ପ୍ରେମଟା କ’ଣ ଆଜିପର୍ଯ୍ୟନ୍ତ ମଣିଷ ଖୋଜୁଛି ବ୍ୟକ୍ତିର ନିଜସ୍ୱ କଳ୍ପନାରେ । କିଏ ପ୍ରେମକୁ ଅମୃତ କହେ ତ କିଏ ବିଷ ମଧ୍ୟ କହେ, କାରଣ ପ୍ରେମ ବିଷ- ଅମୃତ ଠାରୁ ଆଉରି ଏକ ବ୍ରହ୍ମାନଳ । ବୟସର ତାରତମ୍ୟ ଅର୍ଥହୀନ । ପ୍ରେମିକାର ଅଶ୍ରୁବିନ୍ଦୁ ମୋତି ଠାରୁ ମୂଲ୍ୟବାନ । ପ୍ରେମିକ କହେ- ଦିଅ ମତେ ତମର ସବୁ ଲୁହ ମୁଁ ପିଇଯିବି ଅମରତ୍ୱ ଲୋଭରେ... ।

ନା,ନା କେବଳ ମୋର ନୁହେଁ, ମଣିଷ ଜାତି ହଜାଇ ଦେଇଛି ପ୍ରେମପତ୍ର । ଆଉ ସମୟ ନାହିଁ କାହାର ପ୍ରେମପତ୍ର ଲେଖିବା ପାଇଁ । ନଖରେ ପଦ୍ମପତ୍ରରେ ଲେଖି କେଉଁ ଶକୁନ୍ତଳା ନଦୀସ୍ରୋତରେ ପଠାଉନାହିଁ କିମ୍ବା କେଉଁ ସଲିମ ପଦ୍ମଫୁଲରେ ଲେଖି ପଠାଉନାହିଁ ପ୍ରେମସନ୍ଦେଶ । ମଫସଲି ନୂଆବୋହୂ ରାତିରେ ଡିବି ଜାଳି ତାର କଲିକତି ମରଦ ପାଇଁ ଅଙ୍କାବଙ୍କା ଅକ୍ଷରରେ ଲେଖୁନାହିଁ ‘କେବେ ଆସିବ ପ୍ରିୟ? ଆସିଲାବେଳେ ମୋ ପାଇଁ ଖଣ୍ଡେ ଭଲ ଶାଢ଼ି ଆଣିବ- ଢାକାଇ... ଆଉ ସବୁ ଭଲ । କେଉଁ ମହାନାୟକ ଲେଖୁନାହିଁ ତାର ନିଜସ୍ୱ ନାୟିକା ପାଖକୁ ଇତିହାସର ତୋରଣରେ ଆମେ କରିବା ପ୍ରେମମୁକୁଟ ପିନ୍ଧି, ମୁଣ୍ଡ ଛୁଇଁଥିବ ତାରାମଣ୍ଡଳକୁ ସମବେତ ପ୍ରାର୍ଥନା କରୁଥିବ ମଣିଷ ଜାତି ଆମର ଅମରତ୍ୱ ପାଇଁ । ଆଉ କେଉଁ ହାମ୍ଲେଟ କେଉଁଠି ନାହିଁ କହିବାକୁ- Nymph! Let me be remembered in thy omisons. ବିରହ ତାପରେ କେଉଁ ଚନ୍ଦ୍ରଭାନୁ ଦବିଯାଉନାହିଁ କି ତପୀ ହେଉନାହିଁ । ଆଉ ମେଘକୁ ଦୂତ କରି ପଠାଇବାକୁ ନାହିଁ ଲଣ୍ଡାମୁଣ୍ଡିଆ କାଳିଦାସ । ସମସ୍ତଙ୍କ ହାତରେ ମୋବାଇଲ ଫୋନ୍ । ଭାଷାର ସଂକୋଚନ ବହୁ ଆଗରୁ ହୋଇସାରିଛି । ତେଣୁ ଓ I Love you- ILU ଭାବ ପ୍ରକାଶ ଲାଗି ଯଥେଷ୍ଟ ରାଧା ବି ରେଭ୍ ପାର୍ଟିରେ ଚରସ ଟାଣି ଗାଉଛି ‘ଆ ନାଚିବୁ ଆ ଆ, ରାତି ସରି ଯାଉଛି, ନିଶା କମି ଯାଉଛି- ହା ହା ବାଇ ବାଇ । ଅତି ବେଶିରେ ମୋହର ଇଡଲି ଦୋସା, ମୁଁ ତୋର ଆଇସକ୍ରିମ୍’ । ବାଃ ଖାଇ ଯାଅ!
