ପ୍ରୟାଗରାଜ : ପ୍ରୟାଗରାଜରେ ହେବାକୁ ଥିବା ମହାକୁମ୍ଭ ପାଇଁ ରେଲୱେ ଯାତ୍ରୀଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି। ପ୍ରଥମଥର ଶ୍ରଦ୍ଧାଳୁ ଅଣସଂରକ୍ଷିତ ଟିକେଟ୍‌ ୧୫ଦିନ ପୂର୍ବରୁ ବୁକ୍‌ କରି ପାରିବେ। ଏବେସୁଦ୍ଧା ଅଣସଂରକ୍ଷିତ ଟିକେଟ୍‌ ୩ଦିନ ପୂର୍ବରୁ ନିଆଯାଇ ପାରେ। ସେପଟେ, ଟିକେଟ୍ କ୍ୟାନସେଲ କରିବାର ସମୟସୀମାକୁ ମଧ୍ୟ ୩ଘଣ୍ଟାରୁ ବଢାଇ ୬ଘଣ୍ଟା କରି ଦିଆଯାଇଛି। ଅର୍ଥାତ୍‌ ଶ୍ରଦ୍ଧାଳୁ ଟିକେଟ୍‌ ନେବାର ଛଅ ଘଣ୍ଟା ଭିତରେ ଏହାକୁ କ୍ୟାନସେଲ କରି ରିଫଣ୍ଡ ନେଇ ପାରିବେ। 

ମହାକୁମ୍ଭ ବେଳେ କୋଟିଏରୁ ଅଧିକ ଶ୍ରଦ୍ଧାଳୁଙ୍କୁ ତାଙ୍କର ଗନ୍ତବ୍ୟ ସ୍ଥଳ ଯାଏ ପହଞ୍ଚିବା ପାଇଁ ରେଲୱେ ବିଶେଷ ପ୍ରସ୍ତୁତି କରିଛି। ଉତ୍ତର ମଧ୍ୟ ରେଲୱେ , ଉତ୍ତର ରେଲୱେ ଓ ପୂର୍ବୋତ୍ତର ରେଲୱେ ମିଶି ୪୫ ଦିନରେ ମୋଟ ୧୩,୨୩୪ଟି ଟ୍ରେନ୍‌ ଚଲାଇବାର ଯୋଜନା କରିଛି। ଏଥିରେ ୧୮୦୦ଟି କମ୍‌ ଦୂରତା , ୭୦୦ ଲମ୍ୱା ଦୂରତା ଓ ୫୬୦ଚି ରିଙ୍ଗ ରେଳ ସେବା ସାମିଲ ଅଛି। 

ଉତ୍ତର -ମଧ୍ୟ ରେଲୱେର ଜିଏମ୍‌ ଉପେନ୍ଦ୍ର ଚନ୍ଦ୍ର ଯୋଶୀ ସୋମବାର ମହାକୁମ୍ଭର ପ୍ରସ୍ତୁତି ବିଷୟରେ ସୂଚନା ଦେଇଛନ୍ତି। ଏହି ସମୟରେ ଡିଆରଏମ ହିଂମାଶୁ ବଡୋନୀ, ଆଇଜି ଆରପିଏଫ୍ ଏଏନ ସିହ୍ନାଙ୍କ ସମେତ ଅନ୍ୟ ଅଫିସର ଉପସ୍ଥିତ ରହିଥିଲେ। ଜିଏମ କହିଛନ୍ତି , ୨୦୧୯ର କୁମ୍ଭରେ ସର୍ବାଧିକ ଶ୍ରଦ୍ଧାଳୁ ପ୍ରୟାଗରାଜ ଜଙ୍କସନରୁ ଯାତ୍ରା ପାଇଁ ପହଞ୍ଚି ଥିଲେ। ତଥ୍ୟ ମୁତାବିକ, ପାଖାପାଖି ୪୫-୫୦ ପ୍ରତିଶତ ଯାତ୍ରୀମାନେ ପ୍ରୟାଗରାଜ ଜଙ୍କସନରୁ , ୧୮ ପ୍ରତିଶତ ଫାଫାମଉ , ୧୨ ପ୍ରତିଶତ ଝୁନ୍ସି ଓ ୨୦ ପ୍ରତିଶତ ଅନ୍ୟ ଷ୍ଟେସନ ଗୁଡ଼ିକରୁ ଯାତ୍ରା କରିଥିଲେ। ଏହିଥର ଏହି ତଥ୍ୟ ଆଧାରରେ ବ୍ୟବସ୍ଥା ଗୁଡ଼ିକୁ ଆହୁରି ଭଲ କରାଯାଇଛି। 

ଜିଏମ୍‌ କହିଛନ୍ତି କି ୫୬୦ କାଉଣ୍ଟରରେ ପ୍ରତିଦିନ ୧୦ ଲକ୍ଷ ଶ୍ରଦ୍ଧାଳୁଙ୍କୁ ଟିକେଟ୍ ପ୍ରଦାନ କରାଯିବ। ମେଳାରୁ ନେଇ ସବୁ ରେଲୱେ ଷ୍ଟେସନ ବା ଯାତ୍ରୀ ଆଶ୍ରୟରେ କଲର ଟିକେଟର ସୁବିଧା ରହିବ। ଭିଡ଼ ନିୟନ୍ତ୍ରଣ ପାଇଁ ସିଭିଲ ଲାଇନ୍‌ସରୁ ପ୍ରସ୍ଥାନ ଓ ସିଟି ସାଉଡ୍‌ରୁ ପ୍ରବେଶ ହେବ।