ସୃଷ୍ଟି ସର୍ଜନା ସମୟରେ ପରମାତ୍ମା ପରମେଶ୍ୱର ତୁମର ସହାୟତାରେ ତ୍ରିଗୁଣ ଯଥା- ସତ୍ୱ, ରଜ ଓ ତମ ଆଧାରରେ ସୃଷ୍ଟି କରିଥିଲେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କୁ । ହେ ମା' ତୁମେ ବ୍ରହ୍ମାଙ୍କର ଶକ୍ତିଭାବରେ ରଜ ଗୁଣରେ ମହାସରସ୍ୱତୀ ରୂପରେ କରିଅଛ ସୃଷ୍ଟି ସର୍ଜନା । ସତ୍ୱ ଗୁଣରେ ବିଷ୍ଣୁଙ୍କର ଶକ୍ତିଭାବରେ ମହାଲକ୍ଷ୍ମୀ ରୂପରେ କରୁଅଛ ପରିପାଳନ ଏବଂ ତମ ଗୁଣରେ ସଦାଶିବଙ୍କ ଶକ୍ତି ମହାକାଳୀ ରୂପରେ ରଚନା କର ପ୍ରଳୟ ।

ସମୟର ଚକ୍ରରେ ଧରାପୃଷ୍ଠରେ ଦୃଶ୍ୟମାନ ହୁଅନ୍ତି ଋତୁ ପରେ ଋତୁ । ନିଦାଘ ଗ୍ରୀଷ୍ମ ପରେ ଅବତରଣ କରିଥିବା ମଙ୍ଗଳକାରୀ ବର୍ଷାଋତୁର ବିଦାୟ ମୁହୂର୍ତ୍ତ ଉପଗତ । ବର୍ଷାର ରାଜୁତି ପରେ ଆଗମନ କରିଛି ଶୁଭ୍ର ଶରତ । ବର୍ଷାର ଆଗମନରେ ଶୁଷ୍କ ଧରାରେ ପାଦପମାନେ ହୋଇଛନ୍ତି ସବୁଜ ରଙ୍ଗରେ ରଙ୍ଗାୟିତ । ସବୁଜ ଦୁର୍ବାଦଳ ରୂପକ ନରମ ଗାଲିଚାରେ ଧରାଣୀରାଣୀ ହୋଇଛି ଆଚ୍ଛାଦିତା । ଶସ୍ୟକ୍ଷେତ୍ରମାନଙ୍କରେ ବିରାଜମାନ କରିଥିବା ଶ୍ୟାମଳିମା ଆକର୍ଷିତ କରିଚାଲିଛି ପ୍ରକୃତିପ୍ରେମୀମାନଙ୍କ ନୟନ ଓ ମନକୁ । ତଡ଼ାଗ, ଜଳାଶୟ, ନଦ, ନଦୀମାନଙ୍କର ପରିପୂର୍ଣ୍ଣ ଜଳସମ୍ଭାର ପ୍ରକୃତିର ଶୋଭାକୁ କରୁଛି ଦ୍ୱିଗୁଣିତ । ପୁଷ୍କରିଣୀମାନଙ୍କରେ ଦିବସରେ ଦିବାକରଙ୍କ ଆଗମନରେ ପ୍ରସ୍ଫୁଟିତ କମଳ ଏବଂ ନିଶିଥିନୀର ଆଗମନରେ ସୋମ ପ୍ରିୟତମା କୁମୁଦ ପବନର ହିଲ୍ଲୋଳରେ ମା'ଙ୍କୁ ସ୍ୱାଗତ କରିବା ପାଇଁ ସଦା ନୃତ୍ୟରତ । ନଦୀପଠା, ବନ୍ଧବାଡ଼ ତଥା କ୍ଷେତମାନଙ୍କର ହୁଡ଼ାରେ କାଶତଣ୍ଡୀ ପୁଷ୍ପର ଆରମ୍ଭ ହେଲାଣି ଚିତ୍ତାକର୍ଷକ ନୃତ୍ୟ । ମୃଦୁମନ୍ଦ ସମୀରଣରେ ଦୋଳାୟମାନ କାଶତଣ୍ଡୀ ସତେଯେପରି ମା'ଙ୍କ ଆଗମନରେ ଚାମର ବ୍ୟଜନ କରିବା ନିମନ୍ତେ ସତତ ପ୍ରସ୍ତୁତ । ଶରତର ଆଗମନରେ ଘନ ବାରିଦ ଆରମ୍ଭ କଲାଣି ଆକାଶବକ୍ଷରୁ ନେବାକୁ ମେଲାଣି । ନଭୋମଣ୍ଡଳରେ ଶୋଭାୟମାନ ହେଲାଣି ଶୁଭ୍ର ବଉଦର ଚନ୍ଦ୍ରାତପ । ଜାତି ଜାତି ପୁଷ୍କର ସମ୍ଭାରରେ ପ୍ରକୃତିର ଉଦ୍ୟାନ ପରିପୂର୍ଣ୍ଣ । ସେମାନଙ୍କ ମହକରେ ଚତୁର୍ଦ୍ଦିଗ ହେଉଛି ମହକିତ । ଶୁଭ୍ରଶରତ ରାଜୁତିର ସମସ୍ତ ଲକ୍ଷଣମାନ ହେଲାଣି ପରିଦୃଷ୍ଟ । ମା'ଙ୍କର ଆଗମନ ନିମନ୍ତେ ପ୍ରକୃତିରାଣୀର ଏହି ବର୍ଣ୍ଣାଢ଼୍ୟ ରୂପସମ୍ଭାର ପ୍ରକୃତିକୁ ପ୍ରାଣବନ୍ତ କରିବା ସହିତ ଆବାଳବୃଦ୍ଧବନିତାଙ୍କ ଦୃଷ୍ଟିକୁ ଆକର୍ଷିତ କରିବା ସଙ୍ଗେ ସଙ୍ଗେ ହୃଦୟରେ ପ୍ରବହମାନ କରାଉଛି ମାତୃଭକ୍ତିର ମନ୍ଦାକିନୀକୁ ।
ହେ ମା'! ତୁମକୁ ସ୍ୱାଗତ କରିବାଲାଗି ପ୍ରକୃତିରାଣୀ ଆଜି ଅପରୂପ ଶୋଭାରେ ବିମଣ୍ଡିତା । ଶକ୍ତିପୀଠମାନଙ୍କରେ ଶ୍ରୋତ୍ରୀୟ ବ୍ରାହ୍ମଣମାନଙ୍କ କଣ୍ଠରୁ ନିଃସୃତ ଓଁକାର ଧ୍ୱନି ଦୂରଦିଗବଳୟରେ ହେଉଛି ପ୍ରତିଧ୍ୱନିତ । ପୂଜାମଣ୍ଡପମାନଙ୍କରୁ ଭାସିଆସୁଥିବା ତୁମର ଆବାହନୀ ସଙ୍ଗୀତର ମୂର୍ଚ୍ଛନା କର୍ଣ୍ଣଗହ୍ୱରରେ ହେଲାଣି ଗୁଞ୍ଜରିତ । ପକ୍ଷୀର କୂଜନ ଓ ଭ୍ରମର ଗୁଞ୍ଜନର ସାହାନାଇ ବାଜିଉଠିଲାଣି ତୁମର ଶୁଭାଗମନ ନିମନ୍ତେ । ପୂଜାମଣ୍ଡପମାନଙ୍କରେ ତୁମର ମୃଣ୍ମୟୀ ପ୍ରତିମା ହେଲେଣି ସ୍ଥାପିତ । ପ୍ରାଣପ୍ରତିଷ୍ଠା ନିମନ୍ତେ ବ୍ରହ୍ମଣମାନେ ହେଲେଣି ତତ୍ପର । ଶକ୍ତିପୀଠ ତଥା ପୂଜାମଣ୍ଡପରେ ବାଜିଉଠିଲାଣି ଘଣ୍ଟ, ଘଣ୍ଟା, ମୃଦଙ୍ଗ ଓ ବିଜେକାହାଳୀ । ଶୁଭଶଙ୍ଖ ଧ୍ୱନିରେ ନିନାଦିତ ଚତୁର୍ଦ୍ଦିଗ । ହେ ମା' ଦେବୀ ଦୟାମୟୀ! ଆଉ ବିଳମ୍ବ କରନାହିଁ । ସନ୍ତାନକୁ ଦିଅ ଦର୍ଶନ । ଦୀର୍ଘଦିନ ପ୍ରତୀକ୍ଷାର ହେଉ ଅବସାନ । ଭକ୍ତ ଓ ଆଶ୍ରିତ ଚର୍ମନେତ୍ରରେ ତୁମର ସେ ଅପରୂପ ଶୋଭାକୁ ଦର୍ଶନ କରି ହେବେ କୃତାର୍ଥ । ସନ୍ତାନବତ୍ସଳା ହେ ମା'! ଥରେ କୃପାବହି ସନ୍ତାନର ଆକୁଳ ନିବେଦନକୁ ଘେନାକରି ବିଜେ ହୁଅ ପୂଜାମଣ୍ଡପରେ ।
ଯୁଗେ ଯୁଗେ ଦେବ, ଦାନବ ଓ ମାନବ ତୁମର କୃପାଭିକ୍ଷା କରି ହୋଇଛନ୍ତି ଶରଣାପନ୍ନ । ହେ ମା' ତୁମେ ସଦାକାଳେ ଦୟାଶୀଳା । ସନ୍ତାନ ଦୁଃଖରେ ତୁମେ ହୋଇଥାଅ ଦୁଃଖୀ। ସହ୍ୟକରିପାରନା ତାର ଅନ୍ତରର ବେଦନାକୁ । ଆଶ୍ରିତର ଆକୁଳ ପ୍ରାର୍ଥନାକୁ ଅଙ୍ଗୀକାର କରି ତା'ର ସମ୍ମୁଖରେ ହୋଇଥାଅ ପ୍ରକଟ । ଅରାତିର କରିଥାଅ ବିନାଶ । ଅଶାନ୍ତିର ବହ୍ନିକୁ କରିଦିଅ ନିର୍ବାପିତ । ସନ୍ତାନର ସନ୍ତାପିତ ହୃଦୟରେ ପ୍ରବହମାନ କରାଇଥାଅ ସାନ୍ତ୍ୱନାର ସ୍ରୋତସ୍ୱିନୀ । ପଣତକାନିରେ ପୋଛିଦିଅ ତାର ନୟନଯୁଗଳରୁ ବିଗଳିତ ଅଶ୍ରୁଧାର । ତାର ବିଷଣ୍ଣ ବଦନରେ ଆଙ୍କିଦିଅ ପ୍ରସନ୍ନତାର ଇନ୍ଦ୍ରଧନୁ । ସନ୍ତାନ ପାଇଁ ତୁମେ ଆଶାର ଅନିର୍ବାଣ ଦୀପଶିଖା । ତୁମେ ମା' ବିଶ୍ୱାସର ବତିଘର ଓ ଭରସାର ସ୍ୱର୍ଗପୁର । ତୁମର ଅଭୟପଦପଙ୍କଜକୁ ଆଶ୍ରାକରି ସନ୍ତାନ ତାର ଦିନକାଳ କରେ ଅତିବାହିତ । ହେ କୃପାମୟୀ ସେହି ସନ୍ତାନ ଆଜି ନିର୍ନିମେଷ ନୟନରେ ଚାହିଁ ରହିଛି ତୁମର ଆଗମନକୁ । ବିଳମ୍ବ କରନାହିଁ । ମା' ତୁମର ଦିବ୍ୟସ୍ୱରୂପ ସନ୍ଦର୍ଶନରେ ଆବାଳବୃଦ୍ଧବନିତାଙ୍କର ତନୁ ହେଉ ରୋମାଞ୍ଚିତ ଓ ମନ ହେଉ ପୁଲକିତ । ସଭିଙ୍କର ଅବନତ ମଥା ଉପରେ ବରଷିଯାଉ ତୁମ କୃପାର ବାରିଧାରା ।
