ନୂଆଦିଲ୍ଲୀ, ୮।୧୦: ବିଶ୍ୱରେ ସବୁଠାରୁ ଅଧିକ ବ୍ୟବହୃତ ପ୍ରସାଧନ ସାମଗ୍ରୀ ମଧ୍ୟରୁ ଲିପଷ୍ଟିକ ହେଉଛି ଅନ୍ୟତମ । ଆଜିକାଲି ଏଭଳି କୌଣସି ମହିଳା ନଥିବେ, ଯିଏ ଲିପଷ୍ଟିକ ଲଗାଉନଥିବେ । ଏହାର ଆକର୍ଷଣ ତଳେ ଲୁଚି ରହିଥିବା ବିପଦ ହୁଏତ ଅନେକ ଜାଣିନାହାନ୍ତି । ମହିଳାଙ୍କ ପାଇଁ ଅପରିହାର୍ଯ୍ୟ ପାଲଟିଥିବା ଏହି ସାମଗ୍ରୀରେ ଲୁଚି ରହିଛି ବିଷାକ୍ତ ପଦାର୍ଥ । ଏ ବିଷାକ୍ତ ପଦାର୍ଥ ହେଉଛି ସୀସା ଓ କ୍ୟାଡମିୟମ୍ । ନିକଟରେ ଏକ ରିପୋର୍ଟରୁ ଏଭଳି ଏକ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆସିଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଚକିତ କରିବ । ଲିପଷ୍ଟିକରେ ଥିବା ଏହି ବିଷାକ୍ତ ପଦାର୍ଥ ସୃଷ୍ଟି କରେ ଗମ୍ଭୀର ସ୍ୱାସ୍ଥ୍ୟ ସଙ୍କଟ । ଏକଥା ଆମେ କହୁନୁ ଏନେଇ ସତର୍କ କରାଇଛନ୍ତି ଇଣ୍ଟରନ୍ୟାସନାଲ ଏଜେନ୍ସି ଫର୍ ରିସର୍ଚ୍ଚ ଅନ୍ କ୍ୟାନସରର ବିଶେଷଜ୍ଞ । ଆଖିକୁ ଆକର୍ଷଣୀୟ ଦେଖାଯାଉଥିବା ଏହି ସାମଗ୍ରୀର ଦୀର୍ଘକାଳୀନ ବ୍ୟବହାର ଫୁସଫୁସ୍କୁ ପ୍ରଭାବିତ କରି କର୍କଟ ଭଳି ବିପଦର ଆଶଙ୍କା ସୃଷ୍ଟି କରେ ବୋଲି ଜଣାପଡ଼ିଛି ।
ଏ ସମ୍ପର୍କିତ ଅଧ୍ୟୟନ ଅନୁଯାୟୀ, ବଜାରରେ ଉପଲବ୍ଧ ଅନେକ ଜଣାଶୁଣା କମ୍ପାନୀର ଲିପଷ୍ଟିକରେ ସୀସା, କ୍ୟାଡମିୟମ୍, କ୍ରୋମିୟମ୍, ବେରିଲିୟମ୍ ଓ ଥାଲିୟମ୍ ଭଳି କର୍କଟ ସୃଷ୍ଟିକାରୀ ଧାତୁ ଥାଏ । ଏପରିକି ପରୀକ୍ଷଣ କରାଯାଇଥିବା ୯୬% ଲିପଷ୍ଟିକରେ ସୀସା, ୫୧%ରେ କ୍ୟାଡମିୟମ୍, ୯୦%ରେ ବେରିଲିୟମ୍ ଓ ୬୧%ରେ ଥାଲିୟମ୍ ରହିଛି । ଏହି ଧାତୁଗୁଡ଼ିକ ଚର୍ମ, ଖାଦ୍ୟଗ୍ରହଣ ବା ଶ୍ୱାସକ୍ରିୟା ମାଧ୍ୟମରେ ଶରୀରକୁ ଯାଇଥାଏ । ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ସୀସା ଏକ କର୍କଟ ସୃଷ୍ଟିକାରୀ ଧାତୁ ଓ ନ୍ୟୁରୋଟକ୍ସିନ୍ ହୋଇଥିବା ବେଳେ କ୍ୟାଡମିୟମ୍ ଏକ ଗ୍ରୁପ୍-୧ ମାନବ କର୍କଟ ରୋଗ ସୃଷ୍ଟିକାରୀ ଧାତୁ । ଦୀର୍ଘ ସମୟ ବ୍ୟବହାର କଲେ ଫୁସଫୁସ୍ ସ୍ତନ ଓ ଏଣ୍ଡୋମେଟ୍ରିଆଲ କର୍କଟ ଆଶଙ୍କା ସୃଷ୍ଟି ହୋଇଥାଏ ।
ଏହି କ୍ରମରେ କ୍ୟାଡମିୟମ୍ ଅତ୍ୟନ୍ତ କ୍ଷତିକାରକ ବୋଲି ଡାକ୍ତର ଚେତାବନୀ ଦେଇଛନ୍ତି । ଏହା କେବଳ ଫୁସଫୁସ୍ କର୍କଟ ନୁହେଁ, ବୃକକକୁ କ୍ଷତି ପହଞ୍ଚାଉଥିବା ବେଳେ ଶ୍ୱାସକ୍ରିୟାରେ ସମସ୍ୟା ସୃଷ୍ଟି କରେ । ଭାରତୀୟ ଔଷଧ ଓ ପ୍ରସାଧନ ସାମଗ୍ରୀ ଆଇନ ଏଗୁଡ଼ିକର ବ୍ୟବହାର ସୀମା ଧାର୍ଯ୍ୟ କରିଛି । ସେଥି ମଧ୍ୟରେ ୨୦ ପିପିଏମ୍ ପର୍ଯ୍ୟନ୍ତ ସୀସା ଏବଂ ୧୦୦ ପିପିଏମ୍ ପର୍ଯ୍ୟନ୍ତ ମୋଟ୍ ଭାରୀ ଧାତୁ ବ୍ୟବହାର ହୋଇପାରିବ । ତେବେ ଲିପଷ୍ଟିକ ଉତ୍ପାଦନରେ କ୍ୟାଡମିୟମ୍ ଭଳି କିଛି ଧାତୁ ପାଇଁ ସ୍ପଷ୍ଟ ଭାବେ ନିର୍ଦ୍ଦିଷ୍ଟ ସୀମା ଧାର୍ଯ୍ୟ କରାଯାଇନାହିଁ । ଏ ବାବଦରେ ତନଖି ବ୍ୟବସ୍ଥା ଅତି ଦୁର୍ବଳ ଏବଂ ନିର୍ମାତାମାନେ ପ୍ରକୃତ ସ୍ତର ପ୍ରକାଶ କରିବାକୁ ବାଧ୍ୟ ନୁହନ୍ତି । ତେଣୁ ବିଷାକ୍ତ ରାସାୟନିକ ଲିପଷ୍ଟିକ ବଦଳରେ ପ୍ରାକୃତିକ ଉପାଦାନରେ ତିଆରି ଲିପଷ୍ଟିକ ବ୍ୟବହାର କରିବା ଉତ୍କୃଷ୍ଟ ବୋଲି ଡାକ୍ତରମାନେ କହିଛନ୍ତି । ଏବେଠୁ ବଜାରରୁ ଲିପଷ୍ଟିକ କିଣିବା ବେଳେ ଏସବୁ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ । ନଚେତ୍ ଆପଣ ବି ଫୁସ୍ଫୁସ୍ କର୍କଟ ଭଳି ମାରାତ୍ମକ ରୋଗର ଶିକାର ହୋଇପାରନ୍ତି ।