ଭଞ୍ଜନଗର, ୨୩/୦୪: ଦୀର୍ଘ ୨୦୦ ବର୍ଷ ଧରି ଚାଲି ଆସୁଥିବା ଭଞ୍ଜନଗର ସହରର ଐତିହାସିକ ଠାକୁରାଣୀ ଯାତ୍ରା ଚଳିତ ମାସ ୨୬ ତାରିଖରୁ ଆରମ୍ଭ ହେଉଛି । ଏଥର ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବାକୁ ପ୍ରୟାସ ଚଳାଇଛି ଯାତ୍ରା କମିଟି । ସହରର ମୁଖ୍ୟ ରାସ୍ତାର ଗୋଟିଏ ପାଶ୍ୱର୍କୁ ଏବେ ସିଲ୍ କରି ମା’ଙ୍କ ଅସ୍ଥାୟୀ ପୂଜା ମଣ୍ଡପ ନିର୍ମାଣ କରାଯାଇଛି । ବିଭିନ୍ନ ସ୍ଥାନରେ ସୁଦୃଶ୍ୟ ତୋରଣ ନିର୍ମାଣ ମଧ୍ୟ ଦ୍ରୁତଗତିରେ ଚାଲିଛି । ପ୍ରମୁଖ କାନ୍ଥ ବାଡ଼କୁ ଚିତ୍ରିତ କରାଯାଇ ସହରକୁ ଏକ ନୂଆ ରୂପ ଦେଉଛି ପୌର ପ୍ରଶାସନ। ଶ୍ରୀକ୍ଷେତ୍ର ପୁରୀ ଢାଞ୍ଚାରେ ଗତଥର ଭଳି ଚଳିତ ଯାତ୍ରାରେ ମଧ୍ୟ ମୁଖ୍ୟ ରାସ୍ତାରୁ ମହାବୀର ଛକ ଯାଏଁ ସମ୍ପୂର୍ଣ୍ଣ ସଡ଼କରେ ସୁନ୍ଦର ଝୋଟି ଚିତା ଅଙ୍କାଯିବା କାମ ଆରମ୍ଭ କରିଦେଲେଣି ଭୁବନେଶ୍ୱରରୁ ଆସିଥିବା କଳାକାରଗଣ । ମୁଖ୍ୟ ରାସ୍ତାରେ ନୂତନ ଆଲୋକ ବ୍ୟବସ୍ଥା ସକାଶେ ପଦକ୍ଷେପ ନିଆଯାଉଛି । ପ୍ରଥମ ଥର ପାଇଁ ପୁରୁଣା ଜେଲ୍ ପରିସରକୁ ସଫା କରି ସେଠାରେ ୨୦ ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବାକୁ ପ୍ରସ୍ତୁତି ଚାଲିଛି ।

ଏଥର ଯାତ୍ରାକୁ ଅଧିକ ଆକର୍ଷଣୀୟ ଓ ଶୃଙ୍ଖଳିତ କରିବାକୁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ମଧ୍ୟ ହୋଇଯାଇଛି । ଏସ୍‌ଡ଼ିପିଓ ଡ. ଦୀପକ କୁମାର ମିଶ୍ର ଯାତ୍ରା କମିଟି ସଦସ୍ୟମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ କରିଛନ୍ତି । ଯାତ୍ରା ବେଳେ ସହରର ଟ୍ରାଫିକ୍ ନିୟନ୍ତ୍ରଣ ସହ ପାର୍କିଂ ବ୍ୟବସ୍ଥା କଡ଼ାକଡ଼ି କରିବାକୁ ତଦାରଖ କରୁଛନ୍ତି ନିଜେ ଏସ୍ଡିପିଓ । ମା’ଙ୍କ ଆଗମନୀ ଯାତ୍ରାରେ ରାଜ୍ୟ ତଥା ରାଜ୍ୟ ବାହାରର ବହୁ କଳାକାର ଅଂଶଗ୍ରହଣ କରିବେ । ଏଥିପାଇଁ ମଧ୍ୟ ସାଂସ୍କୃତିକ କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆତସବାଜି ପ୍ରଦର୍ଶନ ଯାତ୍ରାର ଅନ୍ୟତମ ଆକର୍ଷଣ । ରାଜ୍ୟ ତଥା ରାଜ୍ୟ ବାହାରୁ କେତେକ ସଂସ୍ଥା ଏଠାରେ ଆତସବାଜି ପ୍ରଦର୍ଶନ କରିବେ ।

ଅଧିକ ପଢ଼ନ୍ତୁ :-  ରତ୍ନଭଣ୍ଡାର ପ୍ରସଙ୍ଗରେ ସୋସିଆଲ ମିଡିଆ ଯୁଦ୍ଧ: ଭୋଟ୍ ପାଇବାକୁ ବିଜେପି ମିଛ ପ୍ରଚାର କରିଥିଲା, ଭୁଲ୍ ମାଗିବାକୁ ପ୍ରଣବଙ୍କ ଦାବି, ମନ୍ତ୍ରୀ କହିଲେ ପ୍ରଶ୍ନ କଲେ ବିଜେଡିକୁ ହେବ ପାରାଲିସିସ୍

ଏଥି ନିମନ୍ତେ ସ୍ୱତନ୍ତ୍ର କରିଡର୍ କରାଯାଇ ଶ୍ରଦ୍ଧାଳୁମାନେ ଯେପରି ଏହାର ଭରପୁର ମଜା ଉଠାଇ ପାରିବେ ସେଦିଗରେ ପଦକ୍ଷେପ ନିଆଯାଇଛି । ଯାତ୍ରା କମିଟି ମୁଖ୍ୟ ଉପଦେଷ୍ଟା ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ତତ୍ତ୍ୱାବଧାନରେ ଏସବୁ କାର୍ଯ୍ୟ ହେଉଥିବା ବେଳେ ସାଧାରଣ ପ୍ରଶାସନ ଓ ପୁଲିସ ବିଭାଗ ଏଦିଗରେ ଯଥେଷ୍ଟ ସହଯୋଗ କରୁଛନ୍ତି । ସୂଚନାଯୋଗ୍ୟ ଯେ ଐତିହାସିକ ଠାକୁରାଣୀ ଯାତ୍ରା ପ୍ରଥମେ ଆଦିବାସୀଙ୍କ ଦ୍ୱାରା ଆୟୋଜିତ ହେଉଥିଲା । ପରେ ଘୁମୁସରର ଅଧିଷ୍ଠାତ୍ରୀ ଦେବୀ ମା’ ବ୍ୟାଘ୍ର ଦେବୀଙ୍କୁ ଯାତ୍ରାରେ ସାମିଲ କରାଯାଇଥିଲା ଯାହା ଏବେବି ପରମ୍ପରା ଅନୁଯାୟୀ ଚାଲି ଆସୁଛି ବୋଲି ଯାତ୍ରାର ମୁଖ୍ୟ ପୁରୋଧା ତଥା ଉପଜିଲ୍ଲାପାଳ ଉମାଶଙ୍କର ବେହେରା ସୂଚନା ଦେଇଛନ୍ତି ।