ପ୍ରେମ ଆଉ ବିଶେଷ୍ୟ ପଦ ନୁହେଁ, ଏହା ଏକ କ୍ରିୟା । ଖଟ, ମଦ, ହୋଟେଲ, ରୁମ୍, ବାସ୍ ଜିପପାଣି ଉଠିଯାଅ, ଆ କେଉଁ କକ୍ଷକୁ ଯେଉଁଠି ଆତ୍ମା, ଅନ୍ତରୀକ୍ଷ ଅଦୃଶ୍ୟ ହୋଇଯାଆନ୍ତି ଗୋଟିଏ କମ୍ପ୍ୟୁଟର ପରଦାରେ । ବିଲର ଚାଷୀ ଲୋଟଣା ଧରି ଆସିଥିବା ପତ୍ନୀକୁ ଧାନବିଲରେ ପ୍ରେମ କରେ । ଅଫିସରେ, ପାର୍ଟିରେ, ରାତି, ବସ୍, ଟ୍ରେନରେ ପ୍ରେମ କାର୍ଯ୍ୟ ହୁଏ । ଆଜିକାଲି ଫାର୍ମହାଉସ, ସମୁଦ୍ର ପିଠିରେ ତେକୀ ସ୍ଥଳରେ ପ୍ରେମ ହୁଏ ଯଦି ପକେଟରେ ମାଲ୍ ଅଛି । ଅବଶ୍ୟ ଏବେ ମଧ୍ୟ କେତେଟା ଜୁଲିଏଟ-କେଦାର ଅଛନ୍ତି ଯେଉଁମାନେ ଦିନରେ ୧୦ଥର ଫୋନ୍ କରନ୍ତି । ଅଫିସରୁ ଶୀଘ୍ର ଫେରିଆସନ୍ତି । ଜହ୍ନ କିରଣରେ ବସନ୍ତି ସମୁଦ୍ର ବାଲିରେ । ସେମାନେ ବିରଳପ୍ରେମୀ । ଅଧିକାଂଶ ପ୍ରେମ କ୍ରିୟାତତ୍ପର । କର୍ମମୟ ବ୍ୟସ୍ତବହୁଳ ଜୀବନରେ ଆଉ ସମୟ ନାହିଁ କୋଇଲିର କୁହୁ ଗଣିବାକୁ ଦୂର ବନସ୍ତରେ । ଏସି ରୁମରେ ଏକାକୀ ମୋବାଇଲରେ ପ୍ରେମକ୍ରିୟା ଦେଖିବାରେ ଜହ୍ନରାତି ପାହିଯାଏ ଫେରନ୍ତା ଢେଉରେ ।
ଯେଉଁମାନେ ରଙ୍ଗିନ ଲଫାପାକୁ ପୋଷ୍ଟକାର୍ଡକୁ ଆସିଯାନ୍ତି ସେମାନଙ୍କ କଥା ନିଆରା । ଆଜିର ଟୋକା ଗାଆନ୍ତି ନାହିଁ ‘ରାଜଜେମା ସଙ୍ଗେ ଭାବ ହେଲା ଏମିତି, ଫୁଲ ଦେଖି ପ୍ରଜାପତି ଡେଣା ଝାଡ଼େ ଯେମିତି’ । ତାଙ୍କ ଗୀତ ହେଲା- ଇମେଲ୍ ଚିଠି ବା ହ୍ୱାଟ୍ସ ଆପ୍ ମେସେଜ । ବେଳେବେଳେ ଫୋନ ଆଜି ସନ୍ଧ୍ୟାରେ ଫ୍ରି ଅଛି? ନା ବହୁତ କାମ ଅଛି । ତେବେ କେବେ ଫ୍ରି ହେବ କହିବ । ଆଜିର କୋଟି ବ୍ରହ୍ମାଣ୍ଡସୁନ୍ଦରୀ ‘ନାଥ ନାଥ ବୋଲି ହୃଦେ ହାତ ମାରି କର ରଖି