ଖୁଣ୍ଟା,୧୭/୦୯: ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଟିଟିଆ ଗ୍ରାମର ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଲୁଟ୍ ଉଦ୍ୟମ । ମଙ୍ଗଳବାର ରାତି ପ୍ରାୟ ୨ଟା ବେଳେ ୮ ଜଣ ଦୁର୍ବୃତ୍ତ ମାରଣାସ୍ତ୍ର ଧରି ବିଦ୍ୟାଳୟ ଭିତରକୁ ପଶିଥିଲେ । ଦୁଇ କର୍ମଚାରୀଙ୍କୁ ମାରଣାସ୍ତ୍ର ଦେଖାଇ ହାତ, ଗୋଡ଼ ବାନ୍ଧିଥିବା ସିସିଟିଭି ଫୁଟେଜରୁ ଜଣାପଡିଛି । ତେବେ ଏହି ଘଟଣାକୁ ନେଇ ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ ହେବା ପରେ ଖୁଣ୍ଟା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନା ମୁତାବକ, ମଙ୍ଗଳବାର ବିଳମ୍ବିତ ରାତିରେ ୮ ଜଣ ଦୁର୍ବୃତ୍ତ ବିଦ୍ୟାଳୟର ପଛପଟ ଗେଟ୍ ତାଲା ଭାଙ୍ଗି ପଶିବା ପରେ ସିସିଟିଭି ତାର କାଟି ସ୍କୁଲ ଭିତରକୁ ପଶିଥିଲେ । ପରେ ବିଦ୍ୟାଳୟ ପ୍ରବେଶ ଦୁଆର ଭିତର ପାଖରେ ଦୁଇଜଣ ରାତ୍ରି ଜଗୁଆଳି ଶୋଇଥିବା ବେଳେ ଦୁର୍ବୃତ୍ତ ମାନେ ସେମାନଙ୍କୁ ଭୁଜାଲି ଦେଖାଇ ହାତ, ଗୋଡ ଏବଂ ମୁହଁ ବାନ୍ଧି ସ୍କୁଲ ଗେଟ୍ର ତାଲା ମାଗିବା ସହ ସୋଲାର ବ୍ୟାଟେରୀ କେଉଁଠି ଅଛି ବୋଲି ପଚାରିଥିଲେ। ଦୁର୍ବୃତ୍ତମାନେ ବ୍ୟାଟେରୀ ଥିବା ସ୍ଥାନକୁ ଚାଲି ଯାଇଥିବା ବେଳେ ଠିକ୍ ସେହି ସମୟରେ ଜଣେ ୱାଚମ୍ୟାନ୍ କୌଶଳକ୍ରମେ ହାତ ବନ୍ଧା ଅବସ୍ଥାରେ ସ୍କୁଲ କ୍ୟାମ୍ପସ୍ରୁ ବାହାରି ହଷ୍ଟେଲ କ୍ୟାମ୍ପସ୍ରେ ଥିବା ଅନ୍ୟ ମହିଳା ୱାର୍ଡନ୍ଙ୍କୁ ଡ଼ାକିଥିଲେ । ଏହା ପରେ ସେ ବନ୍ଧା ହୋଇଥିବା ହାତ ଖୋଲିଥିଲେ । ପରେ ବିଦ୍ୟାଳୟ ଦାୟିତ୍ୱରେ ଥିବା ଉପାଧ୍ୟକ୍ଷା (vice-principal) ଲକ୍ଷ୍ମୀପ୍ରିୟା ମିଶ୍ରଙ୍କୁ ଫୋନ୍ କରିବା ପରେ ସେ ଟିଟିଆ ଗ୍ରାମର କିଛି ଲୋକଙ୍କୁ ନେଇ ସ୍କୁଲରେ ପହଞ୍ଚିଥିଲେ । ବନ୍ଧା ଅବସ୍ଥାରେ ଥିବା ଅନ୍ୟ ଜଣେ ରାତ୍ରୀ ଜଗୁଆଳିର ହାତ ଗୋଡ ମୁହଁ ଖୋଲିଥିଲେ। ପରେ ଖୁଣ୍ଟା ପୁଲିସକୁ ଖବର ଦେବା ପରେ ସଙ୍ଗେ ସଙ୍ଗେ ଖୁଣ୍ଟା ଥାନା ଆଇଆଇସି ପଞ୍ଚାନନ ମାହାନ୍ତି ସଦଳବଳେ ସ୍କୁଲ ନିକଟରେ ପହଞ୍ଚି ତନାଘନା କରିଥିଲେ। ହେଲେ ସେତେବେଳକୁ ଦୁର୍ବୃତ୍ତମାନେ ବିଦ୍ୟାଳୟରୁ ଚମ୍ପଟ ମାରି ପଳାଇଥିଲେ। ତେବେ ଦୁର୍ବୃତ୍ତମାନେ ବିଦ୍ୟାଳୟରୁ କିଛି ଚୋରିକରି ପାରିନଥିବା ବେଳେ ସେମାନେ ସ୍କୁଲର ତାଲା ଓ ରାତ୍ରି ଜଗୁଆଳିମାନଙ୍କ ବାଇକ ଚାବି ନେଇ ଥିବା ସ୍କୁଲ କର୍ତୃପକ୍ଷଙ୍କ ପାଖରୁ ଜଣାପଡିଛି । ତେବେ ଅଭିଯୋଗକୁ ଭିତ୍ତି କରି ଖୁଣ୍ଟା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।