ପୁରୀ, ୦୪/୦୮: ଶ୍ରୀ ମଣିମାଙ୍କ ଶ୍ରାବଣର ଝୁଲଣ କୁଞ୍ଜ ବେଶ ଓ ଲୀଳା। ଯଦ୍ୟପି ଏହା ମହାପ୍ରଭୁଙ୍କ ଦ୍ୱାଦଶ ଯାତ୍ରା ଅନ୍ତର୍ଭୁକ୍ତ ନୁହେଁ, ତଥାପି ଏହା ଏକ ଉପଯାତ୍ରା ରୂପେ ପାଳିତ ହୁଏ । ଶ୍ରୀମନ୍ଦିର ମୁକ୍ତିମଣ୍ଡପ ଝୁଲଣ କୁଞ୍ଜରେ ପରିଣତ ହୋଇଥାଏ । ବିଭିନ୍ନ ପଶୁପକ୍ଷୀ, ଜୀବଜନ୍ତୁଙ୍କ ପ୍ରତିକୃତିରେ ସୁସଜ୍ଜିତ ହୋଇଛି ଏହି ଝୁଲଣ କୁଞ୍ଜ । ଶ୍ରୀ ମହାପ୍ରଭୁଙ୍କ ଆଜ୍ଞା ପାଇ ଶ୍ରୀ ମଦନମୋହନ, ଶ୍ରୀଦେବୀ ଓ ଭୂଦେବୀ ଝୁଲଣରେ ବିଜେ ହୋଇ ଝୁଲଣ କୁଞ୍ଜରେ ସଖୀ, ସହଚରୀଙ୍କ ସହ ଦୋଳି ଖେଳିଥାନ୍ତି । ୭ ଦିନ ଧରି ଶ୍ରୀମନ୍ଦିରରେ ଝୁଲଣଯାତ୍ରା ଅନୁଷ୍ଠିତ ହେବ।
ଶ୍ରୀମନ୍ଦିର ବ୍ୟତୀତ ଶ୍ରୀଜଗନ୍ନାଥ ସଂସ୍କୃତି ସହ ଜଡ଼ିତ ଶ୍ରୀକ୍ଷେତ୍ରର ମଠ, ମନ୍ଦିରରେ ବି ଆଜିଠାରୁ ଝୁଲଣ ଯାତ୍ରା ଆରମ୍ଭ ହେବ । ଜଗନ୍ନାଥବଲ୍ଲଭ ମଠ, ରାଧାବଲ୍ଲଭ ମଠ, ରାଧେଶ୍ୟାମ ମଠ, ମଣିରାମ ମଠ ପ୍ରମୁଖ ଝୁଲଣର ବଡ଼ ବଡ଼ ତୋରଣ ପ୍ରସ୍ତୁତ କରିବା ସହ ରାଧାକୃଷ୍ଣଙ୍କ ସହ ଅନ୍ୟ ଦେବାଦେବୀଙ୍କୁ ଝୁଲଣ କୁଞ୍ଜରେ ବସାଇ ପୂଜାର୍ଚ୍ଚନା କରିଥାନ୍ତି । ଅନ୍ନ ବ୍ୟଞ୍ଜନଠାରୁ ଆରମ୍ଭ କରି ନାନାଦି ଭୋଗ ଲାଗି କରିଥାନ୍ତି । ଓଡିଶାର ଅନ୍ୟାନ୍ୟ ମଠ ମନ୍ଦିରରେ ମଧ୍ୟ ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଗଜପତି ମହାରାଜା ଦିବ୍ୟସିଂହ ଦେବ (ଦ୍ୱିତୀୟ)ଙ୍କ ସମୟରେ ଏହା ଶ୍ରୀମନ୍ଦିରରେ ପ୍ରଥମେ ପାଳନ କରାଯାଇଥିଲା । ଶ୍ରୀମନ୍ଦିରରେ ଗୌଡ଼ୀୟମାନଙ୍କ ପ୍ରଭାବ ସମ୍ପର୍କରେ ଏହି ଯାତ୍ରାସୂଚନା ଦେଉଛି । ଗୌଡ଼ୀୟ ସମ୍ପ୍ରଦାୟର ରାଧାକୃଷ୍ଣ ହେଉଛନ୍ତି ଉପାସ୍ୟ । ସେଥିପାଇଁ ଶ୍ରୀକୃଷ୍ଣ ଗୋପରେ ଥିବା ବେଳେ କରିଥିବା ରାସକୁ ସେମାନେ ଶ୍ରୀମନ୍ଦିରରେ ପ୍ରଚଳନ କରିଛନ୍ତି।
