କଟକ,୧୨/୦୯: ରାତିରେ ପୁଲିସ୍ ବୁଲି ବୁଲି ହୋଟେଲ୍ ଯାଞ୍ଚ କରୁଥିଲା । ଯାହା ଉପରେ ସନ୍ଦେହ ହେଉଥିଲା ତାକୁ ଉଠାଇ ନେଉଥିଲା । ହେଲେ ହୋଟେଲ୍ ରୁମ୍ରେ ପ୍ରେମିକ ତିଆରି କରୁଥିଲା ପ୍ରେମିକାକୁ ହତ୍ୟା କରିବାର ବ୍ଲୁ ପ୍ରିଣ୍ଟ୍ । ସେ ବିଷୟରେ କିଛି ସୁରାକ୍ ପାଇ ନଥିଲା ପୁଲିସ୍ । ହାତୁଡ଼ିରେ ପ୍ରେମିକାର ମୁଣ୍ଡକୁ ପିଟି ପିଟି ଦରମରା କରି ପ୍ରେମିକ ଫେରାର ହୋଇଗଲା । ଏମିତି ଏକ ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଭୁବନେଶ୍ୱରର କ୍ୟାପିଟାଲ ଥାନା ଅଞ୍ଚଳରେ । ୨୫ ଦିନ ହେଲା ପ୍ରେମିକା କୋମାରେ ହସ୍ପିଟାଲ୍ ବେଡ୍ରେ ଜୀବନ ମରଣ ସହ ସଂଘର୍ଷ କରୁଛି । ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ହେଲେ ଅଭିଯୁକ୍ତର ଟେର ପାଉନାହିଁ ।
ଘଟଣା ଏମିତି
ପାୟଲ (ଛଦ୍ମନାମ) ନାମକ ଜଣେ ଯୁବତୀଙ୍କ ଘର ଭଦ୍ରକରେ । ସେ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲ୍ରେ ଚାକିରି କରୁଥିଲେ । କିଛି ବର୍ଷ ତଳେ ଭୁବନେଶ୍ୱରରେ ରହୁଥିବା ପ୍ରିୟରଞ୍ଜନ ପଟ୍ଟନାୟକ ସହ ସୋସିଆଲ୍ ମିଡିଆରେ ତାଙ୍କର ଚିହ୍ନା ପରିଚୟ ହୋଇଥିଲା । କିଛି ଦିନ ଚାଟିଂ ପରେ ଆରମ୍ଭ ହୋଇଥିଲା ପ୍ରେମ । କଥା ଉଭୟଙ୍କ ଘର ଲୋକ ଜାଣିଥିଲେ । ତେବେ ଡିସେମ୍ବରରେ ସେମାନଙ୍କ ବାହାଘର ହେବାର ଥିଲା ।
ଗତ କିଛ ଦିନ ହେବ ଛୋଟ ଛୋଟ କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା । ଏହାର ସମାଧାନ ପାଇଁ ଉଭୟ ଅଗଷ୍ଟ ୧୪ରେ ମାଷ୍ଟରକ୍ୟାଣ୍ଟିନ୍ରେ ଥିବା ହୋଟେଲ ‘ଉଷା ରେସିଡେନି୍ସ’ ବୁକ୍ କରିଥିଲେ । ଅଗଷ୍ଟ ୧୫ ତାରିଖ ଉଭୟଙ୍କ ଛୁଟି ଥିବାରୁ ସେଦିନ ହୋଟେଲ୍ରେ ରହିବାକୁ ନିଷ୍ପତ୍ତି ନେଇଥିଲେ । ସେହି ୧୫ ତାରିଖରେ ପାୟଲଙ୍କୁ ହତ୍ୟା କରିବା ପାଇଁ ପ୍ରିୟରଞ୍ଜନ ଯୋଜନା କରିଥିଲା । ସେଥିପାଇଁ ସେ ସବୁ ପ୍ରସ୍ତୁତି ମଧ୍ୟ ସାରିଥିଲା । ହୋଟେଲ୍କୁ ଯିବା ପୂର୍ବରୁ ସେ ସାଙ୍ଗରେ ଛୁରି, ହାତୁଡି, ନିଶା ମେଡିସିନ୍ ନେଇ ଯାଇଥିଲା ।
