କୋଣାର୍କ,୨୮/: ଆସନ୍ତା ଫେବ୍ରୁଆରୀ ୪ରେ ଚନ୍ଦ୍ରଭାଗା ତୀର୍ଥରେ ପବିତ୍ର ମାଘ ସପ୍ତମୀ  ବୁଡ଼ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର ଅପରାହ୍ଣରେ ଯାତ୍ରୀନିବାସ ସମ୍ମିଳନୀ କକ୍ଷରେ  ଦ୍ୱିତୀୟ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି ।  ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ  କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ଉପଜିଲ୍ଲାପାଳ ରାଜକିଶୋର ଜେନା, ଅତିରିକ୍ତ ଏସ୍‌ପି ବିଷ୍ଣୁ ପ୍ରସାଦ ପତି, କୋଣାର୍କ ଏନ୍‌ଏସି ଅଧ୍ୟକ୍ଷା  ସଂଯୁକ୍ତା ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ ।  

ଚନ୍ଦ୍ରଭାଗା ତୀର୍ଥରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ  ଭିଡ଼କୁ ଦୃଷ୍ଟିରେ ରଖି ମେଳା ପଡ଼ିଆରେ ପାନୀୟ  ଜଳ ଯୋଗାଣ ନିମନ୍ତେ ୬୦ଟି ନଳକୂପ, ୪୦ ଷ୍ଟାଣ୍ଡ ପୋଷ୍ଟ, ଏକ ଶହ ଅସ୍ଥାୟୀ ଶୌଚାଳୟ,  ୪ଟି ପାଣି ଟ୍ୟାଙ୍କର, ବୁଡ଼ ୩ଦିନ ପୂର୍ବରୁ  ତୀର୍ଥ ପୁଷ୍କରିଣୀ ଜଳ ନିଷ୍କାସନ ଓ ବିଶୋଧନ କରାଯିବାକୁ ନିଷ୍ପତ୍ତି ହୋଇଛି । ସେହିପରି  ହେଲିପ୍ୟାଡ୍‌ରେ ଟ୍ରାଫିକ୍‌ ବ୍ୟବସ୍ଥା, ଚନ୍ଦ୍ରଭାଗା,  ରାମଚଣ୍ଡୀ ଓ କୋଣାର୍କ ବସ୍‌ଷ୍ଟାଣ୍ଡରେ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର, ମାଘ ଷଷ୍ଠି ଓ ସପ୍ତମୀ ଦୁଇଦିନ  ପରିମଳ, ପାର୍କିଂ, ଆଲୋକ ବ୍ୟବସ୍ଥା, ଚନ୍ଦ୍ରଭାଗା  ବେଳାଭୂମି ଓ ତୀର୍ଥ ପୁଷ୍କରିଣୀରେ ୨୦ଜଣ ଲାଇଫ୍‌  ଗାର୍ଡ ନିଯୁକ୍ତ ହେବେ । ସପ୍ତମୀ ପୂର୍ବ ରାତିତମାମ  ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିବ । ସୂଚନା ପ୍ରସାରଣ,  ଶାନ୍ତିଶୃଙ୍ଖଳା ନିମନ୍ତେ ୩୩ପ୍ଲାଟୁନ୍‌ ଫୋର୍ସ  ମୁତୟନ ହେବେ । ଯାନବାହାନ ନିୟନ୍ତ୍ରଣ ଆଦି  ବ୍ୟବସ୍ଥାକୁ ସୂଚାରୁ ରୂପେ ସମ୍ପାଦନ କରିବା ପାଇଁ  ବିଭାଗୀୟ ଅଧିକାରୀମାନେ ବୈଠକରେ ସୂଚନା  ଦେଇଥିଲେ । ସପ୍ତମୀ ଦୁଇ ଦିନ ପୂର୍ବରୁ ସମସ୍ତ  କାର୍ଯ୍ୟ ତୁଲାଇବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଷଷ୍ଠୀ ଓ ସପ୍ତମୀ ଦୁଇ ଦିନ  ସୂର୍ଯ୍ୟମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ ରହିବ । କୋଣାର୍କ  ଓ ଗୋପରେ ମଦ ଦୋକାନ ବନ୍ଦ କରାଯିବ ।  

ସୂର୍ଯ୍ୟମନ୍ଦିର ଓ ନବଗ୍ରହ ମନ୍ଦିର ସମ୍ମୁଖରେ  ରାସ୍ତା ଦୁଇ ପାଶ୍ୱର୍ ଓ ରାସ୍ତା ମଝିରେ ଉଠା  ବ୍ୟବସାୟୀମାନେ ଜବରଦଖଲ କରିଥିବାରୁ ଟ୍ରାଫିକ୍‌ ସମସ୍ୟା ଦେଖାଦେବ ବୋଲି ବୈଠକରେ  ଆଲୋଚନା ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ  କାର୍ଯ୍ୟନିର୍ବାହୀ ଅଧିକାରୀ ଛବିରାଣୀ ସାହୁ, ନିମାପଡ଼ା ଏସ୍‌ଡିପିଓ ପ୍ରଭାତ କୁମାର ମଲ୍ଲିକ,  ତିନି ଠାକୁରଙ୍କ ସେବାୟତ, ମେଳାର ବ୍ୟବସ୍ଥା  ସହ ସମ୍ପୃକ୍ତ ବିଭିନ୍ନ ବିଭାଗୀୟ ଅଧିକାରୀ, କୋଣାର୍କର ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ ।