ସୃଷ୍ଟି ସର୍ଜନା ସମୟରେ ପରମାତ୍ମା  ପରମେଶ୍ୱର ତୁମର ସହାୟତାରେ ତ୍ରିଗୁଣ  ଯଥା- ସତ୍ୱ, ରଜ ଓ ତମ ଆଧାରରେ ସୃଷ୍ଟି  କରିଥିଲେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କୁ ।  ହେ ମା' ତୁମେ ବ୍ରହ୍ମାଙ୍କର ଶକ୍ତିଭାବରେ ରଜ  ଗୁଣରେ ମହାସରସ୍ୱତୀ ରୂପରେ କରିଅଛ  ସୃଷ୍ଟି ସର୍ଜନା । ସତ୍ୱ ଗୁଣରେ ବିଷ୍ଣୁଙ୍କର  ଶକ୍ତିଭାବରେ ମହାଲକ୍ଷ୍ମୀ ରୂପରେ କରୁଅଛ  ପରିପାଳନ ଏବଂ ତମ ଗୁଣରେ ସଦାଶିବଙ୍କ  ଶକ୍ତି ମହାକାଳୀ ରୂପରେ ରଚନା କର  ପ୍ରଳୟ ।

antan gopal

ସମୟର ଚକ୍ରରେ ଧରାପୃଷ୍ଠରେ ଦୃଶ୍ୟମାନ ହୁଅନ୍ତି  ଋତୁ ପରେ ଋତୁ । ନିଦାଘ ଗ୍ରୀଷ୍ମ ପରେ ଅବତରଣ  କରିଥିବା ମଙ୍ଗଳକାରୀ ବର୍ଷାଋତୁର ବିଦାୟ ମୁହୂର୍ତ୍ତ  ଉପଗତ । ବର୍ଷାର ରାଜୁତି ପରେ ଆଗମନ କରିଛି ଶୁଭ୍ର  ଶରତ । ବର୍ଷାର ଆଗମନରେ ଶୁଷ୍କ ଧରାରେ ପାଦପମାନେ  ହୋଇଛନ୍ତି ସବୁଜ ରଙ୍ଗରେ ରଙ୍ଗାୟିତ । ସବୁଜ ଦୁର୍ବାଦଳ  ରୂପକ ନରମ ଗାଲିଚାରେ ଧରାଣୀରାଣୀ ହୋଇଛି  ଆଚ୍ଛାଦିତା । ଶସ୍ୟକ୍ଷେତ୍ରମାନଙ୍କରେ ବିରାଜମାନ କରିଥିବା  ଶ୍ୟାମଳିମା ଆକର୍ଷିତ କରିଚାଲିଛି ପ୍ରକୃତିପ୍ରେମୀମାନଙ୍କ  ନୟନ ଓ ମନକୁ । ତଡ଼ାଗ, ଜଳାଶୟ, ନଦ,  ନଦୀମାନଙ୍କର ପରିପୂର୍ଣ୍ଣ ଜଳସମ୍ଭାର ପ୍ରକୃତିର ଶୋଭାକୁ  କରୁଛି ଦ୍ୱିଗୁଣିତ । ପୁଷ୍କରିଣୀମାନଙ୍କରେ ଦିବସରେ  ଦିବାକରଙ୍କ ଆଗମନରେ ପ୍ରସ୍ଫୁଟିତ କମଳ ଏବଂ  ନିଶିଥିନୀର ଆଗମନରେ ସୋମ ପ୍ରିୟତମା କୁମୁଦ  ପବନର ହିଲ୍ଲୋଳରେ ମା'ଙ୍କୁ ସ୍ୱାଗତ କରିବା  ପାଇଁ ସଦା ନୃତ୍ୟରତ । ନଦୀପଠା, ବନ୍ଧବାଡ଼ ତଥା  କ୍ଷେତମାନଙ୍କର