କୋଲକାତା, ୫।୪: ବଙ୍ଗାଳୀ ଓ ମାଛର ସମ୍ପର୍କ ଶରୀର ଏବଂ ଆତ୍ମା ଭଳି। ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତ୍ୟେକ ରୀତିନୀତିରେ ରହିଥାଏ ମାଛ। ବିବାହ ଉତ୍ସବ ହେଉ କିମ୍ବା ଶ୍ରାଦ୍ଧ ଯେକୌଣସି କାର୍ଯ୍ୟକ୍ରମ ମାଛ ବିନା ସବୁ ଅସମ୍ପୂର୍ଣ୍ଣ। ବଙ୍ଗଳାରେ ମାଛ କେବଳ ଥାଳିରେ ଥିବା ପ୍ରିୟ ଖାଦ୍ୟ ନୁହେଁ, ବଂର ସେଠାର ପରିଚୟ ଏବଂ ସଂସ୍କୃତି । ଏବେ ଏହାକୁ ଢାଲ କରିଛନ୍ତି ରାଜନୈତିକ ଦଳ। ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନରେ ମାଛକୁ ନେଇ ରାଜନୀତି। ଏବେ ମାଛକୁ ନେଇ ପଶ୍ଚିମବଙ୍ଗ ପାଲଟିଛି ରାଜନୈତିକ ଯୁଦ୍ଧକ୍ଷେତ୍ର । ତୃଣମୂଳ କଂଗ୍ରେସ ଦେଇଛି ‘ମାଛ-ଭାତ ବାଙ୍ଗାଲି’ସ୍ଲୋଗାନ। ଯାହାକି ବଙ୍ଗ ରାଜନୀତିରେ ସୃଷ୍ଟି କରିଛିଅତ୍ୟନ୍ତ ଆକର୍ଷଣୀୟ ମୋଡ଼ । ବଙ୍ଗାଳିଙ୍କ ଏହି ପ୍ରିୟ ଖାଦ୍ୟ ଏବେ ଭୋଟ୍ ପାଇବା ପାଇଁ ପାଲଟିଛି ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର।

​​​​​​​

ଏଥର ପଶ୍ଚିମବଙ୍ଗ ନିର୍ବାଚନରେ କୌଣସି ନୀତି କିମ୍ବା ବିକାଶ ପ୍ରତିଶ୍ରୁତି ନାହିଁ। କେବଳ ମାଛ ପାଇଁ ପଡୁଛି ଉଠୁଛି। ନିର୍ବାଚନ ସାଧାରଣତଃ ନିଯୁକ୍ତି ଏବଂ ଦୁର୍ନୀତି ଉପରେ କେନ୍ଦ୍ରିତ ହୋଇଥାଏ, କିନ୍ତୁ ୨୦୨୬ ବଙ୍ଗଳା ବିଧାନସଭା ନିର୍ବାଚନ ରହିଛି କିଛି ହଟ୍‌କେ । ବଙ୍ଗ ରାଜନୀତିର କେନ୍ଦ୍ରରେ ମାଛର ଆବିର୍ଭାବ କୌଣସି ସଂଯୋଗ ନୁହେଁ। ଏହା ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବଙ୍ଗାଳାରେ ୧୫ ଦିନ ରହିବାର ଘୋଷଣା କରିଥିଲେ। ଏହାର ଜବାବରେ, ଟିଏମ୍‌ସି ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲା। ଏହା ସାରା ରାଜ୍ୟରେ ସୃଷ୍ଟି କରିଥିଲା ବିତର୍କ । ଦଳ ଅମିତ ଶାହଙ୍କୁ ସ୍ୱାଗତ କରିଥିଲା ଏବଂ ତାଙ୍କୁ ବଙ୍ଗର ପ୍ରସିଦ୍ଧ ମାଛର ସ୍ବାଦ ଚାଖିବାକୁ ପରାମର୍ଶ ଦେଇଥିଲା।

ଏହାପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ରାଲିରେ ଆରମ୍ଭ କରିଥିଲେ ‘ମାଛ’କୁ ନେଇ ରାଜନୀତି। ସେ ଅଭିଯୋଗ କରିଥିଲେ ବିଜେପି ଯଦି କ୍ଷମତାକୁ ଆସେ, ତେବେ ସେ ବଙ୍ଗାଳୀଙ୍କ ଖାଦ୍ୟ ଉପରେ କଟକଣା ଲଗାଇବ। ସେମାନଙ୍କୁ ନିରାମିଷ ଖାଇବାକୁ ବାଧ୍ୟ କରିବାକୁ ଚେଷ୍ଟା କରିବ। ଏହା ବଙ୍ଗାଳର ଲୋକଙ୍କ ସାଂସ୍କୃତିକ ପରିଚୟକୁ ସିଧାସଳଖ ପ୍ରଭାବିତ କରିବ। ମମତାଙ୍କ ତାଙ୍କର ଏହି ଷ୍ଟ୍ରାଟେଜି ନେଇ ପୁଣି ବଙ୍ଗରେ ଶାସନର ସ୍ବପ୍ନ ଦେଖୁଛନ୍ତି। ସେ ବିଜେପିକୁ ‘ଶାକାହାରୀ ବାହାର ଦଳ’ ଭାବରେ ଚିତ୍ରଣ କରିଛନ୍ତି, ଯାହାର କି ବଙ୍ଗଳାର ମାଟି ଏବଂ ପରମ୍ପରା ସହିତ କୌଣସି ସମ୍ପର୍କ ନାହିଁ। ନିକଟରେ ଏକ ରାଲିରେ ମମତା ଭୋଟରଙ୍କୁ ଚେତାବନୀ ମଧ୍ୟ ଦେଇଛନ୍ତି। ସେ କହିଛନ୍ତି, ଯଦି ବିଜେପି କ୍ଷମତାକୁ ଆସେ, ତେବେ ସେମାନେ ମାଛ, ମାଂସ କିମ୍ବା ଅଣ୍ଡା ଖାଇପାରିବେ ନାହିଁ। ଯଦି ସେମାନେ ଖାଆନ୍ତି ତେବେ ତାଙ୍କୁ ‘ବାଂଲାଦେଶୀ’ କହି ଅପମାନିତ କରାଯିବ।

ବଙ୍ଗଳାର ଭୌଗୋଳିକ ସ୍ଥିତି ହେତୁ ଏହାର ନଦୀ ଏବଂ ପୋଖରୀରେ ଶତାବ୍ଦୀ ଧରି ମାଛ-ଭାତ ସଂସ୍କୃତି ରହିଛି। ଅନେକ ମନ୍ଦିରରେ ମାଛକୁ ‘ଭୋଗ’ ଭାବରେ ମଧ୍ୟ ଅର୍ପଣ କରାଯାଏ। ପ୍ରସିଦ୍ଧ ଦୁର୍ଗା ପୂଜା ଉତ୍ସବ ‘ଯୋଡା ଇଲିଶ’ ସହିତ ଶେଷ ହୁଏ। ଉତ୍ତର ବଙ୍ଗଳାରେ ‘ସେଉଳ ମାଛ’ କୁ ସ୍ଥାନୀୟ ଦେବତାଙ୍କ ବାହନ ବୋଲି କୁହାଯାଏ। ତେଣୁ ଆମିଷ ଏବଂ ବିଶେଷ କରି ମାଛ ନିଷେଧ ବଙ୍ଗାଳୀଙ୍କ ପାଇଁ ନିହାତି ପକ୍ଷେ ସମ୍ବେଦନଶୀଳ ଏବଂ ଭାବପ୍ରବଣ ପ୍ରସଙ୍ଗ। ଆଉ ଏସବୁ ଜାଣିଥିବାରୁ ମମତା ତାକୁ ଅସ୍ତ୍ର କରିଛନ୍ତି।

