ନୂଆଦିଲ୍ଲୀ, ୦୭/୦୨ : ମହାକୁମ୍ଭରେ ମହାଅଘଟଣ। ପ୍ରୟାଗରାଜ କୁମ୍ଭମେଳାରେ ପୁଣି ଅଗ୍ନିକାଣ୍ଡ। ସେକ୍ଟର ୧୮ ଶଙ୍କରାଚାର୍ଯ୍ୟ ମାର୍ଗ ଟେଣ୍ଟରେ ଭୟଙ୍କର ନିଆଁ ଲାଗିଯାଇଛି। ପ୍ରୟାଗରାଜ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ମହାକୁମ୍ଭରେ ଦଳାଚକଟା ତାତି ଥମିନଥିବା ବେଳେ ଏବେ ଟେଣ୍ଟରେ ନିଆଁ ଲାଗିଯାଇଛି। ଅବ୍ୟବସ୍ଥା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

ସୂଚନାନୁଯାୟୀ, ଶୁକ୍ରବାର ସକାଳେ କୁମ୍ଭମେଳାରେ ପୁଣି ଥରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ସେକ୍ଟର-୧୮ ଶଙ୍କରାଚାର୍ଯ୍ୟ ମାର୍ଗରେ ଥିବା ଇସ୍କନ ଶିବିରରେ ଏସିର ଗ୍ୟାସ୍‌ ସିଲିଣ୍ଡର ଫାଟି ନିଆଁ ଲାଗିଯାଇଛି। ଅଗ୍ନିକାଣ୍ଡ ଫଳରେ ବହୁ କଟେଜ୍ ଜଳିପୋଡି ପାଉଁଶ ହୋଇଯାଇଛି। ଘଟଣାସ୍ଥଳରେ ପ୍ରୟାଗରାଜ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଏହି ଘଟଣାରେ କେହି ମୃତାହତ ହୋଇନାହାଁନ୍ତି। 

ଏହା ପୂର୍ବରୁ କୁମ୍ଭମେଳାରେ ଗୀତା ପ୍ରେସ୍ ଗୋରଖପୁର ଶିବିରରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିଲା। ଏହି ଦୁର୍ଘଟଣାରେ ଜଣେ ମହିଳା ଆହତ ହୋଇଥିଲେ। ଅଗ୍ନିକାଣ୍ଡ ଯୋଗୁଁ ଧାଁ ଦୌଡ଼ ବେଳେ ଦଳାଚକଟାରେ ଜଣେ ବ୍ୟକ୍ତି ଆହତ ହୋଇଥିଲେ। ଏହି ଅଗ୍ନିକାଣ୍ଡରେ ୧୦୦ରୁ ଉର୍ଦ୍ଧ୍ଵ ଟେଣ୍ଟ ଜଳି ଯାଇଥିଲା। ଶ୍ରଦ୍ଧାଳୁଙ୍କ ଭିଡ଼ ଯୋଗୁଁ ଦମକଳବାହିନୀ ଘଟଣାସ୍ଥଳରେ ବିଳମ୍ଵରେ ପହଞ୍ଚିଥିଲା। 

ସୂଚନା ଥାଉକି, ମହାକୁମ୍ଭରେ ଏପର୍ଯ୍ୟନ୍ତ ୪୦ କୋଟିରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁ ବୁଡ଼ ପକାଇ ସାରିଲେଣି। ଶୁକ୍ରବାର ସକାଳ ୮ଟା ସୁଦ୍ଦା ୪୦.୧୬ କୋଟି ବୁଡ଼ ପକାଇ ସାରିଲେଣି। କୁମ୍ଭମେଳାକୁ ଏବେବି ଶ୍ରଦ୍ଧାଳୁଙ୍କ ଆଗମନ ଜାରି ରହିଛି।