ଲକ୍ଷ୍ନୌ,୧୯/୦୫: ଆଇପିଏଲ୍‌ ୨୦୨୫ର ୬୧ ତମ ମ୍ୟାଚ୍‌ ଲକ୍ଷ୍ନୌର ଶ୍ର ଅଟଳ ବିହାରୀ ବାଜପାୟୀ ଏକନା ଷ୍ଟାଡିୟମରେ ଖେଳାଯାଇଛି। ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ସନ୍‌ରାଇଜର୍ସ ହାଇଦ୍ରାବାଦ। ତେବେ ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ ହରାଇ ୨୦୫ ରନ୍‌ର ବିଶାଳ ସ୍କୋର କରିଛି। ଦଳ ପକ୍ଷରୁ ମିଚେଲ୍‌ ମାର୍ସ ଓ ଏଡେନ୍‌ ମାକ୍ରମ ଦମଦାର ଅର୍ଦ୍ଧଶତକ ହାସଲ କରିଛନ୍ତି। 

ମାର୍ସ ୩୯ ବଲ୍‌ରେ ୬ଟି ଚୌକା ଏବଂ ୪ଟି ଛକା ସହିତ ୬୫ ରନ୍‌ କରିଥିବା ବେଳେ ମାକ୍ରମ ୩୮ ବଲ୍‌ରେ ୪ ଚୌକା ଏବଂ ୪ଟି ଛକା ସହାୟତାରେ ୬୧ ରନ୍‌ର ଉପଯୋଗୀ ଇନିଂସ ଖେଳିଥିଲେ। ସେହିପରି ନିକୋଲାସ ପୁରଣ ୨୬ ବଲ୍‌ରେ ୬ଟି ଚୌକା ଏବଂ ଗୋଟିଏ ଛକା ସହାୟତାରେ ୪୫ ରନ୍‌ କରିଥିଲେ। ଦଳ ପକ୍ଷରୁ ଅନ୍ୟ କୌଣସି ଖେଳାଳି ଦୁଇ ଅଙ୍କ ମଧ୍ୟ ଛୁଇଁପାରିନଥିଲେ। ପୁଣି ଥରେ ଫ୍ଳପ୍‌ ସାବ୍ୟସ୍ତ ହୋଇଥିଲେ ଅଧିନାୟକ ଋଷଭ ପନ୍ତ। 

ହାଇଦ୍ରାବାଦ ପକ୍ଷରୁ ଇଶାନ ମାଲିଙ୍ଗା ଦୁଇଟି ଏବଂ ହର୍ଷ ଦୁବେ, ହର୍ଷଲ ପଟେଲ ଓ ନୀତିଶ ରେଡ୍ଡୀଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା। ବର୍ତ୍ତମାନ ହାଇଦ୍ରାବାଦ ଲକ୍ଷ୍ନୌ ଦେଇଥିବା ୨୦୬ ରନ୍‌ର ବିଜୟଲକ୍ଷ୍ୟ ପୂରା କରିବାକୁ ମଇଦାନକୁ ଓହ୍ଲାଇବ।