ନ୍ୟୁୟର୍କ, ୦୭/୦୧ : ଦକ୍ଷିଣ ଆମେରିକୀୟ ଦେଶ ଭେନେଜୁଏଲାରେ ଆମେରିକାର ସାମରିକ ଅପରେସନ ଅତ୍ୟନ୍ତ ଦୟନୀୟ ଓ ଅମାନବୀୟ ଥିଲା । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ନିର୍ଦ୍ଦେଶରେ ଆମେରିକୀୟ ସେନା ୧୫୦ ବିମାନରେ ଯାଇ ଭୟଙ୍କର ଆକ୍ରମଣ କରିଥିଲେ । ଏହାପରେ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋ ଓ ପତ୍ନୀ ସିଲିୟା ଫ୍ଲୋରେସଙ୍କୁ ବେଡ୍‌ରୁମ୍‌ରୁ ଘୋଷାଡ଼ି ଆଣିଥିଲେ । ଏଥିରେ ୬୯ ବର୍ଷୀୟା ଫ୍ଲୋରେସ ଆହତ ହୋଇଛନ୍ତି । ତାଙ୍କ ଆଖିରେ ଆଘାତ ଲାଗିଛି । ପଞ୍ଜରା ହାଡ଼ ଭାଙ୍ଗିଯାଇଛି । ମାଦୁରୋ ଓ ଫ୍ଲୋରେସଙ୍କୁ ଗିରଫ ପରେ ସେମାନଙ୍କୁ ହାତକଡ଼ି ପିନ୍ଧାଇ ନ୍ୟୁୟର୍କ ଅଣାଯାଇଥିଲା ।

ନ୍ୟୁୟର୍କ ପୋଷ୍ଟ ମୁତାବକ, ମାଦୁରୋ ଓ ଫ୍ଲୋରେସ ସୋମବାର ନ୍ୟୁୟର୍କସ୍ଥିତ ମାନହଟ୍ଟନ ଫେଡେରାଲ କୋର୍ଟରେ ହାଜର ହୋଇଥିଲେ । ଏହି ସମୟରେ ଫ୍ଲୋରେସଙ୍କ ମୁହଁରେ ଦୁଇଟି ପଟି ପଡ଼ିଥିଲା । ଗୋଟିଏ ପଟି ଆଖି ଉପରେ ଆଉ ଗୋଟିଏ ମଥାରେ ଲାଗିଥିଲା । ତାଙ୍କ ଆଖି ଫୁଲିଥିଲା । ଶୁଣାଣି ବେଳେ ଓକିଲ କହିଥିଲେ, ଫ୍ଲୋରେସଙ୍କ ପଞ୍ଜରାରେ ଫ୍ରାକ୍‌ଚର ହୋଇଛି । ତାଙ୍କର ଚିକିତ୍ସା କରାଇବା ଆବଶ୍ୟକ । ତାଙ୍କର ସମ୍ପୂର୍ଣ୍ଣ ଏକ୍ସ-ରେ କରାଇବା ଲାଗି ଓକିଲ ଦାବି କରିଥିଲେ । ଯାହା ଦ୍ୱାରା ଜେଲରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ରହିପାରିବ ।

