ଭୁବନେଶ୍ୱର,୨୮/୦୯: ଯା ଦେବୀ  ସର୍ବଭୂତେଷୁ ଶକ୍ତି ରୂପେଣ ସଂସ୍ଥିତା... । ଜଗଜ୍ଜନନୀ  ମା’ଙ୍କ ଆବାହନ ପାଇଁ ବିଶ୍ୱବାସୀ ପ୍ରସ୍ତୁତ । ମା’  ଆସୁଛନ୍ତି ।  କିଛି ଘଣ୍ଟା ପରେ ଚଳଚଞ୍ଚଳ  ହୋଇଉଠିବ ପୂଜା ମଣ୍ଡପ । ରବିବାର ପବିତ୍ର  ଷଷ୍ଠୀରେ ବିଲ୍ୱବରଣ ସହ କଳସ ଯାତ୍ରାରୁ ଶକ୍ତି  ସ୍ୱରୂପିଣୀ ମା’ ଦୁର୍ଗାଙ୍କ ପୂଜାର ଅୟମାରମ୍ଭ ହେବ ।  ଧରଣୀପୃଷ୍ଠକୁ ମା’ଙ୍କ ଆବାହନ ପାଇଁ ଚଣ୍ଡୀପାଠ  ଓ ମନ୍ତ୍ରଧ୍ୱନିରେ ପ୍ରକମ୍ପିତ ହେବ ପୂଜାସ୍ଥଳ । ଭୁବନେଶ୍ୱରର ପ୍ରାୟ ୧୯୦ଟି ମଣ୍ଡପରେ ମା’ ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇଁ ସମସ୍ତ ପ୍ରସ୍ତୁତି ସରିଗଲାଣି । ।  

daman​​​​​​​

ସୁଉଚ୍ଚ ତୋରଣରେ ଝଟକୁଛି ପୂଜା ମଣ୍ଡପ ।  ଭଳିକି ଭଳି ରଙ୍ଗିନ ଆଲୋକ ଓ ଆକର୍ଷଣୀୟ  ଗେଟ୍‌ରେ ଝଲସୁଛି ରାଜଧାନୀର ରାସ୍ତା । ଆରମ୍ଭ  ହୋଇଯାଇଛି ଉତ୍ସବର ପରିବେଶ । ସମସ୍ତେ  ମା’ଙ୍କ ଆଗମନ ପାଇଁ ପୁଲକିତ । ଜନଗହଳିପୂର୍ଣ୍ଣ  ୧ ନମ୍ବର ହାଟରୁ ନେଇ ବିଜେବି ନଗର, ରବି  ଟକିଜ୍‌ ଛକ, ଶିଶୁପାଳଗଡ଼, ଝାରପଡ଼ା, ବମିଖାଲ,  ରସୁଲଗଡ଼ ଛକ, ସହିଦନଗର, ଆଚାର୍ଯ୍ୟବିହାର,  ଜୟଦେବ ବିହାର, ଚନ୍ଦ୍ରଶେଖରପୁର, କିଟ୍‌ ଛକ  ଏବଂ ପଟିଆରୁ ନେଇ ଘାଟିକିଆ, ନୂଆପଲ୍ଲୀ, ବରମୁଣ୍ଡା, ପାତ୍ରପଡ଼ା, ତମାଣ୍ଡୋ ସବୁଠି ମା’ ଦୁର୍ଗାଙ୍କ  ଆବାହନୀ ଉତ୍ସବ । ପୁଣି ଗଙ୍ଗନଗର, ୟୁନିଟ-୮,  ଗୋପବନ୍ଧୁ ଛକ ଓ ପୁରୁଣା ଭୁବନେଶ୍ୱର ଅଞ୍ଚଳର  ଅନେକ ସ୍ଥାନରେ ଆକର୍ଷଣୀୟ ପୂଜା ମଣ୍ଡପ। ନୂଆ  ନୂଆ ଥିମ୍‌ରେ ତୋରଣ ସାଙ୍ଗକୁ ମାଙ୍କ ପ୍ରତିମୂର୍ତ୍ତି  ନିର୍ମାଣ ହୋଇଛି । କିଏ ଦକ୍ଷିଣ ଭାରତର ସଂସ୍କୃତିକୁ  ତୋରଣରେ ଦେଖାଇଛି ତ କିଏ ମହାଭାରତ ଥିମ୍‌, ଉତ୍ତରାଖଣ୍ଡର ପର୍ବତମାଳା, ଅଯୋଧ୍ୟା ରାମମନ୍ଦିର,  ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ, ରାମୋଜି  ଫିଲ୍ମ ସିଟି ଆଧାରରେ ତୋରଣକୁ ଆକର୍ଷଣୀୟ  କରିଛନ୍ତି । ଗତକାଲି ଭୁବନେଶ୍ୱରରେ ସାମାନ୍ୟ ବର୍ଷା  ହୋଇଥିଲା । ଫଳରେ ରସୁଲଗଡ଼, କଟକ ରୋଡ୍‌,  ପୁରୁଣା ଷ୍ଟେସନ ବଜାରରେ ଥିବା ତୋରଣ ପ୍ରଭାବିତ  ହୋଇଥିଲା । ହେଲେ ଶନିବାର ଦିନତମାମ ପାଗ  ଭଲ ଥିବାରୁ ପୂଜା କମିଟି ପକ୍ଷରୁ ପୁଣିଥରେ ସାଜସଜ୍ଜା  ହୋଇଥିଲା । ଯଦି ଏମିତି ପାଗ ରହେ ଜମିଯିବ ପୂଜା ।

