କ୍ଷମତା ପାଇଁ ବିଜେପି-କଂଗ୍ରେସ କୋଳାକୋଳି !
ପୌର ପରିଷଦରେ ଅପ୍ରତ୍ୟାଶିତ ବିଜେପି-କଂଗ୍ରେସ ମେଣ୍ଟ...
'ସିନ୍ଦେଙ୍କ ଶିବସେନା ପିଠିରେ ଛୁରୀ'...
ନୂଆଦିଲ୍ଲୀ : ମହାରାଷ୍ଟ୍ର ରାଜନୀତିରେ ଘମାସାନ। କ୍ଷମତା ପାଇଁ କଂଗ୍ରେସ ସହ ହାତ ମେଳାଇବାକୁ ପଛାଇନି ବିଜେପି। ରାଜ୍ୟର ଅମ୍ବରନାଥ ପୌର ପରିଷଦରେ ଏଭଳି ଘଟଣା ଘଟିଛି, ଯାହା ରାଜ୍ୟରେ ରାଜନୈତିକ ଉତ୍ତେଜନା ସୃଷ୍ଟି କରିଛି। ଦେଶବ୍ୟାପୀ କଂଗ୍ରେସ ମୁକ୍ତ ଭାରତ ଗଠନ ପାଇଁ ଆହ୍ବାନ ଦେଉଥିବା ବିଜେପି ଏଠାରେ କଂଗ୍ରେସ ସହିତ ମିଶି କ୍ଷମତାର ପଥ ବାଛିଛି। ଅମ୍ବରନାଥ ପୌର ପରିଷଦରେ ଏକ ଅପ୍ରତ୍ୟାଶିତ ବିଜେପି-କଂଗ୍ରେସ ମେଣ୍ଟ ସୃଷ୍ଟି ହୋଇଛି, ଯେଉଁଥିରେ ସିନ୍ଦେ ଗୋଷ୍ଠୀକୁ ଏଡାଇ ଦିଆଯାଇଛି ଏବଂ ଏହି ମେଣ୍ଟ ଯୋଗୁଁ ବିଜେପି ବହୁମତ ଆଡ଼କୁ ଗତି କରୁଛି।
ଶିବସେନା ସିନ୍ଦେ ଗୋଷ୍ଠୀ ବିଜେପି ଉପରେ ଖପ୍ପା...
ବିଜେପିର ତେଜଶ୍ରୀ କରଞ୍ଜୁଲେ ଅମ୍ବରନାଥ ପୌର ପରିଷଦରେ ମେୟର ପଦବୀରେ ବିଜୟୀ ହୋଇଛନ୍ତି। ବିଜେପିର ୧୬, କଂଗ୍ରେସର ୧୨ ଏବଂ ଏନସିପି (ଅଜିତ ପାୱାର ଗୋଷ୍ଠୀ) ର ୪ ଜଣ ସମେତ ୩୨ ଜଣ କାଉନସିଲରଙ୍କ ମେଣ୍ଟ ସହିତ, ବିଜେପି ସ୍ପଷ୍ଟ ବହୁମତ ପାଇବ। ହେଲେ ଏହି ଘଟଣାକ୍ରମ ଶିବସେନା ସିନ୍ଦେ ଗୋଷ୍ଠୀ ମଧ୍ୟରେ ବ୍ୟାପକ ଅସନ୍ତୋଷ ସୃଷ୍ଟି କରିଛି। ଶିବସେନା ଶିନ୍ଦେ ଗୋଷ୍ଠୀ ବିଜେପି ଉପରେ ଏକ କଠୋର ଆକ୍ରମଣ ଆରମ୍ଭ କରିଛି, ଏହି ମେଣ୍ଟକୁ ଅଶୋଭନୀୟ ବୋଲି କହିଛି।
"ଏହି ମେଣ୍ଟ ଶିବସେନାର ପିଠିରେ ଛୁରୀ ମାରିବା ଭଳି।"
ସିନ୍ଦେ ଗୋଷ୍ଠୀର ବିଧାୟକ ଡକ୍ଟର ବାଲାଜୀ କିନିକର କଂଗ୍ରେସ ମୁକ୍ତ ଭାରତ ପାଇଁ ସମର୍ଥନ କରୁଥିବା ବିଜେପି ଉପରେ କଂଗ୍ରେସ ସହିତ ମେଣ୍ଟ କରି ଶିବସେନା ଉପରେ ଆକ୍ରମଣ କରିବାର ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି କଂଗ୍ରେସ ମୁକ୍ତ ଭାରତ ଘୋଷଣା କରିଥିବା ବିଜେପି ଏବେ କଂଗ୍ରେସ ସହିତ ମେଣ୍ଟ ଗଠନ କରିଛି। ଏହି ମେଣ୍ଟ ଶିବସେନାର ପିଠିରେ ଛୁରୀ ମାରିବା ଭଳି।
କ’ଣ କହିଲେ ସିନ୍ଦେଙ୍କ ପୁଅ ...
ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ପୁଅ ଶ୍ରୀକାନ୍ତ ସିନ୍ଦେ ଏହି ସମ୍ପୂର୍ଣ୍ଣ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି। ଶ୍ରୀକାନ୍ତ ସିନ୍ଦେ କହିଛନ୍ତି, "ଅମ୍ବରନାଥରେ ବିଜେପି-କଂଗ୍ରେସ ମେଣ୍ଟ ସମ୍ପୂର୍ଣ୍ଣ ଭାବରେ ଆମର ସହଯୋଗୀ ଦଳ ବିଜେପି ପାଇଁ ଏକ ପ୍ରଶ୍ନ। ବିଜେପି ନେତାମାନେ ଏହାର ଉତ୍ତର ଭଲ ଭାବରେ ଦେଇପାରିବେ। ବହୁ ବର୍ଷ ଧରି, ବିଜେପି ଏବଂ ଶିବସେନା କେନ୍ଦ୍ର, ରାଜ୍ୟ ଏବଂ ପୌର ସ୍ତରରେ ମେଣ୍ଟରେ ଅଛନ୍ତି। ଏହି ମେଣ୍ଟ ଅଖଣ୍ଡ ରହିବା ଉଚିତ। ଶିବସେନା ଅମ୍ବରନାଥରେ କ୍ଷମତାରେ ଥିଲା ଏବଂ ଶିବସେନା ଅମ୍ବରନାଥରେ ଭଲ ବିକାଶ କାର୍ଯ୍ୟ କରିଛି। ସେମାନେ ଏବେ ଯାହା ନିଷ୍ପତ୍ତି ନେବେ, ଶିବସେନା ବିକାଶ ରାଜନୀତି କରୁଥିବା ଲୋକଙ୍କ ସହିତ ରହିବ।"
ବିଜେପି ଆମର ପ୍ରସ୍ତାବର ଉତ୍ତର ଦେଇନାହିଁ - ଶିବସେନା
ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ଏବଂ ଶିବସେନା (ସିନ୍ଦେ ଗୋଷ୍ଠୀ) ନେତା ଦୀପକ କେସରକର କହିଛନ୍ତି, "ଆମେ ସ୍ଥାନୀୟ ବିଜେପି ନେତାମାନଙ୍କୁ ଏକାଠି ସରକାର ଗଠନ କରିବାକୁ ପ୍ରସ୍ତାବ ଦେଇଥିଲୁ, କିନ୍ତୁ ସେମାନେ ଉତ୍ତର ଦେଇ ନଥିଲେ। ଆମର ବିଜେପି ସହିତ ଭଲ ସମନ୍ୱୟ ରହିଛି, ଏବଂ ଯେଉଁଠାରେ ଆମର ବିଜେପି ସହିତ ମେଣ୍ଟ ଅଛି, ଆମେ ପରସ୍ପରକୁ ସମର୍ଥନ ଏବଂ ସାହାଯ୍ୟ କରୁଛୁ। ଅମ୍ବରନାଥ ପୌର ପରିଷଦରେ ବିଜେପି ଏବଂ ଶିବସେନା ମଧ୍ୟରେ ମେଣ୍ଟ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଉଭୟ ଦଳର ନେତାମାନେ ନେବେ।"