ଆଦିଶଙ୍କର ତାଙ୍କର ଭବାନୀ ଅଷ୍ଟକରେ ମହାକାଳୀଙ୍କ ଚକ୍ଷୁର ଉନ୍ମେଷ-ନିମେଷ ମାତ୍ରକେ ଜଗତର ସୃଷ୍ଟି ଓ ପ୍ରଳୟ ଘଟେ ବୋଲି କହିଛନ୍ତି । ‘ନିମେଷୋନ୍ମେଷାଭ୍ୟାଂ ପ୍ରଳୟଂ ଉଦୟଂ ଯାତି ଜଗତି’ ଭେଦ ରୂପରେ ଅଷ୍ଟଧା କାଳୀ ମୂର୍ତ୍ତି ସର୍ବଦା ଭୀତିପ୍ରଦ ହୋଇଥାଏ । ଦୈନନ୍ଦିନ ଜୀବନରେ ହେଉଥିବା ମୃତ୍ୟୁ, କ୍ଷୟ ଓ ନିଷ୍କାସନ ଆଦିକୁ ନିତ୍ୟପ୍ରଳୟ, କଳ୍ପ ଶେଷରେ ତଥା ଏକହଜାର ମହାଯୁଗ ପରେ (ବ୍ରହ୍ମାଙ୍କର ଏକ ଦିନ) ହେଉଥିବା ପ୍ରଳୟକୁ ନୈମିତ୍ତିକ ପ୍ରଳୟ ଏବଂ ବ୍ରହ୍ମାଙ୍କର ଶତବର୍ଷ ଆୟୁ ଶେଷରେ ଆସୁଥିବା ପ୍ରଳୟକୁ ମହାପ୍ରଳୟ କୁହାଯାଏ ।

ବ୍ରହ୍ମ ହିଁ ବିଶ୍ୱ ବ୍ରହ୍ମାଣ୍ଡର ସୃଷ୍ଟି, ପାଳନ ଓ ସଂହାରର କାରଣ । ବ୍ରହ୍ମାଙ୍କର କ୍ରିୟା ବା କାର୍ଯ୍ୟ ସାମର୍ଥ୍ୟକୁ ତାଙ୍କର ଶକ୍ତି କୁହାଯାଏ । ଆଦ୍ୟାଶକ୍ତି, ମାୟା, ମୋହମାୟା, ବିଦ୍ୟା, ଅବିଦ୍ୟା ମୂଳ ପ୍ରକୃତି, ପରା ପ୍ରକୃତି, ସକ୍ରିୟ ବ୍ରହ୍ମ ଇତ୍ୟାଦି ଶକ୍ତିଙ୍କର ବିଭିନ୍ନ ନାମ । ଆଦ୍ୟାଶକ୍ତି ସତ୍ତ୍ୱ, ରଜ ଓ ତମ ଗୁଣ ଭେଦରେ ତ୍ରିଗୁଣାତ୍ମିକା । ତ୍ରିଶକ୍ତି ଭେଦରେ ସେ ହେଉଛନ୍ତି ସ୍ରଷ୍ଟା ବ୍ରହ୍ମାଙ୍କର ରଜଗୁଣା ଶକ୍ତି ମହାସରସ୍ୱତୀ, ପାଳକ ବିଷ୍ଣୁଙ୍କର ସତ୍ତ୍ୱଗୁଣା ଶକ୍ତି ମହାଲକ୍ଷ୍ମୀ ଓ ସଂହାରକ ଶିବଙ୍କର ତମଗୁଣା ଶକ୍ତି ମହାକାଳୀ । କାର୍ଯ୍ୟ ଭେଦରେ ତାଙ୍କର ଅନେକ ନାମ ଅଛି । ‘ଏକୈବ ଶକ୍ତି ପରମେଶ୍ୱରସ୍ୟ ବିଭିଧା ଭବତି ବ୍ୟବହାର କାଳେ/ ଭୋଗେ ଭବାନୀ ପ୍ରାସାଦେଷୁ ଲକ୍ଷ୍ମୀ, ସମରେ ଦୁର୍ଗା ପ୍ରଳୟେତୁ କାଳୀ’ । ଯେପରି ସୂର୍ଯ୍ୟ ଓ ତାଙ୍କର ପ୍ରଭା, ଚନ୍ଦ୍ର ଓ ତାଙ୍କର ଜ୍ୟୋତ୍ସ୍ନା, ଅଗ୍ନି ଓ ତାଙ୍କର ଦାହିକା ଶକ୍ତି ତଥା ବିଜ୍ଞାନର ବସ୍ତୁ ଓ ଶକ୍ତି ପରସ୍ପର ଅଭିନ୍ନ । ସେହିପରି ବ୍ରହ୍ମ-ଆଦ୍ୟାଶକ୍ତି, ବ୍ରହ୍ମମହାସରସ୍ୱତୀ,ବିଷ୍ଣୁ-ମହାଲକ୍ଷ୍ମୀ ଓ ଶିବ-ମହାକାଳୀ ପରସ୍ପର ଅଭିନ୍ନ ଓ ପରିପୂରକ । ଶିବଙ୍କର ଅର୍ଦ୍ଧନାରୀଶ୍ୱର ରୂପ ତାର ଏକ ଦୃଷ୍ଟାନ୍ତ ମାତ୍ର । ଶିବ-ମହାକାଳୀ ସଂହାରକ ହେବା ସଙ୍ଗେ ସଙ୍ଗେ ସଂସ୍କାରକ ମଧ୍ୟ । ଉଦାହରଣ ସ୍ୱରୂପ, ରୋଗୀ ଦେହରେ ଥିବା ରୋଗ ଜୀବାଣୁ ନାଶ କରି ଆରୋଗ୍ୟ ଦେବାରେ ଶିବ-ମହାକାଳୀ କଲ୍ୟାଣକାରକ । ରୋଗ ବିରୁଦ୍ଧରେ ସମସ୍ତ ଚେଷ୍ଟା ବିଫଳ ହେଲେ ମହାକାଳୀ ଜୀବନ ନାଶକ ବା ସଂହାରକ ହୁଅନ୍ତି । କଲ୍ୟାଣକାରକ ରୂପରେ ସେ ଶିବଙ୍କ ଗୌରୀ, ଉଗ୍ର ରୂପରେ ସେ ରୁଦ୍ର(ଶିବ)ଙ୍କ ଭୈରବୀ ଓ ପ୍ରଳୟ କାଳରେ ସେ ମହାକାଳ (ଶିବ)ଙ୍କର ମହାକାଳୀ । ‘ମହାସଂହାର ସମୟେ କାଳ ସର୍ବ ପ୍ରସିଧ୍ୟତି । କଳନାତ୍ ସର୍ବଭୂତାନାମ୍ ମହାକାଳ ପ୍ରକୀର୍ତ୍ତିତଃ’ । ମହାପ୍ରଳୟ ସମୟରେ ଶିବ ମହାକାଳ ରୂପରେ ସର୍ବଗ୍ରାସ କରନ୍ତି । ପୁନଶ୍ଚ ମହାକାଳ ଶିବଙ୍କୁ ଗ୍ରାସ କରୁଥିବାରୁ ସେ ଆଦ୍ୟାକାଳୀ (ମହାକାଳସ୍ୟ କଳନାତ୍ ତ୍ୱଂ ଆଦ୍ୟ କାଳିକା ପରା) ମହାନିର୍ବାଣ ତନ୍ତ୍ର ପୁନଶ୍ଚ କହେ କାଳକୁ ଗ୍ରାସ କରୁଥିବାରୁ ସେ କାଳୀ ଅଟନ୍ତି । ଅର୍ଥାତ୍, ସାଧାରଣ କାଳରେ ସେ କାଳୀ ଓ ମହାପ୍ରଳୟ ସମୟରେ ସେ ଆଦ୍ୟାକାଳୀ ।