bomikhala​​​​​​​

ଏଥରକ ପୂଜାକୁ ଶାନ୍ତିଶୃଙ୍ଖଳାରେ  ଆୟୋଜନ କରିବାକୁ ଭୁବନେଶ୍ୱର ମହାନଗର  ନିଗମ(ବିଏମସି), କମିଶନରେଟ୍‌ ପୁଲିସ,  ଭୁବନେଶ୍ୱର ଶାନ୍ତି କମିଟି ସହ ସମସ୍ତ ପୂଜା କମିଟି ମିଳିତ ଭାବେ ପଦକ୍ଷେପ ଗ୍ରହଣ କରିଛନ୍ତି ।  ବିଶେଷକରି ମଣ୍ଡପକୁ ପ୍ଲାଷ୍ଟିକ ମୁକ୍ତ କରିବା,  ନିଶାଦ୍ରବ୍ୟ ବାରଣ ସହ ସବୁ ସ୍ଥାନରେ ସ୍ୱତନ୍ତ୍ର  ନିୟନ୍ତ୍ରଣ କକ୍ଷ ପ୍ରତିଷ୍ଠା କରାଯାଇଛି । ପୂଜା ମଣ୍ଡପରେ  ଦେବୀ ଦର୍ଶନ ଯେପରି ବ୍ୟବସ୍ଥିତ ହେବ ସେଥିପାଇଁ  ପ୍ରତି ପୂଜା କମିଟି ପକ୍ଷରୁ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ  କରାଯାଇଛି । ଭିଡ଼ ନିୟନ୍ତ୍ରଣ ପାଇଁ ପୁଲିସ ମଧ୍ୟ  ରହିବେ । ସେହିପରି କମିଟି ପକ୍ଷରୁ ପ୍ରସାଦସେବନ  ସହ ସାମାଜିକ ବାର୍ତ୍ତା ବି ମିଳିବ ।

ପ୍ରକାଶ ଥାଉକି, ରବିବାର ଷଷ୍ଠୀ ପରେ ୨୯ରେ ମହାସପ୍ତମୀ ପୂଜା  ହେବ। ୩୦ରେ ମହାଷ୍ଟମୀରେ ସନ୍ଧିପୂଜା, ୧ରେ  ମହାନବମୀ ଓ ୨ରେ ବିଜୟା ଦଶମୀରେ ଅପରାଜିତା ହୋମ ଓ ପୂଜା ସହ ଦଶହରା ସମାପନ ହେବ ।  ଏଥରକ କେତେକ ପୂଜା ମଣ୍ଡପରେ କୁମାରୀ ପୂଜା  ସହ ସିନ୍ଦୂର ଖେଳ ମଧ୍ୟ ଦେଖିବାକୁ ମିଳିବ ।