ଟିଏମ୍ସିର ଏହି ଅଭିଯୋଗକୁ ବିଜେପି ଖଣ୍ଡନ କରିଛି। ଦଳ ଏବେ ‘ମାଛ ବିରୋଧୀ’ ଛବିରୁ ରକ୍ଷା ପାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛି। ବିଜେପି ରାଜ୍ୟ ସଭାପତି ସୁକାନ୍ତ ମଜୁମଦାର ଏହି ଅଭିଯୋଗକୁ ମିଥ୍ୟା ପ୍ରଚାର ବୋଲି କହିଛନ୍ତି। ବିଧାନ ନଗରର ବିଜେପି ପ୍ରାର୍ଥୀ ଶରଦୱତ ମୁଖୋପାଧ୍ୟାୟଙ୍କୁ ନିକଟରେ ଏକ ବିଶାଳ ରାଲିରେ ୫ କେଜିର ‘ଭାକୁର ମାଛ’ ଧରି ଭୋଟରଙ୍କ ମଧ୍ୟରେ ବୁଲୁଥିବାର ଦେଖାଯାଇଥିଲା। ପାଣ୍ଡବେଶ୍ୱରରେ, ବିଜେପି ପ୍ରାର୍ଥୀ ଜିତେନ୍ଦ୍ର ନାଥ ତିୱାରୀ ଏକ ‘ମାଛ ଶୋଭାଯାତ୍ରା’ ମଧ୍ୟ ଆୟୋଜନ କରିଥିଲେ, ଯେଉଁଥିରେ ତାଙ୍କ ସମର୍ଥକମାନେ ଟୋକେଇରେ ଜୀଅନ୍ତା ମାଛ ଧରିଥିଲେ।

ପଶ୍ଚିମବଙ୍ଗରେ ମାଛ ଖାଇବାର ସର୍ବାଧିକ ରେକର୍ଡ ରହିଛି। ପ୍ରତିବର୍ଷ ସେଠାରେ ପ୍ରାୟ ୮.୩୬ ଲକ୍ଷ ଟନ୍ ମାଛ ଖିଆଯାଏ, ଯାହା ଜାତୀୟ ହାରଠାରୁ ପ୍ରାୟ ଦୁଇଗୁଣ। ରାଜନୈତିକ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ତୃଣମୂଳ କଂଗ୍ରେସ ଜାଣିଶୁଣି ନିର୍ବାଚନର ଧ୍ୟାନ ଦୁର୍ନୀତି ଭଳି ମୁଖ୍ୟ ପ୍ରସଙ୍ଗରୁ ‘ମେନୁ କାର୍ଡ’ ଯୁଦ୍ଧକୁ ସ୍ଥାନାନ୍ତର କରିଛି । ସେପଟେ ବିଜେପିର ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ବଙ୍ଗଳାର ଲୋକଙ୍କ ମଧ୍ୟରେ ବିଶ୍ୱାସ ସୃଷ୍ଟି କରିବା। ସରକାରକୁ ଆସିଲେ ମଧ୍ୟ ଖାଦ୍ୟ ଉପରେ କୌଣସି କଟକଣା ରହିବନି। ଲାଗୁଛି ଯେପରି ‘ମାଛ’ ଜାଲରେ ବଙ୍ଗରେ ଛନ୍ଧି ହୋଇପାରେ ବିଜେପି। ତେବେ ଦଳ ଲୋକଙ୍କ ବିଶ୍ବାସ ଜିତିବାକୁ ନିଜର ସବୁ ରଣନୀତି ଲଗାଇ ଦେଇଛି। ମାଛକୁ ନେଇ ମହାସଂଗ୍ରାମ, ଏବେ ମାଛ-ଭାତ ହିଁ ସ୍ଥିର କରିବ ପଶ୍ଚିମବଙ୍ଗର ଆଗାମୀ ମୁଖ୍ୟମନ୍ତ୍ରୀ କିଏ। ଏବେ ଦେଖିବାର ଅଛି ରାଜନୈତିକ କଣ୍ଟାରେ କିଏ ଫସିବ ?