ବାଙ୍କୀ,୦୩/୦୨: ବୈଦେଶ୍ୱର ଥାନା ଅଞ୍ଚଳରେ ପୁଣି ମାରିଛନ୍ତି ଚୋର । ପୂର୍ବରୁ ଏହି ଅଞ୍ଚଳରୁ ସିରିଜ ଚୋରି ହେଇଥିବା ବେଳେ ଏବେ ପୁଇଁଚା ଗ୍ରାମରେ ପୁଣି ଚୋରି ହୋଇଛି । ଶନିବାର ବିଳମ୍ବିତ ରାତିରେ ପୁଇଁଚା ଗ୍ରାମରେ ଜାଗର ଯାତ୍ରାର ସୁଯୋଗ ନେଇ ୫ଟି ଘରେ କଳା କନା ବୁଲାଇଛନ୍ତି ଚୋର ଗ୍ୟାଙ୍ଗ । ଘରର ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର ଲୁଟି ନେଇଛନ୍ତି ଚୋର । କଟକ ଜିଲ୍ଲାର ବାଙ୍କୀ ଅଞ୍ଚଳରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ପୁଇଁଚା ଗ୍ରାମରେ ଜାଗର ଯାତ୍ରା ସହ ଗ୍ରାମର ଯୁବକ ମାନଙ୍କ ଦ୍ଵାରା ନାଟକ ପରିବେଷଣ ହେଉଥିଲା। ଗ୍ରାମର ମନ୍ଦିର ପଡିଆରେ ଜାଗର ଯାତ୍ରା ଚାଲିଥିବା ବେଳେ ସମସ୍ତେ ଘରର ତାଲା ପକାଇ ଯାତ୍ରା ଦେଖୁଥିବା ବେଳେ ଗାଁରେ ପଶିଥିଲେ ଚୋର ଗ୍ୟାଙ୍ଗ। ରାତି ପ୍ରାୟ ସାଢେ ୧୨ ଟାରୁ ସାଢ଼େ ଗୋଟେ ମଧ୍ୟରେ ଚୋର ଗ୍ୟାଙ୍ଗ ପଶି ଗୋଟିଏ ପରେ ଗୋଟିଏ ଘରେ ବୁଲାଇଛନ୍ତି କଳାକନା । ପାଞ୍ଚ ଜଣଙ୍କ ଘରୁ ଲୁଟି ନେଇଛନ୍ତି ଅଳଙ୍କାର ସହିତ ନଗଦ ଟଙ୍କା। ଘରକୁ ଆସି ଚୋରି ହୋଇଥିବା ନେଇ ଜାଣିବା ପରେ ରାତିରେ ବୈଦେଶ୍ୱର ପୋଲିସକୁ ଖବର ଦିଆ ଯାଇଥିଲା। ଖବର ପାଇ ବୈଦେଶ୍ଵର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି କିନ୍ତୁ ଚୋରଙ୍କ କୌଣସି ପତ୍ତା ମିଳିନାହିଁ ।