ହୁଡ଼ାରେ କାଶତଣ୍ଡୀ ପୁଷ୍ପର ଆରମ୍ଭ  ହେଲାଣି ଚିତ୍ତାକର୍ଷକ ନୃତ୍ୟ । ମୃଦୁମନ୍ଦ ସମୀରଣରେ  ଦୋଳାୟମାନ କାଶତଣ୍ଡୀ ସତେଯେପରି ମା'ଙ୍କ  ଆଗମନରେ ଚାମର ବ୍ୟଜନ କରିବା ନିମନ୍ତେ  ସତତ ପ୍ରସ୍ତୁତ । ଶରତର ଆଗମନରେ ଘନ ବାରିଦ  ଆରମ୍ଭ କଲାଣି ଆକାଶବକ୍ଷରୁ ନେବାକୁ ମେଲାଣି ।  ନଭୋମଣ୍ଡଳରେ ଶୋଭାୟମାନ ହେଲାଣି ଶୁଭ୍ର ବଉଦର  ଚନ୍ଦ୍ରାତପ । ଜାତି ଜାତି ପୁଷ୍କର ସମ୍ଭାରରେ ପ୍ରକୃତିର  ଉଦ୍ୟାନ ପରିପୂର୍ଣ୍ଣ । ସେମାନଙ୍କ ମହକରେ ଚତୁର୍ଦ୍ଦିଗ  ହେଉଛି ମହକିତ । ଶୁଭ୍ରଶରତ ରାଜୁତିର ସମସ୍ତ  ଲକ୍ଷଣମାନ ହେଲାଣି ପରିଦୃଷ୍ଟ । ମା'ଙ୍କର ଆଗମନ  ନିମନ୍ତେ ପ୍ରକୃତିରାଣୀର ଏହି ବର୍ଣ୍ଣାଢ଼୍ୟ ରୂପସମ୍ଭାର  ପ୍ରକୃତିକୁ ପ୍ରାଣବନ୍ତ କରିବା ସହିତ ଆବାଳବୃଦ୍ଧବନିତାଙ୍କ  ଦୃଷ୍ଟିକୁ ଆକର୍ଷିତ କରିବା ସଙ୍ଗେ ସଙ୍ଗେ ହୃଦୟରେ  ପ୍ରବହମାନ କରାଉଛି ମାତୃଭକ୍ତିର ମନ୍ଦାକିନୀକୁ ।

ହେ ମା'! ତୁମକୁ ସ୍ୱାଗତ କରିବାଲାଗି  ପ୍ରକୃତିରାଣୀ ଆଜି ଅପରୂପ ଶୋଭାରେ ବିମଣ୍ଡିତା ।  ଶକ୍ତିପୀଠମାନଙ୍କରେ ଶ୍ରୋତ୍ରୀୟ ବ୍ରାହ୍ମଣମାନଙ୍କ କଣ୍ଠରୁ  ନିଃସୃତ ଓଁକାର ଧ୍ୱନି ଦୂରଦିଗବଳୟରେ ହେଉଛି  ପ୍ରତିଧ୍ୱନିତ । ପୂଜାମଣ୍ଡପମାନଙ୍କରୁ ଭାସିଆସୁଥିବା  ତୁମର ଆବାହନୀ ସଙ୍ଗୀତର ମୂର୍ଚ୍ଛନା କର୍ଣ୍ଣଗହ୍ୱରରେ  ହେଲାଣି ଗୁଞ୍ଜରିତ । ପକ୍ଷୀର କୂଜନ ଓ ଭ୍ରମର  ଗୁଞ୍ଜନର ସାହାନାଇ ବାଜିଉଠିଲାଣି ତୁମର ଶୁଭାଗମନ  ନିମନ୍ତେ । ପୂଜାମଣ୍ଡପମାନଙ୍କରେ ତୁମର ମୃଣ୍ମୟୀ ପ୍ରତିମା  ହେଲେଣି ସ୍ଥାପିତ । ପ୍ରାଣପ୍ରତିଷ୍ଠା ନିମନ୍ତେ ବ୍ରହ୍ମଣମାନେ  ହେଲେଣି ତତ୍ପର । ଶକ୍ତିପୀଠ ତଥା ପୂଜାମଣ୍ଡପରେ  ବାଜିଉଠିଲାଣି ଘଣ୍ଟ, ଘଣ୍ଟା, ମୃଦଙ୍ଗ ଓ ବିଜେକାହାଳୀ ।  