଜ ଭାଇ ସୁଶାନ୍ତଙ୍କୁ ଘଟଣା ସମ୍ପର୍କରେ ଜଣାଇବା ସହ ଘର ଭିତରୁ ପାଖାପାଖି ୨ଭରି ଓଜନର ସୁନା ଅଳଙ୍କାର ଓ ନଗଦ ୩୦ ହଜାର ଟଙ୍କା ଚୋରି ହୋଇଥିବା ଜାଣିବାକୁ ପାଇଥିଲେ । ଏହାପରେ ବଡ଼ଭାଇ ସୁଶାନ୍ତଙ୍କ ପରାମର୍ଶ କ୍ରମେ ଅକ୍ଷୟ ଭୋଗରାଇ ଥାନାରେ ପହଞ୍ଚି ଏକ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ଭୋଗରାଇ ଥାନା ପକ୍ଷରୁ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିବା ବେଳେ ଅଧିକ ତଦନ୍ତ ପାଇଁ ଆସନ୍ତାକାଲି ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ଅଣାଯିବାର କାର୍ଯ୍ୟକ୍ରମ ରହିଛି ବୋଲି ଭୋଗରାଇ ଥାନାଧିକାରୀ ଶ୍ରୀବଲ୍ଲଭ ସାହୁ କହିଛନ୍ତି । ଅପରପକ୍ଷରେ ଭୋଗରାଇ ବ୍ଲକ ଅଞ୍ଚଳରେ ଏଭଳି ଘଟଣା ଦିନକୁଦିନ ବଢ଼ିବଢ଼ି ଚାଲିଥିବାରୁ ପୁଲିସ୍ ପାଇଁ ଏହା ମୁଣ୍ଡବ୍ୟଥାର କାରଣ ସାଜିଛି ।