ପତି-ପତ୍ନୀ ଫେଡେରାଲ କୋର୍ଟରେ ହାଜର ହୋଇ ବିଚାରପତିଙ୍କୁ ମୁକ୍ତି ପାଇଁ ଗୁହାରି କରିଥିଲେ । ମାଦୁରୋ କହିଥିଲେ, ମୁଁ ନିର୍ଦ୍ଦୋଷ । ଏଠାରେ ଆମେରିକା ସରକାର ଯାହା ବି ଅଭିଯୋଗ ଆଣିଛି, ତାହାସବୁ ମିଛ । କୌଣସି ଘଟଣାରେ ମୁଁ ଦୋଷୀ ନୁହେଁ । ମୁଁ ଜଣେ ଭଦ୍ର ବ୍ୟକ୍ତି । ମୋତେ ସେମାନେ ଅପହରଣ କରି ଆଣିଛନ୍ତି । ଫ୍ଲୋରେସ ମଧ୍ୟ ଅନୁବାଦକଙ୍କ ଜରିଆରେ ସ୍ପାନିଶ ଭାଷାରେ ଏହି କଥା ଦୋହରାଇଥିଲେ । ଆମେରିକାକୁ କୋକେନ ଚାଲାଣ ଷଡ଼ଯନ୍ତ୍ର ଏବଂ ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ କାରବାର ସହ ଜଡ଼ିତ ତମାମ ଅଭିଯୋଗରେ ସେ ନିର୍ଦ୍ଦୋଷ ବୋଲି କହିଥିଲେ । ମାଦୁରୋ ଓ ଫ୍ଲୋରେସଙ୍କ ବିରୋଧରେ କୋକେନ ତସ୍କରି ଏବଂ ଅସ୍ତ୍ରଶସ୍ତ୍ର ସଂକ୍ରାନ୍ତ ଅପରାଧ ସମେତ ଅନେକ ଅଭିଯୋଗ ରହିଛି । ମାମଲାର ଶୁଣାଣି କରୁଥିବା ବିଚାରପତି ଅଲ୍‌ଭିନ୍‌ ହେଲରଷ୍ଟେନ୍‌ ଫ୍ଲୋରେସଙ୍କର ତୁରନ୍ତ ଚିକିତ୍ସା କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଫ୍ଲୋରେସଙ୍କ ଓକିଲଙ୍କୁ ସହଯୋଗ କରି ତାଙ୍କର ଚିକିତ୍ସାକୁ ସୁନିଶ୍ଚିତ ପାଇଁ ସରକାରୀ ଓକିଲଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ମାଦୁରୋଙ୍କ ଓକିଲ ଅଦାଲତଙ୍କୁ ପୃଥକ୍‌ ଭାବେ ଦର୍ଶାଇଥିଲେ କି ତାଙ୍କ ମହକିଲଙ୍କର ମଧ୍ୟ କିଛି ସ୍ୱାସ୍ଥ୍ୟ ସମସ୍ୟା ରହିଛି । ତାହା ଉପରେ ଧ୍ୟାନ ଦିଆଯିବା ଜରୁରି।

ଶୁଣାଣି ସମୟରେ ଫ୍ଲୋରେସଙ୍କୁ ଡିଫେନ୍ସ ଟେବୁଲ୍‌ରେ ବସିବା ପାଇଁ ସହାୟତା ନେବାକୁ ପଡ଼ିଥିଲା । ମାଦୁରୋ ଛିଡ଼ା ହୋଇ ସ୍ପାନିଶ ଭାଷାରେ କହିଥିଲେ । ଏହାର ଅନୁବାଦ କୋର୍ଟରେ ନିଯୁକ୍ତ ଅନୁବାଦକ କରିଥିଲେ । କୁହାଯାଉଛି ଯେ ଉଭୟ ଶାରୀରିକ ଭାବେ ଅତ୍ୟନ୍ତ ଥକିଯାଇଥିଲେ ଏବଂ ଅସୁସ୍ଥ ଜଣାପଡ଼ୁଥିଲେ । ଉଭୟଙ୍କୁ ଚୌକିରେ ବସିବା ଏବଂ ଉଠିବାରେ କଷ୍ଟ ଅନୁଭବ ହେଉଥିଲା । ସୂତ୍ର ମୁତାବକ, ମାଦୁରୋ ବାରମ୍ବାର ପତ୍ନୀଙ୍କ ଆଡ଼କୁ ଚାହୁଁଥିଲେ । ଫ୍ଲୋରେସ ଅଧିକ ଶାନ୍ତ ଜଣାପଡ଼ୁଥିଲେ । ୬୩ ବର୍ଷୀୟ ମାଦୁରୋ ଓ ୬୯ ବର୍ଷୀୟା ଫ୍ଲୋରେସଙ୍କୁ ଗତ ୩ ତାରିଖରେ ଆମେରିକା ସେନା ଗିରଫ କରିଥିଲା । ମାମଲାର ପରବର୍ତ୍ତୀ ଶୁଣାଣି ମାର୍ଚ୍ଚ ୧୭ରେ ହେବ।