ସ୍ନାନୋଦକସ୍ୟ ନୃପତେ ଭାବାଂସ୍ତଦ୍ଽଭକ୍ତିଲାଳସଃ।

ତଦ୍ଦିନେଽପି ନିଶାୟାଶ୍ଚ ଯାମାନନ୍ତରତୋ ନୃପ।।

କୁର୍ଯ୍ୟାତ୍ତୁ ଜଗଦୀଶସ୍ୟ ନିଦ୍ରାଭଙ୍ଗଂ ଯଥାବିଧି।

ପୁରୀ ୨୮/୦୬ : ହେ ରାଜା ଇନ୍ଦ୍ରଦ୍ୟୁମ୍ନ ! ମହାପ୍ରଭୁ ସାକ୍ଷାତ ମାନବ ପରି ଯାତ୍ରା ଆରମ୍ଭ କରୁଛନ୍ତି... ନିଜ ଅଙ୍ଗଙ୍କୁ ସୁରକ୍ଷିତ ରଖିବା ପାଇଁ ସେନାପଟା ଲାଗି ହେଉଛନ୍ତି, ଭକ୍ତିଭାବ ସହକାରେ ସେହିଦିନ ରାତ୍ରିରେ ଏକ ପ୍ରହର ପରେ ପ୍ରଭୁଙ୍କର ଯଥାବିଧି ନିଦ୍ରାଭଙ୍ଗ କରାଇବ। ବିଦ୍ୟାପତି ଓ ବିଶ୍ୱାବସୁ ବଂଶର ସେବକମାନେ ଜଗନ୍ନାଥଙ୍କର ପୃଷ୍ଠ ଓ ବାହୁଦ୍ୱୟରେ କାଷ୍ଠଖଣ୍ଡ ଏବଂ ଲାଲବସ୍ତ୍ର ଦୃଢ ଭାବରେ ବାନ୍ଧି ସର୍ବାଙ୍ଗରେ ଶ୍ୱେତ ଓ ରକ୍ତବର୍ଣ୍ଣର ବସ୍ତ୍ର ଆଚ୍ଛାଦନ କରି ଶ୍ରୀଅଙ୍ଗକୁ ଦୃଢ ଏବଂ ରମଣୀୟ କରିବେ। ତାହାପରେ ଜଗନ୍ନାଥଙ୍କ ଶ୍ରୀଅଙ୍ଗ ବାନ୍ଧିବା ପରି ବଳଭଦ୍ର ଏବଂ ସୁଭଦ୍ରାଙ୍କର ଶ୍ରୀଅଙ୍ଗକୁ ବାନ୍ଧି ଦୃଢ କରିବେ।