ଶୁଭଶଙ୍ଖ ଧ୍ୱନିରେ ନିନାଦିତ ଚତୁର୍ଦ୍ଦିଗ । ହେ ମା' ଦେବୀ  ଦୟାମୟୀ! ଆଉ ବିଳମ୍ବ କରନାହିଁ । ସନ୍ତାନକୁ ଦିଅ  ଦର୍ଶନ । ଦୀର୍ଘଦିନ ପ୍ରତୀକ୍ଷାର ହେଉ ଅବସାନ । ଭକ୍ତ ଓ  ଆଶ୍ରିତ ଚର୍ମନେତ୍ରରେ ତୁମର ସେ ଅପରୂପ ଶୋଭାକୁ  ଦର୍ଶନ କରି ହେବେ କୃତାର୍ଥ । ସନ୍ତାନବତ୍ସଳା ହେ  ମା'! ଥରେ କୃପାବହି ସନ୍ତାନର ଆକୁଳ ନିବେଦନକୁ  ଘେନାକରି ବିଜେ ହୁଅ ପୂଜାମଣ୍ଡପରେ ।

ଯୁଗେ ଯୁଗେ ଦେବ, ଦାନବ ଓ ମାନବ ତୁମର  କୃପାଭିକ୍ଷା କରି ହୋଇଛନ୍ତି ଶରଣାପନ୍ନ । ହେ ମା'  ତୁମେ ସଦାକାଳେ ଦୟାଶୀଳା । ସନ୍ତାନ ଦୁଃଖରେ ତୁମେ  ହୋଇଥାଅ ଦୁଃଖୀ। ସହ୍ୟକରିପାରନା ତାର ଅନ୍ତରର  ବେଦନାକୁ । ଆଶ୍ରିତର ଆକୁଳ ପ୍ରାର୍ଥନାକୁ ଅଙ୍ଗୀକାର  କରି ତା'ର ସମ୍ମୁଖରେ ହୋଇଥାଅ ପ୍ରକଟ । ଅରାତିର  କରିଥାଅ ବିନାଶ । ଅଶାନ୍ତିର ବହ୍ନିକୁ କରିଦିଅ ନିର୍ବାପିତ ।  ସନ୍ତାନର ସନ୍ତାପିତ ହୃଦୟରେ ପ୍ରବହମାନ କରାଇଥାଅ  ସାନ୍ତ୍ୱନାର ସ୍ରୋତସ୍ୱିନୀ । ପଣତକାନିରେ ପୋଛିଦିଅ  ତାର ନୟନଯୁଗଳରୁ ବିଗଳିତ ଅଶ୍ରୁଧାର । ତାର ବିଷଣ୍ଣ  ବଦନରେ ଆଙ୍କିଦିଅ ପ୍ରସନ୍ନତାର ଇନ୍ଦ୍ରଧନୁ । ସନ୍ତାନ  ପାଇଁ ତୁମେ ଆଶାର ଅନିର୍ବାଣ ଦୀପଶିଖା । ତୁମେ ମା'  ବିଶ୍ୱାସର ବତିଘର ଓ ଭରସାର ସ୍ୱର୍ଗପୁର । ତୁମର  ଅଭୟପଦପଙ୍କଜକୁ ଆଶ୍ରାକରି ସନ୍ତାନ ତାର ଦିନକାଳ  କରେ ଅତିବାହିତ । ହେ କୃପାମୟୀ ସେହି ସନ୍ତାନ ଆଜି  ନିର୍ନିମେଷ ନୟନରେ ଚାହିଁ ରହିଛି ତୁମର ଆଗମନକୁ ।  ବିଳମ୍ବ କରନାହିଁ । ମା' ତୁମର ଦିବ୍ୟସ୍ୱରୂପ ସନ୍ଦର୍ଶନରେ  ଆବାଳବୃଦ୍ଧବନିତାଙ୍କର ତନୁ ହେଉ ରୋମାଞ୍ଚିତ ଓ ମନ  ହେଉ ପୁଲକିତ । ସଭିଙ୍କର ଅବନତ ମଥା ଉପରେ  ବରଷିଯାଉ ତୁମ କୃପାର ବାରିଧାରା ।

