ପୁରୀ,୧୭/୧୨: ଆସନ୍ତା ବର୍ଷ ଫେବ୍ରୁଆରୀ ୧ ତାରିଖରେ ମହାପ୍ରଭୁଙ୍କ ପଦ୍ମ ବେଶ । ଶ୍ରୀମନ୍ଦିର ରତ୍ନସିଂହାସନରୁ ପଦ୍ମବେଶରେ  ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି । ପଦ୍ମ ପୁଷ୍କରିଣୀର ପ୍ରସ୍ଫୁଟିତ ବିଶାଳ ପଦ୍ମ  କେଶର ମଧ୍ୟରେ ଶ୍ରୀମୁଖ  ଶୋଭାପାଇବ । ଏଣୁ ରବିବାର  ପଦ୍ମ ବେଶ ନିର୍ମାଣ ଅନୁକୂଳ  ହୋଇଛି । ବଡ଼ ଛତା ମଠରେ ଆରମ୍ଭ ହୋଇଛି ବେଶ ପ୍ରସ୍ତୁତି । ମୁଖ୍ୟ ବେଶ  ନିର୍ମାଣକାରୀ ତଥା ଦୟଣାମାଳି ସେବକ ବସନ୍ତ କୁମାର ରଣାଙ୍କ ଉପସ୍ଥିତିରେ  ବେଶ ପ୍ରସ୍ତୁତି ପାଇଁ ଆବଶ୍ୟକ ସୋଲ ଓ ବିଭିନ୍ନ ସରଞ୍ଜାମ ପୂଜା କରାଯାଇଛି ।  ଠାକୁରଙ୍କ ଉଦ୍ଦେଶ୍ୟରେ ଶ୍ରୀମୁଖ ପଦ୍ମ, ପଦ୍ମଫୁଲ, ଗଛ ଆଦି ଓ ହଂସ ତିଆରି  ହେବ । ଦାରୁଦେବତାମାନେ ଶ୍ରୀମସ୍ତକରେ ଚୂଳମାନ ଲାଗି ହେବେ । ରାତ୍ର ଚନ୍ଦନଲାଗି  ନୀତି ବଢ଼ିବା ପରେ ବଡ଼ସିଂହାରରେ ଠାକୁରେ ଏହି ବେଶ ହେବେ । ଭକ୍ତମାନେ  ପଦ୍ମ ବେଶରେ ଠାକୁରଙ୍କୁ ଦର୍ଶନ କରିବା ସହ କ୍ଷୀରି ଓ ଅମାଲୁ ଭୋଗ ପାଇବେ ।