ସୃଷ୍ଟି ସର୍ଜନା ସମୟରେ ପରମାତ୍ମା ପରମେଶ୍ୱର ତୁମର ସହାୟତାରେ ତ୍ରିଗୁଣ ଯଥା- ସତ୍ୱ, ରଜ ଓ ତମ ଆଧାରରେ ସୃଷ୍ଟି କରିଥିଲେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କୁ । ହେ ମା' ତୁମେ ବ୍ରହ୍ମାଙ୍କର ଶକ୍ତିଭାବରେ ରଜ ଗୁଣରେ ମହାସରସ୍ୱତୀ ରୂପରେ କରିଅଛ ସୃଷ୍ଟି ସର୍ଜନା । ସତ୍ୱ ଗୁଣରେ ବିଷ୍ଣୁଙ୍କର ଶକ୍ତିଭାବରେ ମହାଲକ୍ଷ୍ମୀ ରୂପରେ କରୁଅଛ ପରିପାଳନ ଏବଂ ତମ ଗୁଣରେ ସଦାଶିବଙ୍କ ଶକ୍ତି ମହାକାଳୀ ରୂପରେ ରଚନା କର ପ୍ରଳୟ । ତୁମର ମହିମା ଦେବୀ ଭାଗବତରେ ହୋଇଛି ବର୍ଣ୍ଣିତ । ଯଥା- "ଶକ୍ତି କରୋତି ବ୍ରହ୍ମାଣ୍ଡଂ ସା ବୈ ପାଳୟତେଦଖିଳଂ, ଇଛୟା ସଂହରତ୍ୟେଷା ଜଗଦେତତ୍ ଚରାଚରମ' । ଯୁଗ ଯୁଗ ଧରି ନିଜର ଅଭୀଷ୍ଟ ସିଦ୍ଧି ନିମନ୍ତେ ସୁର, ନର ଓ ଅସୁରଗଣ ତୁମର ବିଭିନ୍ନ ରୂପର କରିଥାନ୍ତି ଉପାସନା । କାଳିକା ପୁରାଣ, ଶିବ ପୁରାଣ, ବ୍ରହ୍ମବୈବର୍ତ୍ତ ପୁରାଣ, ମାର୍କଣ୍ଡେୟ ପୁରାଣ, ଦେବୀ ଭାଗବତ ଓ ସପ୍ତସତୀ ଚଣ୍ଡୀ ଆଦିରେ ତୁମର ବିଭିନ୍ନ ନାମ ଓ ଉପାସନାର ପଦ୍ଧତି ହୋଇଛି ଲିପିବଦ୍ଧ । ସାଧକ ତଥା ଉପାସକଗଣ ନିମ୍ନ ପ୍ରଦତ୍ତ ତୁମର ବିଭିନ୍ନ ସ୍ୱରୂପକୁ ଉପାସନା କରି ସିଦ୍ଧିଲାଭ କରିଥାନ୍ତି । ସୃଷ୍ଟି ସର୍ଜନା ସମୟରୁ ଅଦ୍ୟାବଧି ସିଦ୍ଧସାଧକ, ଆଶ୍ରିତ ତଥା ଉପାସକଗଣ ତୁମର ଏକାଧିକ ସ୍ୱରୂପକୁ ଉପାସନାପୂର୍ବକ ପାଦତଳେ ଅର୍ପଣ କରିଥାନ୍ତି ଭକ୍ତିପୂତ ପ୍ରଣତି ।
