ନୂଆଦିଲ୍ଲୀ ୦୫/୦୫: ପହଲଗାମ୍ ଆକ୍ରମଣକୁ ନେଇ ଭାରତୀୟଙ୍କ ଆକ୍ରୋଶ ବଢ଼ିବାରେ ଲାଗିଛି । ପ୍ରତିଦିନ ବିଭିନ୍ନ ସ୍ଥାନରେ ଏହା ବିରୋଧରେ ପ୍ରଦର୍ଶନ ଓ ରାଲି ହେଉଛି । ଏହି କ୍ରମରେ ଅଯୋଧ୍ୟାରେ ଅଭିନବ ଭାବେ ଏହି ନରସଂହାରକୁ ବିରୋଧ କରାଯାଇଛି । ଭାରତୀୟ ସୈନ୍ୟବାହିନୀ ଅଜେୟ ରହିବା ଏବଂ ଦେଶର ସମସ୍ତ ଶତ୍ରୁଙ୍କ ସମୂଳ ନାଶ ମନସ୍କାମନା ସହିତ ଅଯୋଧ୍ୟାର ତପସ୍ୱୀ ଛାଉଣିରେ ଏକ ଧାର୍ମିକ ଅନୁଷ୍ଠାନ ଆୟୋଜିତ ହୋଇଛି । ଏଥିରେ ସର୍ବ ଶତ୍ରୁ ସଂହାରଣାୟ ମହାଯଜ୍ଞର ଆୟୋଜନ କରାଯାଇଛି ।
ଏ ଅବସରରେ ତପସ୍ୱୀ ଛାଉଣିର ପୀଠାଧୀଶ୍ୱର ଓ ସାଧୁସନ୍ଥମାନେ ଆହୁତି ଦେଇଛନ୍ତି ଏବଂ ଭାରତର ସମସ୍ତ ଶତ୍ରୁଙ୍କ ବିନାଶ ପାଇଁ ଯଜ୍ଞ କରିଛନ୍ତି । ତପସ୍ୱୀ ଛାଉଣିର ପୀଠାଧୀଶ୍ୱର ଜଗଦ୍ଗୁରୁ ପରମହଂସ ଆଚାର୍ଯ୍ୟ କହିଛନ୍ତି, ଦେଶର ଶତ୍ରୁଙ୍କ ସମୂଳ ନାଶ ପାଇଁ ସର୍ବ ଶତ୍ରୁ ସଂହାରଣାୟ ହୋମ ପୂଜା ଆୟୋଜିତ ହୋଇଛି । ଭାରତୀୟ ସୈନ୍ୟବାହିନୀ ଅପରାଜୟ ରୁହନ୍ତୁ, ଭାରତର ଗୌରବ ନିରନ୍ତର ବଢୁ ଏବଂ ଆତଙ୍କବାଦର ବିନାଶ ଓ ମାନବତାକୁ ରକ୍ଷା କରିବାର ଲଢ଼େଇରେ ସମଗ୍ର ବିଶ୍ୱ ଭାରତ ସହ ଠିଆ ହେଉ, ଏହି କାମନା ସହିତ ହୋମ ପୂଜା ଆୟୋଜନ କରାଯାଇଛି ।