ସୃଷ୍ଟି ସର୍ଜନା ସମୟରେ ପରମାତ୍ମା ପରମେଶ୍ୱର  ତୁମର ସହାୟତାରେ ତ୍ରିଗୁଣ ଯଥା- ସତ୍ୱ, ରଜ ଓ ତମ  ଆଧାରରେ ସୃଷ୍ଟି କରିଥିଲେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କୁ ।  ହେ ମା' ତୁମେ ବ୍ରହ୍ମାଙ୍କର ଶକ୍ତିଭାବରେ ରଜ ଗୁଣରେ  ମହାସରସ୍ୱତୀ ରୂପରେ କରିଅଛ ସୃଷ୍ଟି ସର୍ଜନା । ସତ୍ୱ  ଗୁଣରେ ବିଷ୍ଣୁଙ୍କର ଶକ୍ତିଭାବରେ ମହାଲକ୍ଷ୍ମୀ ରୂପରେ  କରୁଅଛ ପରିପାଳନ ଏବଂ ତମ ଗୁଣରେ ସଦାଶିବଙ୍କ  ଶକ୍ତି ମହାକାଳୀ ରୂପରେ ରଚନା କର ପ୍ରଳୟ । ତୁମର  ମହିମା ଦେବୀ ଭାଗବତରେ ହୋଇଛି ବର୍ଣ୍ଣିତ । ଯଥା-  "ଶକ୍ତି କରୋତି ବ୍ରହ୍ମାଣ୍ଡଂ ସା ବୈ ପାଳୟତେଦଖିଳଂ,  ଇଛୟା ସଂହରତ୍ୟେଷା ଜଗଦେତତ୍‌ ଚରାଚରମ' । ଯୁଗ  ଯୁଗ ଧରି ନିଜର ଅଭୀଷ୍ଟ ସିଦ୍ଧି ନିମନ୍ତେ ସୁର, ନର ଓ  ଅସୁରଗଣ ତୁମର ବିଭିନ୍ନ ରୂପର କରିଥାନ୍ତି ଉପାସନା ।  କାଳିକା ପୁରାଣ, ଶିବ ପୁରାଣ, ବ୍ରହ୍ମବୈବର୍ତ୍ତ ପୁରାଣ,  ମାର୍କଣ୍ଡେୟ ପୁରାଣ, ଦେବୀ ଭାଗବତ ଓ ସପ୍ତସତୀ ଚଣ୍ଡୀ  ଆଦିରେ ତୁମର ବିଭିନ୍ନ ନାମ ଓ ଉପାସନାର ପଦ୍ଧତି  ହୋଇଛି ଲିପିବଦ୍ଧ । ସାଧକ ତଥା ଉପାସକଗଣ ନିମ୍ନ  ପ୍ରଦତ୍ତ ତୁମର ବିଭିନ୍ନ ସ୍ୱରୂପକୁ ଉପାସନା କରି ସିଦ୍ଧିଲାଭ  କରିଥାନ୍ତି । ସୃଷ୍ଟି ସର୍ଜନା ସମୟରୁ ଅଦ୍ୟାବଧି  ସିଦ୍ଧସାଧକ, ଆଶ୍ରିତ ତଥା ଉପାସକଗଣ ତୁମର  ଏକାଧିକ ସ୍ୱରୂପକୁ ଉପାସନାପୂର୍ବକ ପାଦତଳେ  ଅର୍ପଣ କରିଥାନ୍ତି ଭକ୍ତିପୂତ ପ୍ରଣତି ।  

