ପୁରୀ,୨୦/୦୬: ବଡ଼ଦେଉଳରେ ଅନବସର କ୍ରମରେ ଶୁକ୍ରବାର ଚତୁର୍ଦ୍ଧାମୂର୍ତ୍ତିଙ୍କ ଚକା ବିଜେ ନୀତି ଅନୁଷ୍ଠିତ ହେବ । ଅଣସର ପିଣ୍ଡିରେ ଠାକୁରଙ୍କୁ ଚକା ଉପରେ ବିଜେ କରାଯିବ । ଅର୍ଥାତ୍‌ ଜାଗ୍ରତ ଅବସ୍ଥାକୁ ଆସିବେ ଦାରୁବ୍ରହ୍ମ । ଦଇତା ପତି ଗୋଷ୍ଠୀଗତଭାବେ ଠାକୁରଙ୍କ ଏହି ସେବା କରିବେ ।  ଏଥିସହ ରାଜବୈଦଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମହୋଷଧି ଶ୍ରୀମନ୍ଦିରରେ ପହଞ୍ଚିବ । ଏହାକୁ ସେବନ କଲାପରେ ଠାକୁରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯିବେ। ସେବକଙ୍କ ନିଷ୍ଠାପର ସେବା ଯତ୍ନରେ  ଆରୋଗ୍ୟ ଲାଭ କରୁଛନ୍ତି ମହାପ୍ରଭୁ । ପଞ୍ଚମୀରେ  ଫୁଲୁରୀ ତେଲ ଲାଗି ହୋଇ ଠାକୁରେ ଉପଶମ ଲଭିଲେ । ପରେ ନବମୀ ପର୍ଯ୍ୟନ୍ତ ଠାକୁରଙ୍କୁ ଓଷ  ଲାଗି କରାଯାଇଥିଲା । ଆଜି ଚକା ବିଜେ ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନୀର୍ଘଣ୍ଟ  ହୋଇଛି । 

ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଜୟବିଜୟ ଦ୍ୱାର ବନ୍ଦ ହୋଇ ବେହେରଣ ଦ୍ୱାର ଫିଟିବ । ଠାକୁରଙ୍କ ଚକା ବିଜେ ନୀତି ସହ ଅନବସର ନୀତି ଅନୁଷ୍ଠିତ ହେବ । ପରେ ଏକାଦଶୀ ତିଥିରେ ଅନ୍ୟ ଭୋଗ ସହ ଦଶମୂଳ ମହୌଷଧି ସେବନ କରି ସମ୍ପୂର୍ଣ୍ଣ ସୁସ୍ଥ ହେବେ ଠାକୁରେ । 

ପାରମ୍ପରିକ ରାଜବୈଦ୍ୟ ପରିବାରର  କନିଷ୍ଠ ସଦସ୍ୟ ସୋଭୋନେଶ୍ୱର ମିଶ୍ର କହିଛନ୍ତି,  ଗଜପତି ମହାରାଜାଙ୍କ ନିର୍ଦ୍ଦେଶକ୍ରମେ ମହାପ୍ରଭୁଙ୍କ  ପାଇଁ ମହୌଷଧି ପ୍ରସ୍ତୁତ ହୋଇଛି । ଠାକୁରଙ୍କ ପାଇଁ ଦଶମୂଳ ମହୌଷଧି ପ୍ରସ୍ତୁତ ହୋଇଛି ।  ଯେହେତୁ ଏହା ଏକ ଗୁପ୍ତ ସେବା ଅଧିକ ପ୍ରକାଶ  ସମ୍ଭବ ନୁହେଁ । ପାଞ୍ଚ ପିଢ଼ି ହେଲା ଏହି ସେବା  କରିଆସୁଥିବା ସେ କହିଛନ୍ତି ।