ଭୁବନେଶ୍ୱର,୧୨/୦୫: ରାଜ୍ୟରେ ନିୟମିତ କାଳବୈଶାଖୀ ହେବ । ମାତ୍ର ବଡ଼ ଧରଣର ବର୍ଷା ସମ୍ଭାବନା ଏବେ ନାହିଁ । ଦୁଇଦିନ ପରେ(ସମ୍ଭବତଃ ୧୩ ତାରିଖରୁ) ରାଜ୍ୟରେ କ୍ରମଶଃ ତାପମାତ୍ରା ବୃଦ୍ଧି ପାଇବ । ପରବର୍ତ୍ତୀ ୫ ଦିନ ଭିତରେ ୨ରୁ ୪ ଡିଗ୍ରୀ ସେଲସିୟସ୍ ବଢ଼ିପାରେ ତାପମାତ୍ରା । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ ଦେଖାଇଛି ।

ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରର ଉତ୍ତର ଶ୍ରୀଲଙ୍କା ଉପକୂଳରେ ଏହି ଲଘୁଚାପ ଅଛି । ପରବର୍ତ୍ତୀ ୪୮ ଘଣ୍ଟା ଭିତରେ ଏହା ଘନୀଭୂତ ହୋଇପାରେ । ମାତ୍ର ଏବେଠାରୁ ଏହାର ତୀବ୍ରତା ଓ ପ୍ରଭାବ ନେଇ କିଛି ଆକଳନ କରିନାହିଁ ପାଣିପାଗ ବିଭାଗ । ଅନ୍ୟପକ୍ଷରେ ଚଳିତ ସପ୍ତାହର ଶେଷ ଆଡ଼କୁ ଦକ୍ଷିଣ ବଙ୍ଗୋପସାଗର, ଆଣ୍ଡାମାନ ସାଗର, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ମୌସୁମୀ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ରହିଛି ।

ଓଡ଼ିଶା ପାଇଁ ଜାରି ହୋଇଥିବା ଆକଳନରେ କୁହାଯାଇଛି, ଆସନ୍ତା ଦୁଇଦିନ ପରେ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବ । ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିସ୍ତୃତ ଅଞ୍ଚଳକୁ ପ୍ରଭାବିତ କରିବା ଭଳି ବଡ଼ ବର୍ଷା ନେଇ କିଛି ପୂର୍ବାନୁମାନ ନାହିଁ । ପ୍ରତିଦିନ ଅଳ୍ପ କିଛି ଜାଗାରେ କିମ୍ବା କାଁ ଭାଁ ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହୋଇପାରେ । ଏଥିରୁ ଅନୁମାନ କରାଯାଉଛି, ଲଘୁଚାପର ପ୍ରଭାବ ଓଡ଼ିଶାରେ ବିଶେଷ ପଡ଼ିବନି ।

ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବ ରହିପାରେ । ମଙ୍ଗଳବାର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରିର ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । ଏଥିମଧ୍ୟରୁ କେତେକ ସ୍ଥାନରେ ବଜ୍ରପାତ ସହ ଘଣ୍ଟା ପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ହୋଇପାରେ ।

ସୋମବାର ଅପରାହ୍ନ ୫ଟା ୩୦ ସୁଦ୍ଧା କେନ୍ଦୁଝର, ଯାଜପୁର, ଦାରିଙ୍ଗିବାଡ଼ିରେ ବର୍ଷା ରେକର୍ଡ ହୋଇଛି । କୌଣସି ସ୍ଥାନରେ ଦିନ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍ ଛୁଇଁନଥିଲା। ସମ୍ବଲପୁରରେ ସର୍ବାଧିକ ୩୯.୨ ଡିଗ୍ରୀ ସେଲସିୟସ୍, ଟିଟିଲାଗଡ଼ ୩୯, ବଲାଙ୍ଗୀର ୩୮.୯ ଡିଗ୍ରୀ ଥିବା ବେଳେ କେତେକ ସ୍ଥାନରେ ପାରଦ ୩୭-୩୮ ଡିଗ୍ରୀ ପାର୍ କରିଥିଲା । ଭୁବନେଶ୍ୱରରେ ୩୬.୬ ଡିଗ୍ରୀ ଥିବା ବେଳେ କଟକରେ ପାରଦ ୩୫ ଡିଗ୍ରୀ ଛୁଇଁଥିଲା । ଉପକୂଳ ସମେତ କେତେକ ସ୍ଥାନରେ ଗୁଳୁଗୁଳି ପ୍ରକୋପ ଅନୁଭୂତ ହୋଇଥିଲ।