ମହାପ୍ରଭୁ ରଥାରୂଢ ହୋଇ ଶ୍ରୀଗୁଣ୍ଡିଚା ଯାତ୍ରା କରିବା ପୂର୍ବରୁ ସମ୍ପାଦନ ହୋଇଥାଏ ଅନେକ ନୀତିକାନ୍ତି । ସେଥିମଧ୍ୟରୁ ସ୍ନାନଯାତ୍ରା ଅନ୍ୟତମ, ଯାହାକୁ ମହାପ୍ରଭୁଙ୍କ ଆଦ୍ୟଯାତ୍ରା ମଧ୍ୟ କୁହାଯାଏ ଏହାପୂର୍ବରୁ ମହାପ୍ରଭୁଙ୍କ ସେନାପଟା ଲାଗି ନୀତି ଅନୁଷ୍ଠିତ ହୋଇଥାଏ । ଆଜି ମହାପ୍ରଭୁଙ୍କର ସେନାପଟା ଲାଗି ନୀତି । ସେନାପଟା ଅର୍ଥାତ୍ ସେନାପତି ଭଳି ପୋଷାକ ବା ଯୋଦ୍ଧା ପରି ପୋଷାକ । ପହଣ୍ଡି ହୋଇ ଆସନ୍ତା କାଲି ମଣିମା ସ୍ନାନମଣ୍ଡପକୁ ବିଜେ କରିବେ । ପହଣ୍ଡି ସମୟରେ ମଣିମାଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏ ସେନାପଟା ଏକ ଢାଲ ସଦୃଶ କାର୍ଯ୍ୟ କରିଥାଏ। ମଣିମାଙ୍କ ଶରୀର ଲହୁଣୀ ଠାରୁ ବେଶୀ କୋମଳ...ପୁଣି ବଜ୍ର ଠାରୁ ବେଶୀ କଠିନ . . . ସେ ଅଚଳ ମହାମେରୁ ପୁଣି ତାଙ୍କ ସ୍ଵଇଚ୍ଛାରେ ସେ ତାଙ୍କ ଭକ୍ତଙ୍କ ଅଧିନ ହୋଇ ଛେଚି କୁଟି ହେଇ ଭକ୍ତଙ୍କ କାନ୍ଧରେ ପହଣ୍ଡି ହୋଇ ଯାଆନ୍ତି । ତେଣୁ ଶ୍ରୀଅଙ୍ଗକୁ କିପରି ବାଧା ନ ଆସେ ଏଥିପାଇଁ ପହଣ୍ଡି ପୂର୍ବରୁ ପାଟପତନି ଦିଆଯାଇ ଏକ ସେନାପଟା ଲାଗି ରୂପେ ସ୍ଵତନ୍ତ୍ର ବସ୍ତ୍ର ପରିଧାନ କରାଯାଏ । ବଉଳ କାଠରେ ଏକ ସ୍ଵତନ୍ତ୍ରଭାବେ କବଚ଼ ସଦୃଶ ଶ୍ରୀଅଙ୍ଗକୁ ଆଛାଦିତ କରାଯାଇଥାଏ । ପତି ମହାପାତ୍ର ଓ ଦଇତାପତି ସେବକ ମାନଙ୍କ ଦ୍ୱାରା ଏ ସ୍ୱତନ୍ତ୍ର ସେନାପଟା ଲାଗି ବେଶ ସମ୍ପନ୍ନ ହୋଇଥାଏ । ସ୍ନାନଯାତ୍ରା ଓ ଶ୍ରୀଗୁଣ୍ଡିଚା ଯାତ୍ରାରେ ମହାପ୍ରଭୁଙ୍କୁ ଦଇତାପତି ସେବାୟତମାନେ ପହଣ୍ଡି କରି ନେବାବେଳେ ମହାପ୍ରଭୁଙ୍କ ଶ୍ରୀଅଙ୍ଗର ସୁରକ୍ଷା ପାଇଁ ସେନାପଟା ଓ ବାହୁଟ କଣ୍ଟ ନୀତି ହୋଇଥାଏ । ଏହା ଏକ ଗୁପ୍ତନୀତି ହୋଇଥିବାରୁ ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ କେବଳ ଦଇତାପତି ସେବାୟତମାନେ ଏହି ନୀତି ସମ୍ପାଦନ କରନ୍ତି । ଶ୍ରୀଜୀଉଙ୍କ ପହଣ୍ଡି କାଳୀନ ସୁରକ୍ଷା ପାଇଁ ସେନାପଟା ଓ ବାହୁଟ ଲାଗି ସେବା ପ୍ରଚଳିତ ରହିଛି ।ସାକ୍ଷୀଗୋପାଳର ବକୁଳ ବନରୁ ସଂଗୃହିତ ବଉଳ କାଠ ଚିରଟ କରାଯାଇ ସେଥିରେ ଶ୍ରୀମନ୍ଦିର ବିଶ୍ଵକର୍ମା ସେବାୟତ ବାହୁଟ ଓ ସେନାପଟା ପ୍ରସ୍ତୁତ କରନ୍ତି । ସାକ୍ଷୀଗୋପାଳକୁ ମହାପ୍ରଭୁଙ୍କ ଅଜାଘର ବୋଲି ମଧ୍ୟ କୁହାଯାଏ । ତେବେ ମହାପ୍ରଭୁଙ୍କ ସେନାପଟା ଓ ବାହୁଟ କଣ୍ଟ ପାଇଁ ବକୁଳ ବନରୁ ହିଁ କାହିଁକି କାଠ ଆସେ ତା ପଛରେ ବି ରହିଛି ଏକ ସ୍ବତନ୍ତ୍ର କାହାଣୀ ।