ପରମ୍ପରା ଅନୁଯାୟୀ, ଶ୍ରୀମନ୍ଦିରରେ ଶ୍ରାବଣ ଶୁକ୍ଳ ଦଶମୀ ତିଥିଠାରୁ ଆରମ୍ଭ ହୋଇ ଭାଦ୍ରବ କୃଷ୍ଣ ପ୍ରତିପଦା ପର୍ଯ୍ୟନ୍ତ ୭ ଦିନ ଧରି ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ନୀତି ପାଇଁ ଭଣ୍ଡାରରୁ ରୂପା ଗିନା ଆସେ । ଘଟୁଆରୀ ଚନ୍ଦନ ଆଣି ଯୋଗାଇ ଥାଆନ୍ତି। ଭଣ୍ଡାର ମେକାପ ଅଳଙ୍କାର ଯୋଗାଇ ଥାଆନ୍ତି। ମନ୍ଦିର କୋଠରୁ ମାଣ୍ଡୁଅ ଓ ଅନ୍ୟାନ୍ୟ ଜିନିଷମାନ ଯୋଗା ଯାଇଥାଏ । ଏହି ନୀତି ପାଇଁ ପ୍ରାୟ ୧୫ ରୁ ଉର୍ଦ୍ଧ୍ୱରେ ସେବକଙ୍କର ଆବଶ୍ୟକତା ପଡିଥାଏ। ପୁରାଣ ବର୍ଣ୍ଣିତ କଥା ଅନୁଯାୟୀ, ଦ୍ୱାପର ଯୁଗରେ ଶ୍ରୀକୃଷ୍ଣ ବୃନ୍ଦାବନରେ ବାସ କରୁଥିଲେ। ବର୍ଷାକାଳରେ ଗୋପାଙ୍ଗନାମାନେ ଶ୍ରୀରାଧା ଓ ଶ୍ରୀକୃଷ୍ଣଙ୍କୁ ଯମୁନା କୁଞ୍ଜରେ ଦୋଳିରେ ବସାଇ ଝୁଲାଉଥିଲେ। ଏଥିରେ କେବଳ ରାଧା-କୃଷ୍ଣ ନୁହନ୍ତି, ଗୋପାଙ୍ଗନାମାନେ ମଧ୍ୟ ଆନନ୍ଦ ପାଉଥିଲେ। ବର୍ଷାକାଳରେ ହେଉଥିବା ଏହି ରାସକୁ ପ୍ରାବୃତରାସ ବୋଲି କୁହାଯାଇଥାଏ। ଏହି ରାସର ସ୍ମରଣରେ କାହିଁ କେଉଁ କାଳରୁ ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା ପାଳିତ ହୋଇ ଆସୁଛି।
ଆଜି ଝୁଲଣର ପ୍ରଥମ ଦିନ ଅର୍ଥାତ ଶ୍ରାବଣ ଶୁକ୍ଳ ଦଶମୀ ଦିନ ମଧ୍ୟାହ୍ନ ଧୂପ ବଢ଼ିବା ପରେ ଭିତର ଗମ୍ଭୀରରେ ପାଣି ପଡି ଧୁଆ ଯିବା ପରେ ଖୁଣ୍ଟିଆ ପୁଷ୍ପାଳକଙ୍କୁ ଡାକିଥାନ୍ତି। ଏହି ସମୟରେ ଗରାବଡୁ ସେବକଙ୍କ ଠାରୁ ହାତୁଆଣୀ ନେଇ ପୁଷ୍ପାଳକ ସେବକମାନେ ଶ୍ରୀ ଜୀଉମାନଙ୍କ ମଇଲମ କରିଥାନ୍ତି । ପାଳିଆ ମେକାପ ତିନୋଟି ରୂପା ଗିନାରେ ଘଟୁଆରୀ ସେବକ ଦେଇଥିବା ଚନ୍ଦନକୁ ନେଇ ପାଳିଆ ପୁଷ୍ପାଳକଙ୍କୁ ବଢ଼ାଇଥାନ୍ତି । ତିନି ବାଡ଼ରେ ସର୍ବାଙ୍ଗ ଚନ୍ଦନ ଲାଗି କଲାପରେ ଶ୍ରୀଜୀଉମାନଙ୍କ ବେଶ ବଢିଥାଏ। ଏହି ଦିନ ଏହି ସମୟରେ ସେବକମାନେ ରତ୍ନସିଂହାସନରୁ ଶ୍ରୀଦେବୀ ଓ ଭୂଦେବୀଙ୍କୁ ଦକ୍ଷିଣୀ ଘର ପ୍ରାଙ୍ଗଣରେ ଖଟଶେଜ ମେକାପ ପକାଇଥିବା ଶେଜ ଉପରେ ବିଜେ କରାନ୍ତି ଓ ଦକ୍ଷିଣୀ ଘରୁ ମଦନମୋହନଙ୍କୁ ଆଣି ବିଜେ କରାନ୍ତି । ଏହିଠାରେ ୩ଦିଅଁଙ୍କ ବେଶ ମହାଜନ ସେବାୟତ କରିଥାନ୍ତି। ଏହାପରେ ପୂଜାପଣ୍ଡା ସେବକ ତିନି ଗୋଟି ସରାରେ ତିନି ଗୋଟି ମାଣ୍ଡୁଅ ସର୍ପାମଣୋହି ପୂର୍ବକ ଭୋଗ କରିଥାନ୍ତି । ଏହାପରେ ଦକ୍ଷିଣୀ ଘରେ ବିରାଜିତ ସମସ୍ତ ଚଳନ୍ତି ପ୍ରତିମାଙ୍କ ଭୋଗ ହୋଇଥାଏ। ତତ୍ପରେ ଛାମୁ ଦିହୁଡ଼ି ସହ ଶ୍ରୀଦେବୀ, ଭୂଦେବୀ ଓ ମଦନମୋହନ ରତ୍ନସିଂହାସନ ବିଜେ କରିଥାନ୍ତି । ସେଠାରେ ପୁଷ୍ପାଳକ ସେବକମାନେ ତିନି ବାଡ଼ରେ କର୍ପୁର ଲାଗି କରିବା ପରେ ସିଂହାସନରୁ ଓହ୍ଲାଇ ତିନି ବାଡ଼ରେ ସନ୍ଧ୍ୟା ଆଳତି କରିଥାନ୍ତି। ଏହାପରେ ଜନୈକ ପୂଜାପଣ୍ଡା ସେବକ ହାତୁଆଣି ନେଇ ମହାପ୍ରଭୁଙ୍କ ଦକ୍ଷିଣ ଭୁଜରୁ ଆଜ୍ଞାମାଳ ନେଇ ଶ୍ରୀ ମଦନମୋହନଙ୍କୁ ଓ ଉତ୍ତର ଭୁଜର ଦୁଇ ଆଜ୍ଞାମାଳ ଭୂଦେବୀ ଓ ଶ୍ରୀଦେବୀଙ୍କୁ ଲାଗି କରିଥାନ୍ତି। ତତ୍ପରେ ଛାମୁ ଦିହୁଡ଼ି ସହ ମହାଜନ ସେବକମାନେ ତିନି ଚଳନ୍ତି ପ୍ରତିମାଙ୍କୁ ହସ୍ତରେ ବିଜେ କରାଇ ଜଗମୋହନ, ବଟ ଦ୍ୱାର ଦେଇ ଝୁଲଣ ମଣ୍ଡପ ଦୋଳି ଉପରେ ବିଜେ କରାନ୍ତି। ଏଠାରେ ବିଡ଼ିଆ ମଣୋହି ହୋଇଥାଏ। ଭିତରେ ସନ୍ଧ୍ୟଧୂପ ବଢ଼ିବା ପରେ ଝୁଲଣ ମଣ୍ଡପରେ ସୁଦୁ ସୁଆର ପାଣି ପକାଇବା ପରେ ଆସ୍ଥାନ ପ୍ରତିହାରୀ ଟେରା ବାନ୍ଧି ଶୀତଳ ଭୋଗ ପୂଜା କରିଥାନ୍ତି । ତତ୍ପରେ ପାଳିଆ ପୂଜାପଣ୍ଡା ଆସି ପଞ୍ଚ ଉପଚାରରେ ପୂଜା କରିଥାନ୍ତି। ଭୋଗ ଶେଷ ହେବା ପରେ ମୁଦିରସ୍ତ ବନ୍ଦାପନା ନୀତି ବଢ଼ାଇଥାନ୍ତି। ରତ୍ନସିଂହାସନରେ ଶ୍ରୀଜୀଉଙ୍କ ଚନ୍ଦନ ଲାଗି ନୀତି ସରିବା ପରେ ଝୁଲଣ କୁଞ୍ଜରେ ମହାଜନ ମାନେ ମଇଲମ କରି ଶ୍ରୀ ମଦନମୋହନଙ୍କୁ ଦକ୍ଷିଣୀ ଘର ଓ ଶ୍ରୀଦେବୀ, ଭୂଦେବୀଙ୍କୁ ରତ୍ନସିଂହାସନ ବିଜେ କରାଇଥାନ୍ତି। ଏହିପରି ଭାବେ ୭ ଦିନ ବ୍ୟାପି ଝୁଲଣ ଯାତ୍ରା ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥାଏ।