ମୁମ୍ବାଇ/ରାଞ୍ଚି,୨୩/୧୧:ଶନିବାର ମହାରାଷ୍ଟ୍ର ଓ  ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଭୋଟ ଗଣତି  । ଏଥିପାଇଁ ସମସ୍ତ ପ୍ରସ୍ତୁତି  ଶେଷ ହୋଇଛି । ନିର୍ବାଚନ କମିଶନଙ୍କ ପକ୍ଷରୁ  ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।  ସକାଳ ୮ଟାରେ ପ୍ରଥମେ ପୋଷ୍ଟାଲ ବାଲଟ  ଏବଂ ପରେ ଇଭିଏମ୍‌ର ଭୋଟ ଗଣତି ହେବ । ପୂର୍ବାହ୍ନ ସୁଦ୍ଧା ଫଳାଫଳର ଚିତ୍ର ସାମ୍‌ନାକୁ  ଆସିବାର ସମ୍ଭାବନା ରହିଛି । ଏହି ଦୁଇ  ରାଜ୍ୟର ଶାସନ ଭାର କାହା ହାତକୁ ଯିବ  ତାହା ଉପରେ ସଭିଁଙ୍କ ନଜର ରହିଛି । ଏଥିସହ  ପଞ୍ଜାବ, କେରଳ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ ରାଜ୍ୟରେ ହୋଇଥିବା ଉପନିର୍ବାଚନ ଫଳାଫଳ  ମଧ୍ୟ ଶନିବାର ଜଣାପଡ଼ିବ ।  

ଝାଡ଼ଖଣ୍ଡର ମୋଟ ୮୧ ଆସନରେ  ନଭେମ୍ବର ୧୩ ଏବଂ ୨୦ରେ ଦୁଇଟି  ପର୍ଯ୍ୟାୟରେ ମତଦାନ ହୋଇଥିଲା ।  ସେହିପରି ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ରରେ  ଗୋଟିଏ ପର୍ଯ୍ୟାୟରେ ନଭେମ୍ବର ୨୦ରେ  ଭୋଟ ଗ୍ରହଣ କରାଯାଇଥିଲା । ମହାରାଷ୍ଟ୍ରରେ  ୬୨.୦୫% ଭୋଟିଂ ହୋଇଥିବାବେଳେ  ଝାଡ଼ଖଣ୍ଡରେ ୬୮.୦୧ ପ୍ରତିଶତ ମତଦାନ  ହୋଇଥିଲା । ଏଥିସହ ୧୫ ରାଜ୍ୟର ୪୮  ବିଧାନସଭା ଆସନ ଏବଂ ୨ଟି ଲୋକସଭା  ଆସନରେ ଦୁଇଟି ପର୍ଯ୍ୟାୟରେ ଉପନିର୍ବାଚନ  ହୋଇଥିଲା । ସେଥିମଧ୍ୟରେ ପଞ୍ଜାବର ୪ ଏବଂ  ୟୁପିର ୯ ବିଧାନସଭା ଆସନ, କେରଳର  ୱାୟନାଡ଼ ଏବଂ ମହାରାଷ୍ଟ୍ରର ନାନ୍ଦେଡ  ଲୋକସଭା ଆସନ ରହିଛି । ନିର୍ବାଚନ  କମିଶନଙ୍କ ଅଫିସିଆଲ ୱେବସାଇଟରେ  ସମସ୍ତ ତଥ୍ୟ ଅପ୍‌ଡେଟ୍‌ ରହିବ । ଭୋଟ  ଗଣତି କେନ୍ଦ୍ରଗୁଡ଼ିକରେ ଏଥିପାଇଁ କଡ଼ା  ସୁରକ୍ଷା ବ୍ୟବସ୍ଥା କରାଯାଇଛି ।  

ଅଧିକାଂଶ ବୁଥ୍‌ବାହୁଡ଼ା ମତ ବା ଏକ୍‌ଜିଟ  ପୋଲ ପୂର୍ବାନୁମାନ ଅନୁସାରେ ମହାରାଷ୍ଟ୍ରରେ  ବିଜେପି ନେତୃତ୍ୱାଧୀନ ମହାୟୁତି ମେଣ୍ଟକୁ ବହୁମତ ମିଳିପାରେ । ଏହି ରାଜ୍ୟରେ କଂଗ୍ରେସ-ଶିବସେନା(ଉଦ୍ଧବ)- ଏନ୍‌ସିପି(ଶରଦ ପାୱାର) ମେଣ୍ଟ ମହାବିକାଶ ଅଘାଡ଼ି  (ଏମ୍‌ଭିଏ) ମହୟୁତିକୁ ଟକ୍କର ଦେଇପାରେ । ଏବେ  ମହାରାଷ୍ଟ୍ରରେ ମହାୟୁତି ସରକାର ଅଛି । ଝାଡ଼ଖଣ୍ଡରେ  ଜେଏମ୍‌ଏମ୍‌-କଂଗ୍ରେସ-ଆର୍‌ଜେଡି (ଇଣ୍ଡିଆ ବ୍ଲକ୍‌)  କ୍ଷମତାରେ ଥିବାବେଳେ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ  ସହ କଡ଼ା ଟକ୍କର ଦେଖିବାକୁ ମିଳିପାରେ ବୋଲି  ଅନୁମାନ କରାଯାଇଛି । ବୁଥ ବାହୁଡା ମତକୁ ନେଇ  କେତେକ ଦଳ ବେଶ୍‌ ଉତ୍ସାହିତ ହୋଇପଡିଥିଲା ବେଳେ  ଆଉ କେତେକ ଦଳ ଏହାକୁ ଗ୍ରହଣ କରିପାରି ନାହାନ୍ତି।