ଭୁବନେଶ୍ଵର, ୧୧/୧୨ : ଖୁବଶୀଘ୍ର ବସିବ ମହାନଦୀ ଉଚ୍ଚସ୍ତରୀୟ କମିଟି ବୈଠକ। ସମସ୍ତ ତଥ୍ୟ ପ୍ରସ୍ତୁତ କରିବାକୁ ଜଳ ସମ୍ପଦ ବିଭାଗକୁ ନିର୍ଦ୍ଦେଶ। ମହାନଦୀ କମିଟିର ସଦସ୍ୟ ତଥା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ କହିଛନ୍ତି ଯେ, ଗତକାଲି ଜଳସମ୍ପଦ ବିଭାଗ ସଚିବଙ୍କ ସହ କମିଟି ଅଧ୍ୟକ୍ଷ କେଭି ସିଂଦେଓ କଥା ହୋଇଛନ୍ତି। ଖୁବଶୀଘ୍ର ଜଳସମ୍ପଦ ବିଭାଗ ସମସ୍ତ ବୈଷୟିକ ଦିଗ ଉପରେ ରିପୋର୍ଟ ଦେବ। ଛତିଶଗଡ଼ ଏହା ଭିତରେ ଅନେକ ବ୍ୟାରେଜ ନିର୍ମାଣ କରିଦେଇଛି। 

ରାଜସ୍ଵ ମନ୍ତ୍ରୀ କହିଛନ୍ତି ଯେ-
୧. କେନ୍ଦ୍ର ସରକାର ଓ ଛତିଶଗଡ଼ ସରକାରଙ୍କ ସହ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଏହି କମିଟି କାମ କରିବ।
୨. ଛତିଶଗଡ ସରକାରଙ୍କ ସହିତ ରାଜନୈତିକ ଆଲୋଚନା କରିବୁ।
୩. କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ, କେନ୍ଦ୍ର ଜଳ ଆୟୋଗକୁ ଦେଖା କରିବୁ।
୪. ଟ୍ରିବୁନାଲରେ ଏବଂ ସୁପ୍ରିମକୋର୍ଟରେ ଚାଲିଥିବା ମାମଲାର ଶୁଣାଣି କେମିତି ତ୍ୱରାନ୍ୱିତ ହେବ ସେନେଇ କମିଟି କାମ କରିବ।

​​​​​​​ସୂଚନା ଥାଉକି, ମହାନଦୀ ଜଳ ବିବାଦର ସମାଧାନ ପ୍ରକ୍ରିୟାକୁ ଆଗେଇ ନେବାକୁ ରାଜ୍ୟ ସରକାର ଉଚ୍ଚସ୍ତରୀୟ କମିଟି ଗଢ଼ିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ ଉଭୟ ଶାସକ ଓ ବିରୋଧୀ ଦଳର ବିଧାୟକ ରହିଛନ୍ତି । ୭ଜଣ ସଦସ୍ୟଙ୍କ ମଧ୍ୟରେ ୩ଜଣ ମନ୍ତ୍ରୀ ଓ ୪ ବିଧାୟକ ଅଛନ୍ତି । ଏହି କମିଟିରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ, ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ, ବିଜେଡିର ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଜେପିର ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଜୟନାରାୟଣ ମିଶ୍ର ଏବଂ କଂଗ୍ରେସ ଦଳର ଯୁବ ବିଧାୟିକା ସୋଫିଆ ଫିର୍ଦ୍ଦୋସ ସ୍ଥାନ ପାଇଛନ୍ତି।