ନୂଆଦିଲ୍ଲୀ ୦୫/୧୨: କେବେ କଳ୍ପନା କରିପାରିବେ, ମହାଭାରତ କାଳର ଅମୂଲ୍ୟ ଧନ  ଆଜି ବି ପୃଥିବୀପୃଷ୍ଠରେ ବିଦ୍ୟମାନ ଅଛି? ଏହାର ଝଲକ୍‌ ଯଦି ଆପଣଙ୍କୁ ମିଳିଯାଏ, କିନ୍ତୁ କଦାପି ଛୁଇଁବାର ଅନୁମତି ନ ମିଳେ, ତେବେ? ହିମାଚଳ ପ୍ରଦେଶର ଲୋଭନୀୟ ଭୂଖଣ୍ଡ ମଧ୍ୟରେ ପ୍ରାଚୀନ କିମ୍ବଦନ୍ତୀ ସହିତ ସୌନ୍ଦର୍ଯ୍ୟମୟ ପ୍ରକୃତି କୋଳରେ ଏହି ଧନ ରହିଛି ।  

ହିମାଚଳର କାମରୁନାଗ ହ୍ରଦ ରହସ୍ୟରେ ଭରା ଏକ ସ୍ଥାନ, ଯାହା  ବିଶ୍ୱର ପ୍ରତ୍ୟେକ କୋଣରୁ ପରିଦଶର୍କଙ୍କୁ ଆକୃଷ୍ଟ କରେ । କାରଣ  ଏହି ସ୍ଥାନର ପୌରାଣିକ କାହାଣୀ ବାସ୍ତବରେ ଏହାର ପବିତ୍ରତାର ପରିଚୟ ବହନ କରେ । କାମରୁନାଗ ହ୍ରଦକୁ ଯାତ୍ରା ସହଜ ନୁହେଁ । ରୋହାଣ୍ଡା କିମ୍ବା ଚୈଲଛକଠୁ ଘଞ୍ଚ ଜଙ୍ଗଲ ଓ ବିପଦପୂର୍ଣ୍ଣ ପର୍ବତ ମାର୍ଗ ଜରିଆରେ ଆହ୍ୱାନଭରା ୬ କିମି ଟ୍ରେକିଂ କରିବାକୁ ପଡ଼େ ।  ଏହି ଦୁର୍ଗମ ପଥ ଅତିକ୍ରମ କରିଥିବା ବ୍ୟକ୍ତି ନିଜକୁ ଭାଗ୍ୟଶାଳୀ ମଣନ୍ତି । କାରଣ ସେମାନେ ଉକ୍ତ ସ୍ଥାନର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ  ଶାନ୍ତ ପରିବେଶର ସାନ୍ନିଧ୍ୟ ପାଇପାରନ୍ତି । 

କିମ୍ବଦନ୍ତୀ କହେ, କାମରୁନାଗ ବାବା ହେଉଛନ୍ତି ଏ ସମସ୍ତ କାହାଣୀର  କେନ୍ଦ୍ର ଶକ୍ତି । ତାଙ୍କୁ ଏହି ହ୍ରଦର ରକ୍ଷାକର୍ତ୍ତା ବୋଲି ବିଶ୍ୱାସ କରାଯାଏ । ତାଙ୍କୁ ସ୍ୱର୍ଗୀୟ ଶକ୍ତି ଓ ଜ୍ଞାନର ଆଶୀର୍ବାଦ ପ୍ରାପ୍ତ ହୋଇଥିବା ବିଶ୍ୱାସ ରହିଛି । ଏ ଅଞ୍ଚଳର ଦୈବୀ ରକ୍ଷାକର୍ତ୍ତା ଭାବେ ଲୋକେ ତାଙ୍କୁ  ସମ୍ମାନ ଜଣାନ୍ତି । କୁହାଯାଏ, କାମରୁନାଗ ବାବା ଅନ୍ୟ ଦେବୀଦେବତାଙ୍କ ଭଳି  ନଥିଲେ । ମହାଭାରତ ଯୁଗର ରକ୍ଷାକର୍ତ୍ତା ଭାବେ ତାଙ୍କୁ ବିଶ୍ୱାସ  କରାଯାଏ । 

କିମ୍ବଦନ୍ତୀ ଅନୁସାରେ, ଏହି ହ୍ରଦର ପାଣି ପାଣ୍ଡବଙ୍କ ଧନକୁ ଲୁଚାଇ ରଖିଛି । ଯୁଦ୍ଧ ପରେ ଭକ୍ତିଭାବରେ ପାଣ୍ଡବ ଏହି ଧନକୁ ବିଶ୍ୱର ଅରାଜକତାଠୁ ସୁରକ୍ଷା ପ୍ରଦାନ ଲାଗି କାମରୁନାଗ ବାବାଙ୍କୁ ଅର୍ପଣ କରିଥିଲେ । ଏହି ଧନରେ ସୁନା, ମୂଲ୍ୟବାନ ରତ୍ନ  ଓ ଗହଣା ରହିଛି । ସମୟ ସହିତ କାମରୁନାଗ ହ୍ରଦ ଏକ ଧାର୍ମିକ ସ୍ଥଳୀ ପାଲଟିଛି ।  ଉତ୍ତମ ଭାଗ୍ୟ ପାଇଁ ଶ୍ରଦ୍ଧାଳୁ ଏଠାରେ ପ୍ରାର୍ଥନା କରନ୍ତି । କାମରୁନାଗ  ବାବା ଅଭିଳାଷ ପୂରଣ କରିବେ ବୋଲି ବିଶ୍ୱାସ କରି ସୁନା, ରୁପା  ଓ ଅନ୍ୟ ମୂଲ୍ୟବାନ ସାମଗ୍ରୀ ଅର୍ପଣ କରନ୍ତି । ହ୍ରଦ ତଳେ ପୋତି  ହୋଇଥିବା ଏହି ଅର୍ପଣ ବସ୍ତୁଗୁଡ଼ିକ ରହସ୍ୟମୟୀ ଧନ ପାଲଟିଛି ।  ତେବେ, ଏହି ସ୍ଥାନ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହିଛି । 

କିମ୍ବଦନ୍ତୀ ଅନୁସାରେ, ପବିତ୍ର ହ୍ରଦରୁ ଧନ ଚୋରି କରିବାକୁ ଯିଏ  ଚେଷ୍ଟା କରିବ ଭୟଙ୍କର ପରିଣାମର ସମ୍ମୁଖୀନ ହେବ । ଏ ନେଇ  ଏକ ଲୋକପ୍ରିୟ କାହାଣୀ ରହିଛି । ଜଣେ ବ୍ୟକ୍ତି ଧନ ହାସଲ  କରିବାକୁ ଏହି ହ୍ରଦର ପାଣିକୁ ଶୁଖାଇବାକୁ ଚେଷ୍ଟା କରିଥିଲେ,  କିନ୍ତୁ ପ୍ରାଣ ହରାଇଥିଲେ । ଆଉ ଜଣେ ଚୋର ଧରାପଡ଼ିଥିଲା ଏବଂ  ନିଜର ଲୋଭ ପାଇଁ ଦଣ୍ଡ ସ୍ୱରୂପ ଦୃଷ୍ଟିଶକ୍ତି ହରାଇଥିଲା । କାମରୁନାଗ  ବାବାଙ୍କ ସୁରକ୍ଷା କୌଣସି ଗପ ନୁହେଁ ବୋଲି ଏ ସମସ୍ତ କାହାଣୀ  ସ୍ୱର୍ଗୀୟ ଚେତାବନୀ ବୋଲି ସ୍ଥାନୀୟ ଲୋକେ ବିଶ୍ୱାସ କରନ୍ତି । 

ହ୍ରଦର ରହସ୍ୟ ତା’ ଭିତରେ ଲୁକ୍କାୟିତ ଧନଠୁ ଅଧିକ ବିସ୍ତୃତ। ଆଧ୍ୟାତ୍ମିକ ଶକ୍ତି କାମରୁନାଗ ହ୍ରଦର ସାର ବୋଲି ବିଶ୍ୱାସ କରାଯାଏ । ବର୍ଷର ନିର୍ଦ୍ଦିଷ୍ଟ ସମୟରେ ବାବା ସ୍ୱୟଂ ପ୍ରକଟ ହୁଅନ୍ତି ବୋଲି ବିଶ୍ୱାସ  ରହିଛି, ଖାସ୍‌ କରି ୧୪-୧୫ ଜୁନ୍‌ରେ ଅନୁଷ୍ଠିତ ବାର୍ଷିକ ମେଳାରେ । ବାବାଙ୍କ ଆଶୀର୍ବାଦ ଲାଭ ପାଇଁ ମେଳାରେ ହଜାର ହଜାର ସଂଖ୍ୟାରେ  ଶ୍ରଦ୍ଧାଳୁ ଯୋଗ ଦିଅନ୍ତି । ଏକ ଶକ୍ତିଶାଳୀ ଓ ସୁରକ୍ଷାତ୍ମକ ସ୍ଥାନ  ସମ୍ମୁଖରେ ଠିଆ ହୋଇଥିବା ଲୋକେ ବିଶ୍ୱାସ କରନ୍ତି । ପାରମ୍ପରିକ  ଜ୍ଞାନ ଓ ପ୍ରଥାକୁ ସାଇତି ରଖିବାରେ କାମରୁନାଗ ହ୍ରଦ ଗୁରୁତ୍ୱପୂର୍ଣ୍ଣ  ଭୂମିକା ନିର୍ବାହ କରେ