ଭୁବନେଶ୍ବର, ୦୨/୦୩: ମହାନଦୀ ପାଇଁ ସଡ଼କରେ ସଂକୀର୍ତ୍ତନ ଓ ସତ୍ୟାଗ୍ରହ । ଭୁବନେଶ୍ୱର ଲୋୟାର ପିଏମଜିରେ ଅଭିନଵ ଢଙ୍ଗରେ ପ୍ରତିବାଦ । ମହାନଦୀ ବଞ୍ଚାଓ ଆନ୍ଦୋଳନର ମୁଖ୍ୟ ଆବାହକ ସୁଦର୍ଶନ ଦାଶଙ୍କ ନେତୃତ୍ୱରେ ଏହି ସତ୍ୟାଗ୍ରହ ଆରମ୍ଭ ହୋଇଛି l ମହାନଦୀ ଟ୍ରିବ୍ୟୁନାଲ ସମ୍ପ୍ରତି ଓଡିଶା ଗସ୍ତରେ ଆସିଛନ୍ତି l ଫେବୃଆରୀ ୨୬ରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଓଡିଶାରେ ରହି ବିଭିନ୍ନ ଅଞ୍ଚଳ ଗସ୍ତ କରିଛନ୍ତି l ଏହି ଗସ୍ତ ସମୟରେ ମହାନଦୀ ବଞ୍ଚାଓ ଆନ୍ଦୋଳନ ସଂଗଠନ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରତିବାଦ କରିଛି ।
ସଂଗଠନ ପକ୍ଷରୁ କୁହାୟାଇଛି, ଏହି ଗସ୍ତ ଦ୍ୱାରା ଓଡ଼ିଶା କିଛି ଲାଭ ପାଇବ ନାହିଁ ବରଂ ଓଡ଼ିଶାର ରାଜକୋଷରୁ ଅର୍ଥ ଶ୍ରାଦ୍ଧ ହେବ । ଯେପରି ୨୦୨୩ ମସିହାରେ ଟ୍ରିବ୍ୟୁନାନ ଗସ୍ତ ସମୟରେ ୫କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା l ଟ୍ରିବ୍ୟୁନାଲର ୭ ଵର୍ଷ କାର୍ଯ୍ୟକାଳ ଭିତରେ ଏକ ଆନ୍ତରୀଣ ରାୟ ଟ୍ରିବ୍ୟୁନାଲ ଦେଲେ ନାହିଁ । ଯେଉଁଥିରେ ଅଣ ମୌସୁମୀ ସମୟରେ ଓଡ଼ିଶାର ଦୁଃଖ ଲାଘବ ହୋଇଥାନ୍ତା । ଏନେଇ ଆଜି ମାର୍ଚ୍ଚ ୨ରୁ ମହାନଦୀ ଟ୍ରିବ୍ୟୁନାଲ ଓଡିଶା ଛାଡ଼ିବା ପୂର୍ବରୁ ଭୁବନେଶ୍ୱରରେ ଏହି ସତ୍ୟାଗ୍ରହ ଆରମ୍ଭ ହୋଇଛି l ଏହି ସତ୍ୟାଗ୍ରହରେ ରାଜ୍ୟର ବିଭିନ୍ନ ରାଜନୈତିକ ଦଳର ନେତୃତ୍ୱ, ସାମାଜିକ ସଂଗଠନ, ବୁଦ୍ଧିଜୀବୀ ମାନେ ଯୋଗ ଦେଇ ସତ୍ୟାଗ୍ରହରେ ସାମିଲ ହୋଇଛନ୍ତି । ଯଦି କଲମା ବ୍ୟାରେଜ୍ ପାଣି ମହାନଦୀରେ ଛତିଶଗଡ ସରକାର ନଛାଡ଼ନ୍ତି ତେବେ ଏହି ଆନ୍ଦୋଳନକୁ ବ୍ୟାପକ କରିବାକୁ ଚେତାବନୀ ଦେଇଛି ମହାନଦୀ ବଞ୍ଚାଓ ଆନ୍ଦୋଳନ ସଂଗଠନ ।