ଏକଦା ଜଣେ ତପସ୍ବୀ ସିଦ୍ଧ ବକୁଳ ବନରେ ତପସ୍ୟା କରୁଥିଲେ । ସେହି ତପସ୍ବୀଙ୍କୁ ପରଖିବା ପାଇଁ ବଡ଼ଦେଉଳରୁ ଜଗା, ବଳିଆ ଦୁଇ ଭାଇ ବାହାରି ଆସିଥିଲେ । ପ୍ରକୃତରେ ସେ ସାଧୁ କି ନୁହେଁ ତାହା ଜାଣିବା ପାଇଁ । ପରୀକ୍ଷା କରିବା ପାଇଁ ଆସିବା ବେଳେ ବଣରେ ଖୁବ୍ ପାଚିଲା ପଣସ ହୋଇଥିବା ଜଗନ୍ନାଥ ବଳଭଦ୍ର ଦେଖିଲେ ଓ ତାଙ୍କର ଖାଇବାକୁ ଆଗ୍ରହ ହୋଇଥିଲା । ଏପଟେ ତପସ୍ୟାରତ ସିଦ୍ଧ ବଳରାମ ବଣରେ କେହି ପ୍ରବେଶ କରିଥିବା ଜାଣିପାରିଥିଲେ । ସେ ସଙ୍ଗେ ସଙ୍ଗେ ତପସ୍ୟା ଭଙ୍ଗ କରି ପଚାରିଥିଲେ, ‘କିଏ ତମେ ରାତି ସମୟରେ ବଣରେ ପ୍ରବେଶ କରି ପଣସ ଚୋରି କରୁଛ ?’ । ଯାହା ପରେ ଦୁଇ ଠାକୁର ଚୋର ନୁହନ୍ତୁ ବୋଲି କହିଥିଲେ । ତପସ୍ବୀ କିନ୍ତୁ କହିଥିଲେ ଯେ ସେ ଦୁହିଁଙ୍କୁ ବକୁଳ ଗଛରେ ବାନ୍ଧି ସକାଳୁ ରାଜାଙ୍କ ଆଗରେ ଫେରାଦ ଦେବେ । ସେମାନଙ୍କୁ ବାନ୍ଧିବାକୁ ଉଦ୍ୟତ ହୁଅନ୍ତେ ପ୍ରଭୁ ଜଗନ୍ନାଥ ଓ ବଳଭଦ୍ର ନିଜ ପରିଚୟ ଦେଇଥିଲେ ଓ କହିଥିଲେ ଯେ ସେ ଦୁହେଁ ସାଧୁଙ୍କୁ ପରଖିବା ପାଇଁ ଆସିଥିଲେ ।

ଏହାପରେ ଜଗା ବଳିଆଙ୍କୁ ତପସ୍ବୀ କହିଥିଲେ ଏପରି ଆପଣ ଚାଲିଗଲେ ଏହି ଘଟଣା ଲୁଚି ରହିଯିବ । ଭକ୍ତ ଓ ଭଗବାନର ଏହି ସମ୍ପର୍କକୁ ସାରା ଜଗତ ଜାଣିବ କେମିତି । ଯାହାପରେ ଭଗବାନ କହିଥିଲେ ଯେ, ଏହି କଥା ସାରା ଜଗତ ଜାଣିବ, ଯେଉଁ ବକୁଳ କାଠରେ ଆପଣ ଆମକୁ ବାନ୍ଧିବେ କହୁଥିଲେ ପ୍ରତିବର୍ଷ ସେହି କାଠରେ ସ୍ନାନଯାତ୍ରା ଓ ଗୁଣ୍ଡିଚା ଯାତ୍ରା ପୂର୍ବରୁ ସେନାପଟା ଓ ବାହୁଟ ନିର୍ମାଣ ହୋଇ ଆମ ଦେହରେ ବନ୍ଧା ହେବ । ତାପରେ ପ୍ରତିବର୍ଷ ଦେବସ୍ନାନ ପୂର୍ଣ୍ଣିମା ଠାରୁ ନୀଳାଦ୍ରି ବିଜେ ପୂର୍ବରୁ ପ୍ରତ୍ୟେକ ପହଣ୍ଡିରେ ବକୁଳ କାଠରେ ନିର୍ମିତ ସେନାପଟା ଓ ବାହୁଟ ଲାଗି କରାଯାଇଥାଏ । ସ୍ନାନ ପୂର୍ଣ୍ଣିମା ପୂର୍ବରୁ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ଦଇତା ପ୍ରବେଶ ପରେ ଦଇତାପତି ସେବାୟତ ମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ବାହୁଟ ଓ ସେନାପଟା ଲାଗି କରିବାର ପରମ୍ପରା ରହିଛି ।

