ଲକ୍ଷ୍ନୌ: ଲକ୍ଷ୍ନୌରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କୁ ସୋସିଆଲ୍‌ ମିଡିଆ ମାଧ୍ୟମରେ ଫସାଇ ମାନସିକ ଓ ଶାରୀରିକ ଶୋଷଣ କରାଯାଇଥିବା ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଅଭିଯୁକ୍ତ ଯୁବକ ଆର୍ଯନ ସିଂହ ନାବାଳିକାଙ୍କୁ ଧମକ ଦେଇ ୪୫,୦୦୦ ରୁ ୫୦,୦୦୦ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ନାବାଳିକାଙ୍କ ବାପାଙ୍କ ଅଭିଯୋଗ ପରେ ନାକା ହିନ୍ଦୋଲା ପୋଲିସ୍‌ ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ଅନୁଯାୟୀ, ଆର୍ଯନ ସିଂହ ଇନଷ୍ଟାଗ୍ରାମରେ ନାବାଳିକାଙ୍କୁ ଫ୍ରେଣ୍ଡ ରିକ୍ବେଷ୍ଟ ପଠାଇ ତାଙ୍କ ସହ ବନ୍ଧୁତ୍ବ ଗଢ଼ିଥିଲେ। ପରେ ସେ ଝିଅଟିକୁ ପ୍ରତାରଣା କରି ମାନସିକ ଓ ଶାରୀରିକ ଶୋଷଣ କରିଥିଲେ। ଏହାପରେ ନାବାଳିକା ଜଣକ ଅଭିଯୁକ୍ତ ସହ ସମସ୍ତ ସମ୍ପର୍କ ଛିନ୍ନ କରିଦେଇଥିଲେ। ହେଲେ ଏତିକିରେ ଯୁବକ ଜଣକ ନଅଟକି ‘Itszoya’ ନାମକ ଏକ ନକଲି ଇନଷ୍ଟାଗ୍ରାମ ଆଇଡି ତିଆରି କରି ଝିଅଟି ସହ ପୁଣି ଥରେ ଯୋଗାଯୋଗ ରହିବାକୁ ବାଧ୍ୟ କରିଥିଲେ। ପରେ ନାବାଳିକା ଜଣଙ୍କ ତାଙ୍କ ଭଉଣୀଙ୍କୁ ଏ ସମ୍ପର୍କରେ ସମସ୍ତ କଥା କହିଥିଲେ। ହେଲେ ଅଭିଯୁକ୍ତ ଯୁବକ ଜମଙ୍କୁ ଏକଥା ଜଣାପଡିବା ପରେ ସେ ତାଙ୍କୁ ଗାଳିଗୁଲଜ କରାବା ସହ ଏହାର ଗମ୍ଭୀର ପରିଣାମ ଭୋଗିବାକୁ ଧମକ ଦେଇଥିଲା।

ନାବାଳିକାଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ, ଆର୍ଯନ ଝିଅଟିଙ୍କୁ ତାଙ୍କ ପରିବାର ଓ ଭାଇଙ୍କୁ ହତ୍ୟା କରିବାର ଧମକ ଦେଇ ୪୫,୦୦୦ ରୁ ୫୦,୦୦୦ ଟଙ୍କା ହଡ଼ପ କରିଥିଲେ। ଏହାପରେ ଗତ ଅଗଷ୍ଟ ୨୯ ତାରିଖରେ ଅଭିଯୁକ୍ତ ଏକ ବାଇକ୍‌ କିଣିବା ପାଇଁ ୫୦,୦୦୦ ଟଙ୍କା କିମ୍ବା ଅଳଙ୍କାର ଦାବି କରିଥିଲେ। ଏହି ଦାବି ପୂରଣ ନ ହେବାରୁ ସେ ନାବାଳିକାଙ୍କ ଘରେ ପହଞ୍ଚି ଧରାପଡ଼ିଯାଇଥିଲେ ଏବଂ ପରିବାର ଲୋକ ତାଙ୍କୁ ପୋଲିସ୍‌ ହାତକୁ ହସ୍ତାନ୍ତର କରିଥିଲେ।

ନାକା ହିନ୍ଦୋଲା ପୋଲିସ୍‌ ଅଭିଯୋଗ ଆଧାରରେ ଏକ ଏଫ୍‌ଆଇଆର୍‌ ରୁଜୁ କରି ଅଭିଯୁକ୍ତ ଆର୍ଯନ ସିଂହଙ୍କୁ ଗିରଫ କରିଛି। ପୋଲିସ୍‌ କହିଛି ଯେ ଅଭିଯୁକ୍ତ ବର୍ତ୍ତମାନ ହେପାଜତରେ ଅଛନ୍ତି ଏବଂ ମାମଲାର ତଦନ୍ତ ଜାରି ରହିଛି।

ଏହି ଘଟଣା ସୋସିଆଲ୍‌ ମିଡିଆରେ ଅଜଣା ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିବା ସମୟରେ ସତର୍କତା ଅବଲମ୍ବନ କରିବାର ଆବଶ୍ୟକତାକୁ ପୁଣି ଥରେ ଉଜାଗର କରିଛି। ପୋଲିସ୍‌ ଅଭିଭାବକ ଓ ନାବାଳକମାନଙ୍କୁ ସାଇବର ଅପରାଧ ସମ୍ପର୍କରେ ସଚେତନ ରହିବାକୁ ପରାମର୍ଶ ଦେଇଛି।