ଆଦିଶଙ୍କର ତାଙ୍କର ଭବାନୀ ଅଷ୍ଟକରେ ମହାକାଳୀଙ୍କ ଚକ୍ଷୁର ଉନ୍ମେଷ-ନିମେଷ ମାତ୍ରକେ ଜଗତର ସୃଷ୍ଟି ଓ ପ୍ରଳୟ ଘଟେ ବୋଲି କହିଛନ୍ତି । ‘ନିମେଷୋନ୍ମେଷାଭ୍ୟାଂ ପ୍ରଳୟଂ ଉଦୟଂ ଯାତି ଜଗତି’ ଭେଦ ରୂପରେ ଅଷ୍ଟଧା କାଳୀ ମୂର୍ତ୍ତି ସର୍ବଦା ଭୀତିପ୍ରଦ ହୋଇଥାଏ । ଦୈନନ୍ଦିନ ଜୀବନରେ ହେଉଥିବା ମୃତ୍ୟୁ, କ୍ଷୟ ଓ ନିଷ୍କାସନ ଆଦିକୁ ନିତ୍ୟପ୍ରଳୟ, କଳ୍ପ ଶେଷରେ ତଥା ଏକହଜାର ମହାଯୁଗ ପରେ (ବ୍ରହ୍ମାଙ୍କର ଏକ ଦିନ) ହେଉଥିବା ପ୍ରଳୟକୁ ନୈମିତ୍ତିକ ପ୍ରଳୟ ଏବଂ ବ୍ରହ୍ମାଙ୍କର ଶତବର୍ଷ ଆୟୁ ଶେଷରେ ଆସୁଥିବା ପ୍ରଳୟକୁ ମହାପ୍ରଳୟ କୁହାଯାଏ । କରୋନା ବ୍ୟାଧି ପ୍ରେରିତ ମୃତକମାନଙ୍କର ସମୂହ ଶବ ସତ୍କାର ଓ ଯୁଦ୍ଧ, ବିଶ୍ୱଯୁଦ୍ଧ ସମୟର ନର ସଂହାରର ବୀଭତ୍ସ ଦୃଶ୍ୟ ପରିପ୍ରେକ୍ଷୀରେ ମହାପ୍ରଳୟର ମହାସଂହାର ଯେ କେତେ ଭୟଙ୍କର ତାହା ଅବର୍ଣ୍ଣନୀୟ ।
ମହାସଂହାର ବୀଭତ୍ସତା ସଂହାରକର୍ତ୍ତ୍ରୀ ମହାକାଳୀଙ୍କ ରୂପ ଓ ବେଶରେ ନିଦାନ ଭାବରେ ବିଦ୍ୟମାନ । ଶବାରୂଢ଼ା (ମୃତ୍ୟୁ ସୂଚକ), ହର୍ଷନମୁଖି (ମହାସଂହାରରେ ବିଜୟ ସୂଚକ), ଲହଲହ ଜିହ୍ୱା (ବୀଭତ୍ସ ରୂପ), ବେକରେ ନରମୁଣ୍ଡ ମାଳ (ଅକଳନୀୟ ମୃତକ ସଂଖ୍ୟା), ଖପୁରି (ଶବଦାହ ପରେ କେବଳ ଖପୁରି ଅଦାହ୍ୟ), ଖପୁରିରେ ରକ୍ତ (ଅଜସ୍ର ରକ୍ତପାତର ସୂଚକ), ବିଶୃଙ୍ଖଳିତ କେଶବିନ୍ୟାସ (ବୀଭତ୍ସ ରୂପ), ଉଲଗ୍ନ ଦେହ (ସୃଷ୍ଟିର ସବୁକିଛି ଆତ୍ମଗର୍ଭସ୍ଥ କଲା ପରେ ବସ୍ତ୍ର ବୋଲି କିଛି ନଥାଏ), କୃଷ୍ଣ ବର୍ଣ୍ଣ (ବିଜ୍ଞାନ ମତରେ ଯିଏ ସବୁ ରଙ୍ଗ ଶୋଷଣ ବା ଆତ୍ମଗର୍ଭସ୍ଥ କରେ ସେ କୃଷ୍ଣ) । ଏହାଛଡ଼ା କୃଷ୍ଣ ବର୍ଣ୍ଣ ଦୁଃଖ ଓ ଶୋକର ସୂଚକ ଅଟେ । ମହାକାଳୀଙ୍କ ସଂହାର ରୂପ ମଧ୍ୟରେ ସଂସ୍କାର ରୂପ ମଧ୍ୟ ଅଧିକ ଅଟେ । ସେ ଜଗତ୍ ଜନନୀ । ଯା ଦେବି ସର୍ବଭୂତେଷୁ ମାତୃ ରୂପେଣ ସଂସ୍ଥିତା... ଶକ୍ତି ରୂପେଣ ସଂସ୍ଥିତା । ଭାରତୀୟ ସଂସ୍କୃତି ସଭ୍ୟତାର ପ୍ରାଣକେନ୍ଦ୍ର ହେଉଛି ଗ୍ରାମ । ଭାରତର ପୁରପଲ୍ଲୀର ସବୁ ଗ୍ରାମରେ ଗ୍ରାମବାସୀଙ୍କର ଆଧ୍ୟାତ୍ମିକ, ଆଧିଦୈବିକ ଓ ଆଧିଭୌତିକ ବିପଦ ଆପଦ ନାଶ କରି ସୁଖ, ଶାନ୍ତି, ଐଶ୍ୱର୍ଯ୍ୟ ଅନାରୋଗ୍ୟ ଦେବାପାଇଁ ସେ ପୂଜିତା ଓ ଚିରନମସ୍ୟା, ସଂସ୍କାରକ ଗ୍ରାମଦେବତୀ ରୂପରେ । ଏହାଛଡ଼ା ନବଦୁର୍ଗା, ଅଷ୍ଟମାତୃକା, ଷୋଡ଼ଶ ମାତୃକା, ଏକାବନ ମୂର୍ତ୍ତିକା (ଶିବ ପୁରାଣ), ବାଉନ ମୂର୍ତ୍ତିକା (ତନ୍ତ୍ର ଚୁଡ଼ାମଣୀ) ଓ ଏକଶତ ଆଠ ମୂର୍ତ୍ତିକା (ଦେବୀ ଭାଗବତ) ସବୁ ମହାକାଳୀଙ୍କର ଅଂଶ ବା କଳା ରୂପରେ ଭାରତର ବିଭିନ୍ନ ପ୍ରାନ୍ତରେ ପୂଜିତା । ମା’ ସର୍ବଂସହା ଓ ଆଶୁତୋଷୀ । ସାମାନ୍ୟ ବିପଦ ପଡ଼ିଲେ ପାଟିରୁ ମା’ଲୋ ରକ୍ଷା କର ବୋଲି ବାହାରିପଡ଼େ । ମାତୃକୈନ୍ଦ୍ରିକ ଭାରତୀୟ ସଂସ୍କୃତିରେ ବିପଦ ଆସିଲେ ମହାକାଳୀ ଓ ତାଙ୍କର ଅଂଶ (ଚଣ୍ଡୀ, ଚାମୁଣ୍ଡା ଓ ଗ୍ରାମଦେବତୀ)ଙ୍କୁ ସ୍ମରଣ କରିବା ଆମର ଅସ୍ଥିମଜ୍ଜାଗତ ହେଇଯାଇଛି । ‘ଦେହି ସୌଭାଗ୍ୟ ଆରୋଗ୍ୟଂ ଦେହି ମେ ପରମ ସୁଖଂ, ରୂପ ଦେହି, ଯଶଂ ଦେହି, ଜୟଂ ଦେହି, ଦ୍ୱେଷଂ ଜହି’ ଆଜି ସର୍ବତ୍ର ମହାମନ୍ତ୍ରର ନାମ ନେଇଛି । ପାର୍ଥିବ ସମୃଦ୍ଧି ଓ ଭୋଗସର୍ବସ୍ୱ ଅବିଦ୍ୟା ଆଜି ପୂଜା ଉପାସନାର ମୂଳ ଲକ୍ଷ୍ୟ । ବ୍ରହ୍ମସର୍ବସ୍ୱ ତଥା ନିଃଶେୟସ ସିଦ୍ଧି ପ୍ରେରକ । ବିଦ୍ୟା ଆଜି ଅବହେଳିତ । ଫଳରେ ଦଶ ମହାବିଦ୍ୟା ମଧ୍ୟରେ ପ୍ରଥମା ମହାକାଳୀଙ୍କ ପୂଜାର୍ଚ୍ଚନାରେ ବିଭ୍ରାଟ ସୃଷ୍ଟି ହେଉଛି । ଶ୍ରୀରାମକୃଷ୍ଣ ଆଦି ସାଧକଙ୍କର ନିଷ୍କାମ ସାଧନା ଓ ଭଗବତ୍ ଗୀତା- ୧୭/୮ ବର୍ଣ୍ଣିତ ଆୟୁ, ବଳ, ଆରୋଗ୍ୟ, ସୁଖ ଓ ପ୍ରୀତିବର୍ଦ୍ଧକ ସାତ୍ତ୍ୱିକ ଆହାର ଓ ପ୍ରସାଦ ସେବନ ଲୋପ ପାଇ କୁତ୍ସିତ ରାଜସିକ ଓ ତାମସିକ ଆହାର ବିହାର ଆଦୃତ ହେଉଛି ।