୧୫ ତାରିଖ ଅପରାହ୍ଣ ପ୍ରାୟ ସାଢ଼େ ୩ ବେଳେ ପୂର୍ବ କଥାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ରାଗି ଯାଇ ପ୍ରିୟରଞ୍ଜନ ପ୍ରଥମେ ପାୟଲଙ୍କ ପାଟିକୁ ଏକ ଗାମୁଛାରେ ବାନ୍ଧି ଦେଇଥିଲା । ଟିଭିର ସାଉଣ୍ଡ ବଢ଼ାଇ ଦେଇଥିଲା । ତା’ପରେ ହାତୁଡିରେ ପାୟଲ୍ର ମୁଣ୍ଡକୁ ଅତି ନିର୍ମମ ଭାବେ ଛେଚି ଚାଲିଥିଲା । ଏତିକିରେ ପ୍ରିୟରଞ୍ଜନର ମନ ବୁଝିନଥିଲା । ଛୁରିରେ ହାତ, ଗୋଡ଼, ପେଟ ପିଠିକୁ ଆକ୍ରମଣ ବି କରିଥିଲା । ରୁମର କାନ୍ଥରେ ଲାଗିଥିବା ରକ୍ତ ଛିଟାରୁ ଜଣାପଡ଼ୁଛି ଯେ ଜୀବନ ବଞ୍ଚାଇବାକୁ ଯୁବତୀ ଜଣଙ୍କ ହୋଟେଲ୍ ରୁମ୍ ଭିତରେ ଏପଟ ସେପଟ ଦୌଡ଼ିଥିଲେ । ପରେ ଯୁବତୀ ଜଣଙ୍କ ଚେତା ହରାଇ ପଡ଼ିଯାଇଥିଲେ । ପାୟଲ ମରିଗଲା ବୋଲି ପ୍ରିୟରଞ୍ଜନ ନିଶ୍ଚିତ ହୋଇଯାଇଥିଲା ।
ଏହା ପରେ ସେ ବାଥରୁମ୍ ଯାଇ ଧୁଆଧୁଇ ହୋଇଥିଲା । ମାରଣାସ୍ତ୍ରକୁ ଛାଡ଼ି ନିଜ ଜିନିଷପତ୍ର ନେଇ ହୋଟେଲ୍ ରୁମ୍ରୁ ପଳାଇଥିଲା । ପ୍ରିୟରଞ୍ଜନ ଅପରାହ୍ନ ସାଢ଼େ ୫ ଟାରେ ହୋଟେଲ୍ ଛାଡିଥିଲା। ହେଟେଲ୍ କର୍ମଚାରୀମାନେ ବି କିଛି ଜାଣି ପାରି ନଥିଲେ । ରାତି ପ୍ରାୟ ସାଢ଼େ ୮ଟା ବେଳେ କର୍ମଚାରୀ ଖାଇବା ଅର୍ଡର ନେବା ପାଇଁ ରୁମ୍କୁ ଯାଇଥିଲେ । କାବଟ ବାହାରୁ ବନ୍ଦ ଥିଲା । କର୍ମଚାରୀମାନେ ଖୋଲି ଦେଖିଥିଲେ ପାୟଲ ରକ୍ତାକ୍ତ ହୋଇ ରୁମ୍ ଭିତରେ ପଡିଛନ୍ତି । ସେମାନେ ତୁରନ୍ତ କ୍ୟାପିଟାଲ୍ ଥାନା ପୁଲିସ୍କୁ ଖବର ଦେଇଥିଲେ । ପୁଲିସ୍ ପହଞ୍ଚି ଯୁବତୀଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ନେଇଥିଲା । ସେଠାରେ ଜଣାପଡିଲା ଯେ ଯୁବତୀ ଜଣଙ୍କ ଜୀବିତ ଅଛନ୍ତି । ପ୍ରାଥମିକ ଚିକିତ୍ସା ପରେ ହସ୍ପିଟାଲ୍ କର୍ତ୍ତୃପକ୍ଷ ତାଙ୍କୁ କଟକ ମେଡିକାଲ୍କୁ ପଠାଇ ଦେଇଥିଲେ । ସେବେଠାରୁ ଯୁବତୀ ଜଣଙ୍କ କୋମାରେ ଅଛନ୍ତି । ହସ୍ପିଟାଲ୍ରେ ବେଡ୍ରେ ଜୀବନ ମରଣ ସହ ସଂର୍ଘଷ କରୁଛନ୍ତି ।
ଘଟଣାର ଦିନ କେଇଟା ପରେ ମାସେ ବିତିବ । ହେଲେ ଏପର୍ଯ୍ୟନ୍ତ ପୁଲିସ୍ ଅଭିଯୁକ୍ତ ପ୍ରିୟରଞ୍ଜନ ବିଷୟରେ କିଛି ଟେର ପାଇନାହିଁ । ଅଗଷ୍ଟ ୧୫ ତାରିଖ ଦିନ କ୍ୟାପିଟାଲ ଥାନା ଅଞ୍ଚଳରେ ୩୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଥିଲା । ଅଭିଯୁକ୍ତ ପ୍ରିୟରଞ୍ଜନ ଏତେ ବଡ଼ କାଣ୍ଡ କରି ଅତି ସହଜରେ ପଳାଇଥିଲା । ହେଲେ ପୁଲିସ୍ କିଛି ସୁରାକ ବି ପାଇଲାନାହିଁ । ଏହି ଘଟଣା ସଂପର୍କରେ ପୁଲିସ୍ କମିଶନର ଓ ଭୁବନେଶ୍ୱର ଡିସିପି ମନ୍ତବ୍ୟ ଦେବାକୁ ମନା କରିଦେଇଛନ୍ତି ।