ଲକ୍ଷ୍ନୌ,୧୩।୩: ସାରା ଦେଶରେ ରହିଛି ହୋଲିର ଧୁମ୍। କେବଳ ଭାରତ ନୁହେଁ ଦୁନିଆରେ ଯେଉଁଠି ଭାରତୀୟମାନେ ରହିଛନ୍ତି ସେଠାରେ ଏହି ପର୍ବର ପାଳନ କରନ୍ତି। ହୋଲି କେବଳ ରଙ୍ଗର ନୁହେଁ, ଅଦ୍ଭୁତ ପରମ୍ପରା ଓ ନୂତନ ପ୍ରୟୋଗର ମଧ୍ୟ ପର୍ବ। ହୋଲିରେ ରଙ୍ଗ ଓ ପିଚ୍‌କାରୀର ସ୍ବତନ୍ତ୍ରତା ରହିଛି। ଏହା ବିନା ହୋଲି ଲାଗେ ଅଧୁରା। ମାର୍କେଟକୁ ବିଭିନ୍ନ ପ୍ରକାର ପିଚକାରୀ ଆସୁଛି। ତା ଭିତରେ କିଛି କଷ୍ଟମାଇଜଡ୍ ପିଚ୍‌କାରୀ ରହିଛି। ହେଲେ ଲକ୍ଷ୍ନୌର ଲକ୍ଷେ ଟଙ୍କିଆ ପିଚ୍‌କାରୀ ଏବେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। ସବୁଠାରୁ ବଡ଼ କଥା ହେଲ ଏହି ପିଚ୍‌କାରୀ ରୁପାରେ ତିଆରି ହୋଇଛି। ଏହାକୁ ତିଆରି କରିଛନ୍ତି ଜଣେ ସୁନା ବ୍ୟବସାୟୀ।

ଏହି ପିଚ୍‌କାରୀରେ ରହିଛି ଫୁଲ ଓ ରଙ୍ଗର ଡିଜାଇନ୍ । ଦାମ୍ ବିଷୟରେ ଯଦି କଥା ହେବା ତାହେଲେ ଏହା ୧ ଲକ୍ଷ ଟଙ୍କା ରହିଛି। ପିଚ୍‌କାରୀରେ ରଙ୍ଗ ଭରିବା ପାଇଁ ଏକ ଛୋଟିଆ ବାଲ୍‌ଟି ମଧ୍ୟ ରହିଛି।  ଭାଇରାଲ ପିଚକାରୀର ଭିଡିଓ ‘ଡିଡି ନ୍ୟୁଜ୍’ ନିଜର ଅଫିସିଆଲ ଏକ୍ସ ହାଣ୍ଡେଲରେ ସେୟାର କରିଛି। ସୋସିଆଲ ମିଡିଆରେ ଏହି ଲକ୍ଷେ ଟଙ୍କିଆ ପିଚ୍‌କାରୀ ଫଟୋ ଭିଡିଓ ଭାଇରାଲ ପରେ ଲୋକଙ୍କର ବିଭିନ୍ନ ପ୍ରକାର ମଜାଳିଆ ରିଆକ୍ସନ ଆସିଛି। ଲୋକେ କହୁଛନ୍ତି, ଏହି ପିଚ୍‌କାରୀରୁ ରଙ୍ଗ ନୁହେଁ ଟଙ୍କା ବାହାରିବା ଦରକାର। ଆଉ କେହି କେହି ଲେଖିଛନ୍ତି, ଏତେ ଦାମୀ ପିଚ୍‌କାରୀ କିଣିଦେଲି, ଏବେ ରଙ୍ଗ କିଣିବାକୁ ଟଙ୍କା ନାହିଁ।

ଏହା ପୂର୍ବରୁ ଲକ୍ଷ୍ନୌର ସୁନାର ଗୁଜିଆ ଖୁବ୍ ଚର୍ଚ୍ଚାରେ ରହିଥିଲା। ଯାହାର ଦାମ୍ ଥିଲା କେଜି ପ୍ରତି ୫୬ ହଜାର ଟଙ୍କା। କାରିଗରମାନେ ଏହାକୁ ସ୍ବତନ୍ତ୍ର ଭାବରେ ତିଆରି କରିଛନ୍ତି। ଏଥିରେ ପକାଯାଇଥିବା ଡ୍ରାଇ ଫ୍ରୁଟସ୍ ଅଫଗାନିସ୍ତାନ ଓ ଇରାନ ଭଳି ଦେଶରୁ ଆମଦାନୀ ହୋଇଛି। ଏହି ଗୁଜିଆର ପ୍ୟାକିଂ ମଧ୍ୟ ଖବ୍ ସ୍ବତନ୍ତ୍ର ଭାବରେ କରାଯାଇଛି।