ଆହୁରି ପଢ଼ନ୍ତୁ...Rath Yatra 2026 : ସ୍ନାନ ଯାତ୍ରା ଓ ରଥଯାତ୍ରା ପାଇଁ ଶ୍ରୀମନ୍ଦିରକୁ ପ୍ରବେଶ କଲେ ଦଇତାପତି

ଲୀଳାମୟ ମହାପ୍ରଭୁଙ୍କ ଅନେକ ଲୀଳା । ମାନବୀୟ ଲୀଳା କରୁଥିବାରୁ ଭଗବାନ ମଧ୍ୟ ଠିକ୍ ମାନବ ପରି ଯାତ୍ରା ସମୟରେ ନିଜ ଅଙ୍ଗ ସୁରକ୍ଷା ପାଇଁ ସେନାପଟା, ବାହୁଟ ଧାରଣ କରନ୍ତି । ପବିତ୍ର ଜ୍ୟେଷ୍ଠ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ଶ୍ରୀମନ୍ଦିରରେ ଚତୁର୍ଥୀ ହୋମ ଓ ସେନାପଟା ଲାଗି ନୀତି ଅନୁଷ୍ଠିତ ହୋଇଥାଏ । ସକାଳେ ଚାରମାଳ ବନ୍ଧା ସରିବା ପରେ ସେନାପଟା ଲାଗି କରାଯାଉଛି । ଆଜି ସକାଳେ ଚାରମାଳ ବନ୍ଧା ସରିବା ପରେ ଦଇତାମାନେ ପତି ମହାପାତ୍ରଙ୍କ ସହ ରତ୍ନସିଂହାସନ ଉପରକୁ ଯାଇ ମାଳ ଫୁଲ ମଇଲମ କରିଥାନ୍ତି। ଏହାପରେ ରୁନ୍ଧା ହୋଇଥିବା ରସିକ ଶିକୁଳି ଓ ଶୁଆ ଥନ୍ତିଆ ମଇଲମ କରି ଭଣ୍ଡାର ମେକାପ ଙ୍କୁ ଦେଇଥାନ୍ତି। ଏହାପରେ ଦିଅଁଙ୍କ ସେନାପଟା ଲାଗି ହୋଇଥାଏ। ତତ୍ପରେ ପୂର୍ବଦିନ ରୁ ଦକ୍ଷିଣ ଘରେ ଥିବା ଭୂଦେବୀ ଓ ମାଧବଙ୍କୁ ରତ୍ନସିଂହାସନ କୁ ବିଜେ କରିଥାନ୍ତି। ଏହାପରେ ଦୈନଦିନ ମଙ୍ଗଳ ଆଳତୀ ହୋଇଥାଏ। ଚାର ବନ୍ଧା ହୋଇଥିବା ଯୋଗୁଁ ଅବକାଶ ନୀତି ଅଣସର ପିଣ୍ଡି ରେ ହୋଇଥାଏ। ବେଶ ବଢିବା ପରେ ସକାଳ ଧୂପ , ଆଲଟ ଓ ଚନ୍ଦନ ଲାଗି ହୋଇଥାଏ। ଏହିପରି ମଧ୍ୟାହ୍ନ , ସନ୍ଧ୍ୟା ଧୂପ ବଢିଥାଏ। ଏହି ସମସ୍ତ ଧୂପ ଚାରଥିବା ଯୋଗୁଁ ସମସ୍ତ ନୀତି ଅଣସର ପିଣ୍ଡି ରେ ହୋଇଥାଏ। ଏହି ସେନାପଟା ଲାଗିହେବା ପରେ ମହାପ୍ରଭୁ ଏକ ସୁନ୍ଦର ବାଳକ ସ୍ୱରୁପ ଦଖା ଯାଇଥାନ୍ତି ଏହି ସୁନ୍ଦର ବେଶ ଦେଖିଲେ ଅନେକ ପୁଣ୍ୟ ମିଳିଥାଏ ।