କୁଚ ସନ୍ଧିରେ’ ଭୋଜନ କରେନାହିଁ । ସିନେମାରେ ମଧ୍ୟ ପ୍ରେମ ହଜିଗଲାଣି । କୋଉ ପ୍ରେମିକ କହେନାହିଁ, ତୋର ଆଖି ଛଡ଼ା ଦୁନିଆରେ ଆଉ କ’ଣ ବା ଅଛି! ସେ ଆଖି ଉଠିଲେ ସକାଳ ହୁଏ । ନଇଁଗଲେ ସନ୍ଧ୍ୟା ହେଇଯାଏ । ଅବଶ୍ୟ ମୁଁ ଏହାକୁ ସାହିତ୍ୟର ସଙ୍ଗୀତର ଅବକ୍ଷୟ କହୁନାହିଁ । ପ୍ରେମ ଏକ ବିଭୋର ଆଳସ୍ୟର କଳା । ବଂଶୀରେ ରାଧା ରାଧା ଡାକି ଯମୁନାକୁ ରାତିଅଧରେ ଟେକା ପକାଇବା କୃଷ୍ଣ ନାହିଁ, କି ଆଉ ସେ ରାଧା ନାହିଁ ଯିଏ ଆହ୍ଲାଦିନୀ ହୋଇ କୃଷ୍ଣ କାୟାକର୍ମତନୁକୁ ପରିଚାଳିତ କରିବ । ଛନ୍ଦମୟୀ, ଭାବମୟୀ, ମହୀମଣ୍ଡନା ପ୍ରଭୃତି ଶବ୍ଦ ଆଜିର ବ୍ୟାବହାରିକ ଶବ୍ଦକୋଷରୁ ଅଲଗା ହେଇଗଲାଣି । ପ୍ରେମରେ ସମର୍ପଣ ଭାବ, ଭକ୍ତି ସେବାର ଅନୁରାଗ ନାହିଁ ଯେହେତୁ ନାରୀର ସ୍ୱତନ୍ତ୍ର ପୃଥିବୀ ପ୍ରାୟ ୧୦୦ ବର୍ଷ ହେଲା ଆରମ୍ଭ ହୋଇସାରିଲାଣି ।
ଇବସନଙ୍କ A Doll’s houseର’ର ନାୟିକା ତାର ସ୍ୱାମୀ ସନ୍ତାନଙ୍କୁ ଛାଡ଼ି ଚାଲିଯାଉଛି, ଯେହେତୁ ତାର ସ୍ୱତନ୍ତ୍ର ବ୍ୟକ୍ତିତ୍ୱର ମର୍ଯ୍ୟାଦା ତାର ସ୍ୱାମୀ ରଖୁନାହିଁ । ଆଜିର ନାରୀ ନିଜେ ତାର ପ୍ରିୟ ପୁରୁଷକୁ ବାଛେ ଏବଂ ଅର୍ଥ ଉପାର୍ଜନ କରେ ଶିକ୍ଷା ମାଧ୍ୟମରେ । ସେ ନିଜେ ପୁରୁଷକୁ ବାଛେ, ପ୍ରେମ କରେ ଯଦି ପୁରୁଷ ଜଣେ ବିଦୂଷୀର ସହୋଦର ସୀମା ଡେଇଁ ତାକୁ ମୋହିତ କରିପାରେ । ପୁରୁଷର ବାଟକୁ ଚାହିଁ ବସିବା ନାରୀ ବୋଧେ ନାହାଁନ୍ତି । ସେ ମଧ୍ୟ କ୍ଲବରୁ କିଟିକିଟି ରାତିଅଧରେ ଫେରେ । ତାଙ୍କର ସନ୍ତାନମାନେ ଆୟା ବା ଗଭର୍ଣ୍ଣେସ ସହିତ ବଡ଼ ହୁଅନ୍ତି । ଆଳସ୍ୟ ଆନନ୍ଦରେ ବିରହ ନିଆଁରେ କେହି ଜଳେନାହିଁ । ୬୦ବର୍ଷର ଚିତ୍ରିତ ନାୟିକା କ୍ଲବରେ ପାର୍ଟିରେ ଝୁମଝୁମ କରେ । ପ୍ରେମ ପାଇଁ ସମୟ କାହିଁ । ଶିକ୍ଷିତା ପୁଅ ଝିଅ ଆଜିକାଲି ୪୦ ପାଖାପାଖି ବାହା ହୁଅନ୍ତି । ଝିଅମାନେ ମାଆ ହେବାକୁ ଚାହାଁନ୍ତି ନାହିଁ । ଆଜିର ଝିଅର ଆଦର୍ଶ ହୁଏତ ମାଧୁରୀ ବା ପ୍ରିୟଙ୍କା । ଧନ, ଐଶ୍ୱର୍ଯ୍ୟ, ସାମାଜିକ ପ୍ରତିଷ୍ଠା ପାଖରେ ପ୍ରେମ ବା କ’ଣ ସାମର୍ଥ୍ୟ ରଖେ?
ଶହେବର୍ଷ ତଳେ ବିଂଶ ଶତାବ୍ଦୀର ଶ୍ରେଷ୍ଠ କବି ଟି.ଏସ. ଇଲିଅଟ କହିଥିଲେ- Who has devised this torment, Love? ଏ ପ୍ରେମ ଯନ୍ତ୍ରଣାକୁ କିଏ ସୃଷ୍ଟି କରିଥିଲା? ପୁରୁଷ ବି କହେ ପ୍ରେମ ପାଇଁ ବେଳ କାହିଁ? ପ୍ରେମ ଏକ ଐଶ୍ୱର୍ଯ୍ୟର କଳା । ପ୍ରେମ ହିଁ କାବ୍ୟ ସୃଷ୍ଟିକରେ, ହିମାଳୟ ଚଢ଼ାଏ, କଳିଙ୍ଗ ଯୁଦ୍ଧ କରାଏ, ଟ୍ରୟ ଧ୍ୱଂସ କରାଏ । ପ୍ରେମ ସୃଷ୍ଟି ଓ ବିଲୟର ମହାକାବ୍ୟ । ସେପରି ପ୍ରେମର କବି ବା ନାୟକ ହେବାଲାଗି ଯୋଗ୍ୟତା ଥିଲେ ଜଣେ ପ୍ରେମଚିଠି ଲେଖିପାରେ । ଆଜିର ମଣିଷ ପ୍ରେମହରା, ଯେହେତୁ କର୍ମ-ଅର୍ଥ-କାମ-ମୋକ୍ଷ ମଧ୍ୟରେ ସମନ୍ୱୟ ନାହିଁ । ଗୁରୁଚରଣ ଦାସଙ୍କ କାମ ଉପନ୍ୟାସ ଯେଉଁମାନେ ପଢ଼ିଛନ୍ତି ସେମାନେ ମୋ ସହିତ ଏକମତ ହେବେ ଯେ କାମ(କାମନା) ପ୍ରେମକୁ ନଷ୍ଟ କରିଛି । ଭାରତୀୟ ସାହିତ୍ୟର ଦୁଇଟି କ୍ଲାସିକ ‘ଅନଙ୍ଗ ରଙ୍ଗ ଓ କାମସୂତ୍ର ପ୍ରେମ’କୁ ଏହି କ୍ରିୟା ଅର୍ଥରେ ହିଁ ନେଇଛନ୍ତି । ତେଣୁ ପ୍ରେମ ଲାଗି ଅପେକ୍ଷା, ଧୈର୍ଯ୍ୟ, ସମର୍ପଣ, ଯୋଗୀ ଅନୁରାଗୀ, ରାତିର ବାରି ଅଗଣା ଅର୍ଥହୀନ । ଚିଠିର ଆବଶ୍ୟକତା କାହିଁ?
କିନ୍ତୁ ପ୍ରେମ କ’ଣ ମରିଯିବା ଜିନିଷ? କେବେ ନୁହେଁ । ପ୍ରେମ ମଧ୍ୟ ଏକ ଯୋଗ ଜ୍ଞାନ କର୍ମ ପରି । ପ୍ରେମ ମାଧ୍ୟମରେ ମଣିଷ ନିଜକୁ ମହାବିଶ୍ୱ ସହିତ ଯୋଡ଼େ । ପ୍ରେମିକା ଭିତରେ ବିଶ୍ୱ ଦେଖେ । ତା’ ଆଖିରେ ଦେଖେ ଅଷ୍ଟମ ସମୁଦ୍ରର ଗଭୀରତା । କୋଇଲି ଗୀତରେ, ଝାକୁଆ ଜହ୍ନରେ, ଶିଶିରଲଗା ଘାସରେ, ଶୀତ ବସନ୍ତରେ, ମଧ୍ୟରାତିର ଦୁଃସ୍ୱପ୍ନରେ ସେ ଦେଖେ ପ୍ରେମିକାର ଭଙ୍ଗୀ, ଚାଲି, ରଙ୍ଗ, ସ୍ୱର ଓ ଆକାଶର ଅସୀମ ବିସ୍ତାର । ସେଇ ପ୍ରେମିକା ପାଇଁ ହିମାଳୟ ଚଢ଼େ, ସମୁଦ୍ର ଡିଏଁ, ବିନ୍ଦୁକୁ ସିନ୍ଧୁ କରେ । ସୁର ସାଧନା, କାବ୍ୟ ସ୍ଥାପତ୍ୟର ସ୍ଥପତି ହୁଏ, ବିଜ୍ଞାନାଗାରରେ ପରୀକ୍ଷା କରେ ଭାବର ଗାମ୍ଭୀର୍ଯ୍ୟ, କୋମଳତା ଓ ବିଶ୍ୱର ଆଦି-ଅନ୍ତ । ମୁଁ ଜାଣେନା କିଏ ଲେଖିଥିଲା ପ୍ରଥମ ପ୍ରେମପତ୍ର । କିନ୍ତୁ କିଏ ନଖରେ ଗାର କାଟୁଥିଲା ମାଟିରେ, କିଏ ବଂଶୀ ସ୍ୱନରେ ବିଧୁର ତାନ ସୃଷ୍ଟି କରୁଥିଲା । ନିର୍ଜନ ପୋଖରୀ କୂଳରେ ଗୋଡ଼ି ପକାଉଥିଲା ପାଣିକୁ । କଥା କହିପାରୁନଥିଲା । କିନ୍ତୁ ପ୍ରେମିକା ପାଇଁ ଜୀବନ ଉତ୍ସର୍ଗ କରୁଥିଲା । କ୍ଲିଓପାଟ୍ରା-ଏଣ୍ଟୋନ ପରି କହୁଥିଲା- My kingdom for a kiss (ରାଜ୍ୟ ନେଇଯାଅ ଗୋଟିଏ ଚୁମ୍ବନ ପାଇଁ) । ପ୍ରେମ ରୋଗ କିମ୍ବା ନିଶା ନୁହେଁ, ଏହା ଶୁଦ୍ଧ ଓ ମହାନ । ଜୀବନ ବଞ୍ଚିବା ଲାଗି ପ୍ରେରଣା । ପ୍ରେମରେ ବୟସ ନାହିଁ, କାଳର ଭୟ ନାହିଁ, କାରଣ ପ୍ରେମ ହିଁ ଜୀବନ । ପାଠୁଆ ପ୍ରେମୀ ଦୂରରେ ଥିଲେ ପତ୍ର ଲେଖେ, ମେଘକୁ ନଦେଇ ପୋଷ୍ଟବାକ୍ସରେ ପକାଏ । ରବର୍ଟ ବ୍ରା ରନଙ୍ଗ ପରି ଜଳରେ ତିନିଟା ଚିଠି ଲେଖେ । ହୃଦୟକୁ ଅଜାଡ଼ି ଦିଏ । ଏବେ ଅବଶ୍ୟ ପ୍ରେମପତ୍ର ଲେଖିବା ପଢ଼ିବା ପାଇଁ କାହାର ସମୟ ନାହିଁ । କିନ୍ତୁ ଆମେ ଅନେକ ଦିନ ତଳେ ପୋଷ୍ଟମ୍ୟାନ୍ର ସାଇକଲ ଘଣ୍ଟି ଶୁଣିଲେ ଯେମିତି ପ୍ରେମୀମାନେ ଦଉଡ଼ି ଆସନ୍ତି ଲଫାଫାଟିଏ ପାଇଁ । ଏବେ ମଧ୍ୟ ପ୍ରେମୀପୁରୁଷ(ସ୍ତ୍ରୀ) ଫୋନର ରିଂ ପାଇଁ ଅପେକ୍ଷା କରେ ରାତିରେ, ଭିଡିଓ କଲ୍ ନଲାଗିଲେ ମନରେ ଅମ୍ବାନୀ ପ୍ରଭୃତିଙ୍କୁ ଗାଳି ଦିଏ । କମ୍ପୁଟରରେ, ମୋବାଇଲରେ ଚାଟ୍ କରେ । ଲେଖିପକାଏ ଟିପ ଚଳାଇ ଅନେକ ଅକ୍ଷର, ଅନେକ ଭାଷାରେ ଗୋଟିଏ କଥା- ତୋ ବିନା ଆଖି ପତା ପଡ଼ୁନିରେ ପ୍ରିୟା, କେଉଁଠି ହଜିଯାଇଛ କେଉଁ ପାର୍ଟି ମିଟିଂରେ ନା ଆଉ କା କୋଳରେ? ଫୋନ୍ ଧର, ନହେଲେ ଡେଇଁପଡ଼ିବି ଝରକାରୁ ମିଛରେ ମିଛରେ । ପ୍ରେମଟା କ’ଣ ଆଜିପର୍ଯ୍ୟନ୍ତ ମଣିଷ ଖୋଜୁଛି ବ୍ୟକ୍ତିର ନିଜସ୍ୱ କଳ୍ପନାରେ । କିଏ ପ୍ରେମକୁ ଅମୃତ କହେ ତ କିଏ ବିଷ ମଧ୍ୟ କହେ, କାରଣ ପ୍ରେମ ବିଷ-ଅମୃତ ଠାରୁ ଆଉରି ଏକ ବ୍ରହ୍ମାନଳ । ବୟସର ତାରତମ୍ୟ ଅର୍ଥହୀନ । ପ୍ରେମିକାର ଅଶ୍ରୁବିନ୍ଦୁ ମୋତି ଠାରୁ ମୂଲ୍ୟବାନ । ପ୍ରେମିକ କହେ- ଦିଅ ମତେ ତମର ସବୁ ଲୁହ ମୁଁ ପିଇଯିବି ଅମରତ୍ୱ ଲୋଭରେ... । ତୁମ ପ୍ରେମ ମୋର, ଆସ ମୁଁ ପାରିଜାତ ପାରିଛି ତୁମ ଆତ୍ମାକୁ ଶୀତଳ ଆନନ୍ଦରେ ଭରିଦେବା ପାଇଁ । ପ୍ରେମ ବ୍ୟାଧି କିମ୍ବା ପାଗଳାମି ନୁହେଁ, ପ୍ରେମ ପରମାତ୍ମାର ଆନନ୍ଦ, ଯେଉଁଠି ସୌନ୍ଦର୍ଯ୍ୟ, ସୁଷମାବିନ୍ୟାସ, କୋକିଳସ୍ୱନ, ମହାସାଗରର ବିସ୍ତାର । ଅନନ୍ତ ଆକାଶର ନୀଳିମା ସବୁ ଥାଏ ପ୍ରେମିକା ପାଖରେ ତାକୁ ପ୍ରିୟା ଡାକିଲେ ସେ ଚମକି ଯାଏ । ପ୍ରିନସେସ୍ ଡାକିଲେ ସେ ଡେଣା ମେଲେଇ ଫୁଲିଉଠେ । ପ୍ରେମପତ୍ରରେ ପ୍ରେମୀ ପୁରୁଷ(ନାରୀ) ମରୁଭୂମିରେ ପଦ୍ମ ସମ୍ଭାର ଦେଖେ । ସ୍ୱର୍ଗ ଗଢ଼େ ଯେଉଁଠି ରମ୍ଭା, ମେନକା, ତିଳୋତ୍ତମା ଦାସୀ ପରି ପରଷନ୍ତି ସ୍ୱପ୍ନମଦିରା, ଇନ୍ଦ୍ର ପ୍ରଣାମ କରେ... । ପ୍ରେମୀ ପୁରୁଷ(ନାରୀ) ଗୋଟିଏ ମହାକବି ଜୀବନବିଳାସୀ ଆତ୍ମା । ତେଣୁ ସେ ବିରହକୁ ମଧ୍ୟ ଉପଭୋଗ କରେ ଦେବତା ଅଗ୍ନିରେ, ମିଳନକୁ ଉପଭୋଗ କରେ ରତିରେ । ଆଜି ଯଦି ପ୍ରେମପତ୍ର ହଜିଯାଇଛି ଆଜିର ଯୁବକ ଯୁବତୀ ପାଖରୁ, ତା’ର କାରଣ ହେଲା କବିତ୍ୱ ହଜିଯାଇଛି । ଭାଷା, ଆଚରଣ, ମହତ୍ତ୍ୱାକାଂକ୍ଷୀ ଗାନ୍ଧୀମୁଣ୍ଡ ଓ ଦି ଗ୍ରୀନ୍ ବ୍ୟାଚ (ଡଲାର) ଭିତରେ ହଜିଯାଇଛି । କିନ୍ତୁ ଯିଏ ଡଲାର ସହିତ ପ୍ରିୟତମାର ମେଥିଗନ୍ଧା କେଶବିନ୍ୟାସରେ ମତୁଆଲା ହୁଏ, ସେ କାଗଜରେ ନଲେଖିଲେ ମଧ୍ୟ ମୁହଁରେ କହେ- ହେ ପ୍ରିୟା! ତୁମ କେଶ ମେଲିଦେଲେ ପୃଥିବୀ ଲୁଚିଯିବ, ମୁଁ ଖାଲି ଦେଖିବି ତୁମ ମୁହଁରେ ସୂର୍ଯ୍ୟ, ଚନ୍ଦ୍ର, ପବନ-ଜଳ ଆଉ ଦୁଇ ଓଠର ଅର୍ଦ୍ଧଗୋଲକ ଭିତରେ ମହାଜୀବନର ଆନନ୍ଦ... ।