ବଙ୍ଗୀୟ କାଳୀସାଧକ ସ୍ୱର୍ଗତ ତାରାନନ୍ଦ ତୀର୍ଥ ସ୍ୱକୀୟ ‘ତନ୍ତ୍ର ତତ୍ତ୍ୱ ପ୍ରକାଶ’ ଗ୍ରନ୍ଥରେ ପଞ୍ଚ ମ’କାର ପୂଜାର ଯଥାର୍ଥ ପ୍ରମାଣ ଦେଇଛନ୍ତି । ମଦ୍ୟ– ଶ୍ରବଣ, କୀର୍ତ୍ତିନ, ସ୍ମରଣ, ପାଦସେବନ, ଅର୍ଚ୍ଚନ, ବନ୍ଦନ, ଦାସ୍ୟ, ସୌଖ୍ୟ ରୂପକ ନବଧା ଭକ୍ତି, ଶ୍ରଦ୍ଧା ଓ ଆତ୍ମସମର୍ପଣରେ ମହାକାଳୀଙ୍କ ପାଖରେ ନିଜକୁ ତଲ୍ଲୀନ କରିଦେଲେ ସାଧକ ଯେଉଁ ଜ୍ଞାନ ରସାମୃତ ଅନୁଭବ କରେ ତାକୁ ମଦ୍ୟ କୁହାଯାଏ । ‘ଯଦୁକ୍ତଂ ପରମଂ ବ୍ରହ୍ମ ନିର୍ବିକାରଂ ନିରଞ୍ଜନମ୍/ ତସ୍ମିନ୍ ପ୍ରମଦନ ଜ୍ଞାନଂ ତନ୍ମଦ୍ୟ ପରିକୀତ୍ତିତମ୍’ । ମାଂସ– ସମସ୍ତ ସାଧନାର ସାଫଲ୍ୟ ପାଇଁ ବାକ୍ ସିଦ୍ଧି ଅତୀବ ଜରୁରି । ବାକ୍ ସଂଯମୀ ମୁନି ହିଁ ପ୍ରକୃତ ମାଂସ ସାଧକ । ମା’ ରସନା ଶବ୍ଦର ରୂପାନ୍ତର ଅଟେ, ବାକ୍ୟ ତାହାର ଅଂଶ । ସର୍ବଦା ବାକ୍ୟ ଭକ୍ଷଣକାରୀ ବାକ୍ ସଂଯମୀ ହୋଇଥାଏ । ‘ମାଶବ୍ଦାଦ୍ରସନା ଜେ୍ଞୟ ତଦଂଶାନ୍ ରସନା ପ୍ରୀୟେ/ ସଦା ଯୋ ଭକ୍ଷୟେତ୍ ଦେବି ସ ଏବ ମାଂସ ସାଧକଃ’ । ମତ୍ସ୍ୟ– ମହାକାଳୀଙ୍କ ପୂଜା ଉପାସନା ପାଇଁ ପ୍ରାଣାୟାମ ଆବଶ୍ୟକ । ‘ଗଙ୍ଗାଯମୁନୟୋମଧ୍ୟେ ମତ୍ସ୍ୟେø ଦୌ ଚରତଃ ସଦା/ ତୋ ମତ୍ସ୍ୟେø ଭକ୍ଷୟେନ ଯସ୍ତୁ ସ ଭବେତ୍ ମତ୍ସ୍ୟ ସାଧକଃ’ । ଇଡା-ପିଙ୍ଗଳା (ଗଙ୍ଗା ଯମୁନା) ନାମକ ଦୁଇଟି ନାଡ଼ିରେ ନିଶ୍ୱାସ ପ୍ରଶ୍ୱାସ (ଦୁଇଟି ମତ୍ସ୍ୟ) ଅହରହ ବିଚରଣ କରନ୍ତି । ଯେଉଁ ସାଧକ ପ୍ରାଣାୟାମ ଦ୍ୱାରା ଶ୍ୱାସ-ପ୍ରଶ୍ୱାସ ରୂପକ ମତ୍ସ୍ୟଙ୍କୁ ନିୟନ୍ତ୍ରଣ କରେ ତଥା କୁମ୍ଭକ କରି ପ୍ରାଣବାୟୁକୁ ଶୃଙ୍ଖଳିତ କରେ ସେ ହିଁ ପ୍ରକୃତ ମତ୍ସ୍ୟ ସାଧକ ଅଟେ । ପ୍ରାଣାୟାମ ବା ମତ୍ସ୍ୟ ସାଧନା ଆୟୁବର୍ଦ୍ଧକ ଅଟେ । ମୁଦ୍ରା– ସତ୍ସଙ୍ଗ ହିଁ ମୁକ୍ତି ଏବଂ ଅସତ୍ ସଙ୍ଗ ହିଁ ବନ୍ଧନର କାରଣ । ଅସତ୍ ସଙ୍ଗ ପରିତ୍ୟାଗକୁ ମୁଦ୍ରା କୁହାଯାଏ । ‘ସତ୍ ସଙ୍ଗେନ ଭବେତ୍ ମୁକ୍ତି ଅସତ୍ ସଙ୍ଗେଷୁ ବନ୍ଧନମ୍/ ଅସତ୍ ସଙ୍ଗ ମୁଦ୍ରଣଂ ଯତ୍ତୁ ତନ୍ମୁଦ୍ରା ପରିକୀତ୍ତିତା’ । ଅର୍ଥାତ୍- ଅସତ୍ ସଙ୍ଗ ଓ ଅସତ୍ ଆଚାର ପରିତ୍ୟାଗ ହିଁ ମୁଦ୍ରା ସାଧନା ।
ମୈଥୁନ– ପ୍ରତ୍ୟେକ ମନୁଷ୍ୟର ଗୁପ୍ତାଙ୍ଗ ପାଖରେ କୁଣ୍ଡଳିନୀ ଶକ୍ତି ସର୍ପାକାରରେ ଶାୟିତ । କୁଣ୍ଡଳିନୀ ଶକ୍ତି ଯୋଗ ସାଧନା ଦ୍ୱାରା ଜାଗରଣ ଓ ଊଦ୍ଧ୍ୱର୍ମୁଖୀ କରି ବ୍ରହ୍ମରନ୍ଧ୍ର ଠାରେ ଥିବା ଶିବଙ୍କ ସହ ଯୁକ୍ତ (ଶିବ୍ମଶକ୍ତି) କ୍ରିୟାକୁ ମୈଥୁନ କୁହାଯାଏ । ‘କୁଳ କୁଣ୍ଡଳିନୀ ଶକ୍ତିଃ ଦେହିନୀ ଦେହଧାରିଣୀ/ ତୟା ଶିବସ୍ୟ ସଂଯୋଗୋ ମୈଥୁନଂ ପରିକୀର୍ତ୍ତିତମ୍’ । ମୋଟ୍ ଉପରେ କହିଲେ ଅସତ୍ ସଙ୍ଗ ଓ ଅସତ୍ ଆଚାର ତ୍ୟାଗ କରିବା ଓ ବାକ୍ ସିଦ୍ଧି ହାସଲ କରିବା, ଶ୍ରଦ୍ଧା ଭକ୍ତି ଓ ସମର୍ପଣ ମନରେ ପୂଜା କରିବା ଓ ପ୍ରାଣାୟାମ କରି କୁଣ୍ଡଳିନୀ ଶକ୍ତି ଜାଗରଣ ପଞ୍ଚ ମ’କାର ପୂଜାର ଲକ୍ଷ୍ୟ । କାଳୀ ପୂଜାର ଗୂଢ଼ ମର୍ମ ଓ ଅର୍ଥ ନଜାଣି ମହାକାଳୀ ମଦ ମାଂସଭକ୍ଷକ କହିବା ଅଜ୍ଞତାର ଲକ୍ଷଣ । ଶ୍ରଦ୍ଧା, ଭକ୍ତି ଓ ସମର୍ପିତ ଭାବ ଦ୍ୱାରା ହିଁ ମା’ଙ୍କର କୃପା କଟାକ୍ଷ ମିଳିପାରିବ ।