ପୁରୀ,୨୮/୦୧: ପ୍ରେମ ଥିଲା ଚାରି ବର୍ଷର ପୁରୁଣା । ତିନି ମାସ ତଳୁ ପ୍ରେମିକା ଅନ୍ତଃସତ୍ତ୍ୱା । ତେର ଦିନ ତଳେ ପ୍ରେମୀ ଯୁଗଳ କଲେ ପ୍ରେମ ବିବାହ । ଘର ଲୋକେ ସ୍ୱୀକାର ନକରିବାରୁ ଉଭୟ ଭଡ଼ାଘରେ ରହିଲେ । କିନ୍ତୁ ବିବାହର ଗୋଟିଏ ଦିନ ପରେ ପ୍ରେମିକାକୁ ଛାଡ଼ି  ନିଜ ଘରକୁ ଚାଲିଗଲା ପ୍ରେମିକ । ଆଉ ଏହାପରେ ଗର୍ଭବତୀ ପ୍ରେମିକା ଏବେ  ହଟହଟା ହେଉଛି । ଶେଷରେ ଅନ୍ତଃସତ୍ତ୍ୱା ଯୁବତୀ ଜଣକ ସମୁଦ୍ର କୂଳ ଥାନାରେ  ଏତଲା ଦେଇଛନ୍ତି । 

ସମୁଦ୍ର କୂଳ ଥାନା ଅଧୀନ ବାଲିସାହି ହରିଜନ ବସ୍ତିରେ ଉଭୟ ଯୁବକ ଯୁବତୀଙ୍କ ଘର । ଦୁହିଁଙ୍କୁ ବୟସ ୧୯ ବର୍ଷ । ୪ ବର୍ଷ  ତଳୁ ଉଭୟ ପ୍ରେମ ବନ୍ଧନରେ ବାନ୍ଧି ହୋଇ  ଶାରୀରିକ ସମ୍ପର୍କ ରଖିଥିଲେ । ଯୁବତୀ ୩  ମାସର ଗର୍ଭବତୀ ଥିବା ବେଳେ ବିବାହ  କରିବାକୁ ଜିଦ୍‌ କରିଥିଲେ । କିନ୍ତୁ ଯୁବକର  ପରିବାର ଲୋକେ ଅରାଜି ଥିବାରୁ ଉଭୟ  ଚନ୍ଦନପୁର ଥାନା ଅଧୀନ ବଢ଼େଇ  ମନ୍ଦିରରେ ଗତ ୧୩ ତାରିଖରେ ବିବାହ  କରିଥିଲେ । ଦୁହେଁ ଭଡ଼ା ଘରେ ରହୁଥିବା  ବେଳେ ୧୪ ତାରିଖରେ ଯୁବକକୁ ତା’  ଭିଣୋଇ ଘରକୁ ଡାକି ନେଇଥିଲା । ଘରେ  କଥା ହୋଇ ଯୁବତୀକୁ ନେଇଯିବ ବୋଲି  ପ୍ରତିଶ୍ରୁତି ଦେଇ ପରିବାର ଲୋକଙ୍କ  ପାଖକୁ ଯାଇଥିଲା ଯୁବକ । କିନ୍ତୁ ପରେ  ଆଉ ଫେରିନଥିଲା । ମୋବାଇଲ୍‌ ଫୋନ୍‌  ସୁଇଚ୍‌ ଅଫ୍‌ କରି ରହିଯିବାରୁ ଯୁବତୀ  ତାଙ୍କ ପରିବାର ଲୋକଙ୍କୁ ଡାକି ଯୁବକ  ଘରକୁ ଯାଇଥିଲେ । ହେଲେ ଯୁବକର ପରିବାର ଲୋକେ ଘରେ ପୂରାଇବାକୁ  ମନା କରି ତଡ଼ି ଦେଇଥିଲେ । ଏପରିକି  ଘରକୁ ଆସିଲେ ନିଆଁରେ ଜାଳି ହତ୍ୟା  କରିବାକୁ ଧମକ ଦେଇଥିବା ଯୁବତୀ  ଅଭିଯୋଗ କରିଛନ୍ତି । ଏନେଇ ପୁଲିସ  ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।