ହେ ମା'! ସୃଷ୍ଟି ସର୍ଜନା ସମୟରେ ତୁମେ ଏକ  ସ୍ୱରୂପରେ ଆଦ୍ୟାଶକ୍ତି ଭାବେ ହୋଇଥିଲ ପ୍ରକଟିତା ।  ଦୁଇଟି ଶକ୍ତି ଭାବରେ ଧନର ଦାତ୍ରୀ ଲକ୍ଷ୍ମୀ ଏବଂ  ବିଦ୍ୟାପ୍ରଦାୟିନୀ ସରସ୍ୱତୀ ରୂପେ ଭଗବାନ ବିଷ୍ଣୁଙ୍କୁ  ପତିରୂପେ କରିଅଛ ବରଣ । ତ୍ରିଶକ୍ତି ଯଥା- ସତ୍ୱ  ଗୁଣରେ ବ୍ରହ୍ମାଙ୍କ ଅଂଶରେ ମହାସରସ୍ୱତୀ, ରଜ ଗୁଣରେ  ବିଷ୍ଣୁଙ୍କ ଅଂଶରେ ମହାଲକ୍ଷ୍ମୀ ଏବଂ ତମ ଗୁଣରେ ଶିବଙ୍କ  ଅଂଶରେ ମହାକାଳୀ ରୂପେ ସୃଷ୍ଟି ସର୍ଜନା, ପରିପାଳନ  ଏବଂ ବିଲୟର ହୋଇଅଛ କାରଣ । ଚତୁର୍ଥରେ  ଚାରିଗୋଟି ଶକ୍ତି ଯଥା- "ଭୋଗେ ଭବାନୀ, ପୁରୁଷେ  ତୁ ଲକ୍ଷ୍ମୀ, କୋପେ ତୁ ଦୁର୍ଗା ଓ ପ୍ରଳୟେ ତୁ କାଳୀ'  ଭାବେ ମା' ତୁମେ ହେଉଅଛ ଅଭିହିତା । ପଞ୍ଚମରେ  ପାଞ୍ଚ ସ୍ୱରୂପରେ ଯଥା- ସରସ୍ୱତୀ, ଉମା, ଲକ୍ଷ୍ମୀ,  ଜଗଦ୍ଧାତ୍ରୀ ଓ ସାବିତ୍ରୀ ଭାବରେ ରତି ଓ କାମଦେବଙ୍କ  ସହିତ ବାଉଁଶଖଣ୍ଡର ସପ୍ତ ରନ୍ଧ୍ରରେ ଅବସ୍ଥାପିତ ହୋଇ  ତାକୁ ମୋହନବଂଶୀରେ କରିଅଛ ପରିଣତ, ଯାହା  ଗୋପାଳତାପିନି ଉପନିଷଦରେ ହୋଇଛି ବର୍ଣ୍ଣିତ ।  

ଷଡ଼ମାତୃକା ଅର୍ଥାତ୍‌-ବ୍ରାହ୍ମୀ, ମାହେଶ୍ୱରୀ, କୌମାରୀ,  ବାରାହୀ, ଇନ୍ଦ୍ରାଣୀ, ଓ ଚାମୁଣ୍ଡା ରୂପରେ ତୁମେ ଶାକ୍ତ  ସମ୍ପ୍ରଦାୟର ଉପାସକମାନଙ୍କ ଦ୍ୱାରା ହୁଅ ଉପାସିତା ।  ପୁନଶ୍ଚ ଶାକ୍ତ ପରମ୍ପରାରେ ସପ୍ତମାତୃକା ଅର୍ଥାତ୍‌  ଷଡ଼ମାତୃକାଙ୍କ ସହିତ ବୈଷ୍ଣବୀ ରୂପରେ ତୁମେ  ହୋଇଥାଅ ଆରାଧିତା । ତୁମେ ଅଷ୍ଟମାତୃଶକ୍ତି ଭାବେ  ଯଥା- ବିମଳା, ମଙ୍ଗଳା, ସର୍ବମଙ୍ଗଳା, ଅର୍ଦ୍ଧାଶନୀ,  ମରୀଚିକା, ଚଣ୍ଡରୂପା, ଆଲମ୍ବା ଓ କାଳରାତ୍ରୀ ରୂପରେ  ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରକୁ ସୁରକ୍ଷା କରୁଅଛ ପ୍ରଦାନ ।  