ହେ ମା'! ସୃଷ୍ଟି ସର୍ଜନା ସମୟରେ ତୁମେ ଏକ ସ୍ୱରୂପରେ ଆଦ୍ୟାଶକ୍ତି ଭାବେ ହୋଇଥିଲ ପ୍ରକଟିତା । ଦୁଇଟି ଶକ୍ତି ଭାବରେ ଧନର ଦାତ୍ରୀ ଲକ୍ଷ୍ମୀ ଏବଂ ବିଦ୍ୟାପ୍ରଦାୟିନୀ ସରସ୍ୱତୀ ରୂପେ ଭଗବାନ ବିଷ୍ଣୁଙ୍କୁ ପତିରୂପେ କରିଅଛ ବରଣ । ତ୍ରିଶକ୍ତି ଯଥା- ସତ୍ୱ ଗୁଣରେ ବ୍ରହ୍ମାଙ୍କ ଅଂଶରେ ମହାସରସ୍ୱତୀ, ରଜ ଗୁଣରେ ବିଷ୍ଣୁଙ୍କ ଅଂଶରେ ମହାଲକ୍ଷ୍ମୀ ଏବଂ ତମ ଗୁଣରେ ଶିବଙ୍କ ଅଂଶରେ ମହାକାଳୀ ରୂପେ ସୃଷ୍ଟି ସର୍ଜନା, ପରିପାଳନ ଏବଂ ବିଲୟର ହୋଇଅଛ କାରଣ । ଚତୁର୍ଥରେ ଚାରିଗୋଟି ଶକ୍ତି ଯଥା- "ଭୋଗେ ଭବାନୀ, ପୁରୁଷେ ତୁ ଲକ୍ଷ୍ମୀ, କୋପେ ତୁ ଦୁର୍ଗା ଓ ପ୍ରଳୟେ ତୁ କାଳୀ' ଭାବେ ମା' ତୁମେ ହେଉଅଛ ଅଭିହିତା । ପଞ୍ଚମରେ ପାଞ୍ଚ ସ୍ୱରୂପରେ ଯଥା- ସରସ୍ୱତୀ, ଉମା, ଲକ୍ଷ୍ମୀ, ଜଗଦ୍ଧାତ୍ରୀ ଓ ସାବିତ୍ରୀ ଭାବରେ ରତି ଓ କାମଦେବଙ୍କ ସହିତ ବାଉଁଶଖଣ୍ଡର ସପ୍ତ ରନ୍ଧ୍ରରେ ଅବସ୍ଥାପିତ ହୋଇ ତାକୁ ମୋହନବଂଶୀରେ କରିଅଛ ପରିଣତ, ଯାହା ଗୋପାଳତାପିନି ଉପନିଷଦରେ ହୋଇଛି ବର୍ଣ୍ଣିତ ।
ଷଡ଼ମାତୃକା ଅର୍ଥାତ୍-ବ୍ରାହ୍ମୀ, ମାହେଶ୍ୱରୀ, କୌମାରୀ, ବାରାହୀ, ଇନ୍ଦ୍ରାଣୀ, ଓ ଚାମୁଣ୍ଡା ରୂପରେ ତୁମେ ଶାକ୍ତ ସମ୍ପ୍ରଦାୟର ଉପାସକମାନଙ୍କ ଦ୍ୱାରା ହୁଅ ଉପାସିତା । ପୁନଶ୍ଚ ଶାକ୍ତ ପରମ୍ପରାରେ ସପ୍ତମାତୃକା ଅର୍ଥାତ୍ ଷଡ଼ମାତୃକାଙ୍କ ସହିତ ବୈଷ୍ଣବୀ ରୂପରେ ତୁମେ ହୋଇଥାଅ ଆରାଧିତା । ତୁମେ ଅଷ୍ଟମାତୃଶକ୍ତି ଭାବେ ଯଥା- ବିମଳା, ମଙ୍ଗଳା, ସର୍ବମଙ୍ଗଳା, ଅର୍ଦ୍ଧାଶନୀ, ମରୀଚିକା, ଚଣ୍ଡରୂପା, ଆଲମ୍ବା ଓ କାଳରାତ୍ରୀ ରୂପରେ ଶ୍ରୀମନ୍ଦିର ଓ ଶ୍ରୀକ୍ଷେତ୍ରକୁ ସୁରକ୍ଷା କରୁଅଛ ପ୍ରଦାନ । ନବଦୁର୍ଗା ରୂପେ ଅର୍ଥାତ୍- ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଦମାତା, କାତ୍ୟାୟନୀ, କାଳରାତ୍ରୀ, ମହାଗୌରୀ ଓ ସିଦ୍ଧିଦାତ୍ରୀ ଭାବରେ ବାସନ୍ତୀକ ଓ ଶାରଦୀୟ ଦୁର୍ଗୋତ୍ସବରେ ତୁମେ ସାଧକ, ଆଶ୍ରିତ ତଥା ଭକ୍ତମାନଙ୍କ ଦ୍ୱାରା ହୁଅ ପୂଜିତା । ଦଶମହାବିଦ୍ୟା ଯଥାକାଳୀ, ତାରା, ଷୋଡ଼ଶୀ, ଭୁବନେଶ୍ୱରୀ, ଭୈରବୀ, ଛିନ୍ନମସ୍ତା, ଧୂମାବତୀ, ବଗଳା, ମାତଙ୍ଗୀ ଓ କମଳା ରୂପେ ସେଦିନ ଦେବଦେବ ମହାଦେବଙ୍କ ଚତୁଃପାଶ୍ୱର୍ରେ ହୋଇଥିଲ ପ୍ରକଟିତା । ସାଧକ ଏହି ଦଶମହାବିଦ୍ୟାଙ୍କୁ ସାଧନା ବଳରେ ସନ୍ତୁଷ୍ଟ କରି ନିଜର କାମନା କରିଥାଏ ପୂରଣ । ଏହି ସ୍ୱରୂପମାନଙ୍କ ସହିତ ମା' ତୁମେ ଷୋଡ଼ଶ ମାତୃକା, ଅଷ୍ଟାଦଶ ମାତୃକା, ସପ୍ତବିଂଶତି ମାତୃକା ଭାବରେ ମଧ୍ୟ ଭକ୍ତ, ଆଶ୍ରିତ, ସାଧକ ତଥା ଉପାସକମାନଙ୍କ ଦ୍ୱାରା ଆରାଧିତା ହୋଇ ପ୍ରଦାନ କରଥାଅ ସିଦ୍ଧି ।
ଯୁଗେ ଯୁଗେ ହେ ମା'! ଭକ୍ତର ଆକୁଳ ପ୍ରାର୍ଥନାକୁ ଅଙ୍ଗୀକାରପୂର୍ବକ ତାର ବିପଦ କରିଅଛ ହରଣ । ସତ୍ୟଯୁଗରେ ସମାଧି ବୈଶ୍ୟ ଓ ରାଜା ସୁରଥଙ୍କର ଦୁଃଖ କରିଛ ମୋଚନ। ସିଂହବାହିନୀ ଦୁର୍ଗା ରୂପରେ ଦେବତାଙ୍କ ଶତ୍ରୁ ମହିଷାସୁରକୁ କରିଅଛ ନିଧନ । ତ୍ରେତୟାରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ସ୍ତୁତିରେ ସନ୍ତୁଷ୍ଟ ହୋଇ ରାବଣ ବିନାଶ ନିମନ୍ତେ ଆଶିଷ କରିଛ ବର୍ଷଣ । ଦ୍ୱାପରରେ ଦେବକୀଙ୍କ ସପ୍ତମ ଗର୍ଭକୁ ସ୍ଥାନାନ୍ତର ସହିତ ଯଶୋଦା ତନୟା ରୂପେ ଜନ୍ମନେଇ କଂସକୁ ତାର ମରଣର କାରଣ ସମ୍ପର୍କରେ କରିଅଛ ସଚେତନ । ବାଣାସୁର ପ୍ରତି ଦୟାବହି ତାର ସହସ୍ରଭୁଜ ଛେଦନ ସମୟରେ ଚାରିଭୁଜକୁ ଛେଦନ ନକରିବା ପାଇଁ ଶ୍ରୀକୃଷ୍ଣଙ୍କୁ କରିଅଛ ନିବେଦନ । କଳିଯୁଗରେ ରାମକୃଷ୍ଣ ପରମହଂସଙ୍କୁ ଦକ୍ଷିଣକାଳୀ ସ୍ୱରୂପରେ ଦେଇଅଛ ଦର୍ଶନ । ବଳଦେବ ରଥଙ୍କୁ କ୍ଷୀର ପ୍ରଦାନ କରି କବିତ୍ୱର କରାଇଛ ସ୍ଫୁରଣ । ବ୍ୟାଘ୍ରଦେବୀ ଭାବେ ଉପେନ୍ଦ୍ରଙ୍କ ଆରାଧନାରେ ସନ୍ତୁଷ୍ଟ ହୋଇ ତାଙ୍କୁ ଶବ୍ଦସିନ୍ଧୁ ଲଂଘନ କରିବାର କ୍ଷମତା କରିଛ ପ୍ରଦାନ ।
ହେ ଜଗଜ୍ଜନନୀ! ଆଜି ତୁମ ସୃଷ୍ଟିରେ ଏକାଧିକ ରାବଣ, କଂସମାନଙ୍କ ତ୍ରାସରେ ତ୍ରାହି ତ୍ରାହି ଡାକୁଛନ୍ତି ସନ୍ତାନଗଣ । କମାଣର ଗର୍ଜନ ଓ କ୍ଷେପଣାସ୍ତ୍ରର ବିସ୍ଫୋରଣରେ ଥରିଉଠୁଛି ମେଦିନୀ । ଫଳସ୍ୱରୂପ ମୃତ୍ୟୁର କରାଳଗର୍ଭରେ ଲୀନ ହେଉଛି ଲକ୍ଷ ଲକ୍ଷ ନିରୀହ ଜୀବନ । ଏଭଳି ଦୁର୍ଦ୍ଦିନରେ ତୁମେ ବିଜେହୁଅ ସିଂହବାହିନୀ ରୂପରେ, ଦଶଭୁଜରେ ଦଶ ପ୍ରହରଣ ଧାରଣପୂର୍ବକ ଦୁର୍ଗତିନାଶିନୀ ଭାବରେ । ଆଉ ବିଳମ୍ବ କରନାହିଁ ମା' । ଅହଙ୍କାରୀର ଦର୍ପ କର ବିନାଶ । ମାନବବାଦର ଉଲଙ୍ଘନକାରୀକୁ ଦିଅ ଶାସ୍ତି । ଶାନ୍ତିର କପୋତ ଉଡିବୁଲୁ ଚତୁର୍ଦ୍ଦିଗରେ । ସତ୍ୟ, ଶାନ୍ତି ଓ ସଂହତିର ବାର୍ତ୍ତା ଗୁଞ୍ଜରିତ ହେଉ ସବୁରି କର୍ଣ୍ଣଗହ୍ୱରରେ । ବସୁଧୈବ କୁଟୁମ୍ବକମ୍ ମନ୍ତ୍ରରେ ସଭିଏଁ ହୁଅନ୍ତୁ ଦୀକ୍ଷିତ । ତୁମ ନାମ, ଗୁଣ, ଯଶ ଗାନରେ ଜଳ, ସ୍ଥଳ ଓ ନଭୋମଣ୍ଡଳ ହେଉ ମୁଖରିତ ।