ଚନ୍ଦ୍ରଶେଖରପୁର ୧୯/୧୧: ହୋଟେଲରେ ଏକାଠି କାମ କରୁଥିଲେ ।  ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ଯୋଡ଼ିହେଲା । ବିବାହର ପ୍ରତିଶ୍ରୁତି ଦେଇ ଶାରିରୀକ ସଂପର୍କ ରଖିବା ପରେ ପ୍ରତାରଣା ଦେଇଥିଲେ । ଏଭଳି ଜଣେ ପ୍ରତାରକ  ପ୍ରେମିକକୁ ଗିରଫ କରିଛି ମୈତ୍ରୀବିହାର  ଥାନା ପୁଲିସ । ସେ ହେଲେ ସୋମନାଥ  ମଲ୍ଲିକ(୨୯) । ଘର ଜଗତସିଂହପୁର  ଜିଲ୍ଲା ତାରିକୁଣ୍ଡ ଥାନା ଗରୁଆଳ ଗାଁରେ ।  

ସୋମନାଥ ଓ ପୀଡିତା ଯୁବତୀ ଗତ  ୨୦୨୩ରେ ମୈତ୍ରୀବିହାର ଥାନା ଅନ୍ତର୍ଗତ  ଏକ ହୋଟେଲରେ ଏକତ୍ର କାର୍ଯ୍ୟ  କରୁଥିଲେ । ସୋମନାଥ ଯୁବତୀଙ୍କୁ ବିବାହ  କରିବାର ପ୍ରତିଶ୍ରୁତି ଦେଇଥିଲେ । ଗତ ବର୍ଷ  ଜୁଲାଇରେ ସୋମନାଥ ପାତ୍ରପଡ଼ା ସ୍ଥିତ ଏକ  ହୋଟେଲକୁ ନେଇ ଯୁବତୀଙ୍କ ଅନିଚ୍ଛା ସତ୍ତେ୍ୱ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲେ ।  ଏହି ସମୟରେ ସେ କିଛି ଆପତ୍ତି ଜନକ  ଫଟୋ ତାଙ୍କର ମୋବାଇଲରେ କଏଦ କରି  ନେଇଥିଲେ । ପରେ ସେଗୁଡିକୁ ଭାଇରାଲ  କରିବାର ଧମକ ଦେଇ ଯୁବତୀଙ୍କ ସହ  ବାରମ୍ବାର ସମ୍ପର୍କ ରଖିଥିଲେ । କେବଳ  ସେତିକି ନୁହେଁ ତାଙ୍କ ଠାରୁ ୭୦ ହଜାର  ଟଙ୍କା ମଧ୍ୟ ନେଇଥିଲେ । ପରବର୍ତ୍ତୀ  ସମୟରେ ସୋମନାଥ ପୀଡିତାଙ୍କୁ ବିବାହ  କରିବାକୁ ମନା କରିଦେଇଥିଲେ । ଶେଷରେ  କିଛି ଉପାୟ ନପାଇ ମୈତ୍ରୀ ବିହାର  ଥାନାରେ ଅଭିଯୋଗ କରିଥିଲେ ଯୁବତୀ ।