ଭୁବନେଶ୍ଵର, ୧୧/୦୪ : ମହାନଦୀ ଜଳ ବିବାଦ ମାମଲା। ଏପ୍ରିଲ ୨୦ରେ ହେବ ପରବର୍ତ୍ତୀ ଶୁଣାଣି। ଆଡ୍ଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଏନେଇ ସୂଚନା ଦେଇଛନ୍ତି। ଗତ ମାସରେ ହୋଇଥିବା କ୍ଷେତ୍ରୀୟ ପରିଦର୍ଶନର ରିପୋର୍ଟକୁ ଶୁଣାଣିରେ ଅନ୍ତର୍ଭୁକ୍ତ କରିବା ପାଇଁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି। ଅଗଷ୍ଟ ୨୦୨୫ରୁ ଏବେ ପର୍ଯ୍ୟନ୍ତ ଟେକ୍ନିକାଲ ଟିମର ୧୩ ଥର ବୈଠକ ହୋଇସାରିଛି। ମହାନଦୀରେ ଏବେ ଯାଏ କେତେ ଜଳ ପ୍ରବାହିତ ହୋଇଛି ତାର ହାରାହାରି ବାହାର କରାଯାଇଛି। ଡେଲ୍ଟା ଏବଂ ଅନ୍ୟ ଅଞ୍ଚଳରେ ସମ୍ପୂର୍ଣ୍ଣ ଜଳ ରାଶିକୁ ହିସାବ କରିଛନ୍ତି ଦୁଇ ରାଜ୍ୟର ଟେକ୍ନିକାଲ ଟିମ୍। ଏହି ଡାଟାକୁ ଟ୍ରିବ୍ୟୁନାଲରେ ପ୍ରସ୍ତୁତ କରାଯାଇଛି। ମହାନଦୀକୁ ନେଇ ହୋଇଥିବା ସମାଧାନର ଅନେକ ସମସ୍ୟାର ସମାଧାନ ନେଇ ଦୁଇ ରାଜ୍ୟ ଭିତରେ ସହମତି ପ୍ରକାଶ ପାଇଛି।
ଏ ଜି ପିତାମ୍ବର ଆଚାର୍ଯ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ସଚିବ ସ୍ତରୀୟ ବୈଠକରେ ଆପୋଷ ବୁଝାମଣା ନେଇ ଆଲୋଚନା ସଫଳତାର ସହ ଆଗକୁ ବଢ଼ିଛି। ମହାନଦୀ ମାମଲାର ଆପୋଷ ସମାଧାନ ପାଇଁ ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଦୁଇ ରାଜ୍ୟ ସହ ଆଲୋଚନା କରି ସମାଧାନ କରିବାକୁ ଜୋର୍ ଦେଇଛନ୍ତି। ତେବେ ଓଡ଼ିଶା ସ୍ୱାର୍ଥକୁ ଅଗ୍ରାଧିକାର ଦେଇ ମହାନଦୀର ଜଳକୁ ଓଡ଼ିଶା ପାଇଁ କିପରି ସୁବିନିଯୋଗ କରାଯିବ ତାଉପରେ ଗୁରୁତ୍ୱ ଦିଆଯାଉଛି। ଏପ୍ରିଲ ୨୦ ଅପରାହ୍ନ ସାଢେ ୨ଟାରେ ପରବର୍ତ୍ତୀ ଶୁଣାଣି ହେବ।
ଏହି ଖବରଟିକୁ ପଢନ୍ତୁ- ୨୦୨୭ ଜାନୁଆରୀ ଯାଏଁ ବଢିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି, ଆପୋଷ ବୁଝାମଣା ହୋଇପାରୁନି କହି ବିଜେଡି ବିଧାୟକଙ୍କ ଟାର୍ଗେଟ୍