ନବଦୁର୍ଗା ରୂପେ ଅର୍ଥାତ୍‌- ଶୈଳପୁତ୍ରୀ, ବ୍ରହ୍ମଚାରିଣୀ,  ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟାୟନୀ, କାଳରାତ୍ରୀ,  ମହାଗୌରୀ ଓ ସିଦ୍ଧିଦାତ୍ରୀ ଭାବରେ ବାସନ୍ତୀକ ଓ  ଶାରଦୀୟ ଦୁର୍ଗୋତ୍ସବରେ ତୁମେ ସାଧକ, ଆଶ୍ରିତ ତଥା  ଭକ୍ତମାନଙ୍କ ଦ୍ୱାରା ହୁଅ ପୂଜିତା । ଦଶମହାବିଦ୍ୟା ଯଥାକାଳୀ, ତାରା, ଷୋଡ଼ଶୀ, ଭୁବନେଶ୍ୱରୀ, ଭୈରବୀ,  ଛିନ୍ନମସ୍ତା, ଧୂମାବତୀ, ବଗଳା, ମାତଙ୍ଗୀ ଓ କମଳା  ରୂପେ ସେଦିନ ଦେବଦେବ ମହାଦେବଙ୍କ ଚତୁଃପାଶ୍ୱର୍ରେ  ହୋଇଥିଲ ପ୍ରକଟିତା । ସାଧକ ଏହି ଦଶମହାବିଦ୍ୟାଙ୍କୁ  ସାଧନା ବଳରେ ସନ୍ତୁଷ୍ଟ କରି ନିଜର କାମନା କରିଥାଏ  ପୂରଣ । ଏହି ସ୍ୱରୂପମାନଙ୍କ ସହିତ ମା' ତୁମେ ଷୋଡ଼ଶ  ମାତୃକା, ଅଷ୍ଟାଦଶ ମାତୃକା, ସପ୍ତବିଂଶତି ମାତୃକା ଭାବରେ  ମଧ୍ୟ ଭକ୍ତ, ଆଶ୍ରିତ, ସାଧକ ତଥା ଉପାସକମାନଙ୍କ ଦ୍ୱାରା  ଆରାଧିତା ହୋଇ ପ୍ରଦାନ କରଥାଅ ସିଦ୍ଧି ।

ଯୁଗେ ଯୁଗେ ହେ ମା'! ଭକ୍ତର ଆକୁଳ ପ୍ରାର୍ଥନାକୁ  ଅଙ୍ଗୀକାରପୂର୍ବକ ତାର ବିପଦ କରିଅଛ ହରଣ ।  ସତ୍ୟଯୁଗରେ ସମାଧି ବୈଶ୍ୟ ଓ ରାଜା ସୁରଥଙ୍କର ଦୁଃଖ  କରିଛ ମୋଚନ। ସିଂହବାହିନୀ ଦୁର୍ଗା ରୂପରେ ଦେବତାଙ୍କ  ଶତ୍ରୁ ମହିଷାସୁରକୁ କରିଅଛ ନିଧନ । ତ୍ରେତୟାରେ ପ୍ରଭୁ  ଶ୍ରୀରାମଚନ୍ଦ୍ରଙ୍କ ସ୍ତୁତିରେ ସନ୍ତୁଷ୍ଟ ହୋଇ ରାବଣ ବିନାଶ  ନିମନ୍ତେ ଆଶିଷ କରିଛ ବର୍ଷଣ । ଦ୍ୱାପରରେ ଦେବକୀଙ୍କ  ସପ୍ତମ ଗର୍ଭକୁ ସ୍ଥାନାନ୍ତର ସହିତ ଯଶୋଦା ତନୟା ରୂପେ  ଜନ୍ମନେଇ କଂସକୁ ତାର ମରଣର କାରଣ ସମ୍ପର୍କରେ  କରିଅଛ ସଚେତନ । ବାଣାସୁର ପ୍ରତି ଦୟାବହି ତାର  ସହସ୍ରଭୁଜ ଛେଦନ ସମୟରେ ଚାରିଭୁଜକୁ ଛେଦନ  ନକରିବା ପାଇଁ ଶ୍ରୀକୃଷ୍ଣଙ୍କୁ କରିଅଛ ନିବେଦନ ।  କଳିଯୁଗରେ ରାମକୃଷ୍ଣ ପରମହଂସଙ୍କୁ ଦକ୍ଷିଣକାଳୀ  ସ୍ୱରୂପରେ ଦେଇଅଛ ଦର୍ଶନ । ବଳଦେବ ରଥଙ୍କୁ କ୍ଷୀର  ପ୍ରଦାନ କରି କବିତ୍ୱର କରାଇଛ ସ୍ଫୁରଣ । ବ୍ୟାଘ୍ରଦେବୀ  ଭାବେ ଉପେନ୍ଦ୍ରଙ୍କ ଆରାଧନାରେ ସନ୍ତୁଷ୍ଟ ହୋଇ ତାଙ୍କୁ  ଶବ୍ଦସିନ୍ଧୁ ଲଂଘନ କରିବାର କ୍ଷମତା କରିଛ ପ୍ରଦାନ ।

ହେ ଜଗଜ୍ଜନନୀ! ଆଜି ତୁମ ସୃଷ୍ଟିରେ ଏକାଧିକ  ରାବଣ, କଂସମାନଙ୍କ ତ୍ରାସରେ ତ୍ରାହି ତ୍ରାହି ଡାକୁଛନ୍ତି  ସନ୍ତାନଗଣ । କମାଣର ଗର୍ଜନ ଓ କ୍ଷେପଣାସ୍ତ୍ରର  ବିସ୍ଫୋରଣରେ ଥରିଉଠୁଛି ମେଦିନୀ । ଫଳସ୍ୱରୂପ  ମୃତ୍ୟୁର କରାଳଗର୍ଭରେ ଲୀନ ହେଉଛି ଲକ୍ଷ ଲକ୍ଷ  ନିରୀହ ଜୀବନ । ଏଭଳି ଦୁର୍ଦ୍ଦିନରେ ତୁମେ ବିଜେହୁଅ  ସିଂହବାହିନୀ ରୂପରେ, ଦଶଭୁଜରେ ଦଶ ପ୍ରହରଣ  ଧାରଣପୂର୍ବକ ଦୁର୍ଗତିନାଶିନୀ ଭାବରେ । ଆଉ ବିଳମ୍ବ  କରନାହିଁ ମା' । ଅହଙ୍କାରୀର ଦର୍ପ କର ବିନାଶ ।  ମାନବବାଦର ଉଲଙ୍ଘନକାରୀକୁ ଦିଅ ଶାସ୍ତି । ଶାନ୍ତିର  କପୋତ ଉଡିବୁଲୁ ଚତୁର୍ଦ୍ଦିଗରେ । ସତ୍ୟ, ଶାନ୍ତି ଓ  ସଂହତିର ବାର୍ତ୍ତା ଗୁଞ୍ଜରିତ ହେଉ ସବୁରି କର୍ଣ୍ଣଗହ୍ୱରରେ ।  ବସୁଧୈବ କୁଟୁମ୍ବକମ୍‌ ମନ୍ତ୍ରରେ ସଭିଏଁ ହୁଅନ୍ତୁ ଦୀକ୍ଷିତ ।  ତୁମ ନାମ, ଗୁଣ, ଯଶ ଗାନରେ ଜଳ, ସ୍ଥଳ ଓ  ନଭୋମଣ୍ଡଳ ହେଉ ମୁଖରିତ ।