ବଣାଇଁ, ୨୭/୧୦: ସୁନ୍ଦରଗଡ଼ ଜିଲ୍ଲା ବଣାଇଁରେ ପ୍ରଥମ ଥର ବଡ଼ ଧରଣର ଡକାୟତି । ୪ଜଣ ସଶସ୍ତ୍ର ମୁଖାଧାରୀ ଦୁର୍ବୃତ୍ତ ମାଡ଼ ମାରିବା ସହ ଲୁଟିନେଲେ ଏକ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ମୁତାବକ, ବଣାଇଁ ଥାନାରୁ ମାତ୍ର ୫୦୦ ମିଟର ଦୂରରେ ଥିବା ରଶ୍ମି ଇଲେକ୍ଟ୍ରିକାଲ ବ୍ୟବସାୟୀଙ୍କ ଘରେ ମା, ଝିଅ ଓ ଦୋକାନରେ କାମ କୁରୁଥିବା ପିଲା ଶୋଇଥିଲେ । ରାତି ପ୍ରାୟ ୧୨ଟାରେ ହଠାତ୍ ୪ଜଣ ଦୁର୍ବୃତ୍ତ ତଳେ ଶୋଇଥିବା ଚାକରକୁ ପ୍ରବଳ ମାଡ଼ ମାରିବା ସହ ତାକୁ ବାନ୍ଧି ଦେଇଥିଲେ । ତାଙ୍କୁ ବନ୍ଧୁକ ଦେଖାଇ ମାଲିକାଣୀଙ୍କୁ କବାଟ ଖୋଲା କରିବାକୁ ନକହିଲେ ଜୀବନରୁ ମାରିଦେବୁ ବୋଲି ଧମକ ଦେଇଥିଲେ । ଡକାୟତଙ୍କ ପାଖରେ ବନ୍ଧୁକ, ମାଂସ କଟା ଚାପଡ଼ ଓ ସାବଳ ଥିଲା। ଭୟରେ ପେଟ ବଥା ହେଉଛି ଔଷଧ ଦିଅ ବୋଲି ଫୋନ କରି ଦୋକାନରେ କାମ କରୁଥିବା ପିଲା କହିଥିଲେ । ମାଆ ଏବଂ ଝିଅ ଔଷଧ ଆଣି କବାଟ ଖୋଲି ଥିଲେ । ଯାହାର ସୁଯୋଗ ନେଇ ଦୁର୍ବୃତ୍ତ ମାନେ ଘର ଭିତରକୁ ପଶିଥିଲେ । ମାଆ ଝିଅଙ୍କ ହାତ ଗୋଡ଼ ଏବଂ ମୁହଁ ବାନ୍ଧି ଚାବି ମାଗିଥିଲେ । ଚାବି ନଦେଲେ ଝିଅକୁ ଦୁଷ୍କର୍ମ କରି ଭିଡିଓ ଭାଇରାଲ କରିଦେବୁ ବୋଲି ଧମକ ଦେଇଥିଲେ । ଏହା ଶୁଣି ବାଧ୍ୟ ହୋଇ ଚାବି ଦେଇଥିଲେ । ଦୁର୍ବୃତ୍ତମାନେ ଚାବି ନେଇ ୪ ଭରିରୁ ଅଧିକ ସୁନା ଅଳଙ୍କାର ଓ ପ୍ରାୟ ୨୫ ଲକ୍ଷ ଟଙ୍କା ଲୁଟି ନେଇଥିଲେ । ଭୋରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ବଣାଇଁରେ ଏହା ଏକ ବଡ଼ ଧରଣର ଡକାୟତି ଘଟଣା ହୋଇଥିବାରୁ ଲୋକଙ୍କ ମନରେ ଭୟର ବାତାବରଣ ଖେଳି ଯାଇଛି ।