ମୁମ୍ବାଇ: ରାଜ୍‌ ଠାକରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ୍‌) ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି ।  ପଞ୍ଚମ ତାଲିକାରେ ୧୫ ପ୍ରାର୍ଥୀଙ୍କ ନାଁ ସାମିଲ ରହିଛି । ସୋମେଶ୍ବର କଦମଙ୍କୁ ଦଳ ବିଡ୍‌ ବିଧାନସଭା ଆସନରୁ ପ୍ରାର୍ଥୀ କରିଛି । ସବୁଠୁ ବଡ଼ କଥା ହେଉଛି, ଶନିବାର ପ୍ରକାଶ ପାଇଥିବା ଏହି ପଞ୍ଚମ ତାଲିକାରେ ରାଜ ଠାକରେଙ୍କ ପୁଅ ଅମିତ ଠାକରେଙ୍କ ନାଁ ସାମିଲ ଅଛି । ସେ ଆଗାମୀ ବିଧାନସଭା ନିର୍ବାଚନରେ ଡେବ୍ୟୁ କରିବାକୁ ଯାଉଛନ୍ତି । ତାଙ୍କୁ ମହିମ ଆସନରୁ ପ୍ରାର୍ଥୀ କରିଛି ଏମଏନଏସ୍‌ ।  




ରାଜ୍‌ ଠାକରେଙ୍କ ପରିବାରରେ ଅମିତ ତୃତୀୟ ବ୍ୟକ୍ତି ଭାବରେ ନିର୍ବାଚନୀ ମୈଦାନକୁ ଓହ୍ଲାଇବେ । ତାଙ୍କ ବାପା ଏବଂ ଏମଏନଏସ୍‌ ସୁପ୍ରିମୋ ରାଜ୍‌ ଠାକରେ କେବେ ବି ନିର୍ବାଚନ ଲଢ଼ିନାହାନ୍ତି । ଅମିତ ଠାକରେ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକରେଙ୍କ ପୁତୁରା ଏବଂ ଆଦିତ୍ୟ ଠାକରେଙ୍କ ଭାଇ । ଉଦ୍ଧବଙ୍କ ପୁଅ ଆଦିତ୍ୟ ଠାକରେ ୨୦୧୯ ବିଧାନସଭା ନିର୍ବାଚନରେ ଓ୍ବର୍ଲି ଆସନରୁ ନିର୍ବାଚନ ଲଢ଼ି ଜିତିଥିଲେ । ସେହିଭଳି ମୁଖ୍ୟମନ୍ତ୍ରୀ ହେବା ପରେ ଉଦ୍ଧବ ଠାକରେ ୨୦୨୦ରେ ବିଧାନ ପରିଷଦକୁ ନିର୍ବାଚିତ ହୋଇଥିଲେ । 

କେନ୍ଦ୍ରୀୟ ମୁମ୍ବାଇରେ ଥିବା ମହିମରେ ହିଁ ଶିବସେନା (ୟୁବିଟି)ର ମୁଖ୍ୟାଳୟ ରହିଛି ।  ଏହି ନିର୍ବାଚନ ମଣ୍ଡଳୀ ୧୯୯୦ରୁ ଅବିଭାଜିତ ଶିବସେନା କିମ୍ବା ଏମଏନଏସ୍‌ ହାତରେ ରହିଆସିଛି ।   ୨୦୦୯ରେ ଏମଏନଏସ୍‌ର ନୀତିନ ସରଦେଶାଇ ମହିମରୁ ନିର୍ବାଚିତ ହୋଇଥିଲେ ।  ନଭେମ୍ବର ୨୦ରେ ହେବାକୁ ଥିବା ମହାରାଷ୍ଟ୍ର ନିର୍ବାଚନ ଲାଗି ମହାରାଷ୍ଟ୍ର ନବନିର୍ମାଣ ସେନା ପ୍ରଥମେ ୪୫ ଜଣିଆ ପ୍ରାର୍ଥୀ ତାଲିକା ଜାରି କରିଥିଲା । ସେଥିମଧ୍ୟରୁ ୧୬ଟି ସିଟ୍‌ କେବଳ ମୁମ୍ବାଇରେ ରହିଛି ।  

ଏମଏନଏସ୍‌ ସନ୍ଦୀପ ଦେଶପାଣ୍ଡେଙ୍କୁ ଓ୍ବର୍ଲି ଆସନରୁ ପ୍ରାର୍ଥୀ କରିଛି । ସେହିଭଳି ଏମଏନଏସର ଏକମାତ୍ର ବିଧାୟକ ପ୍ରମୋଦ ପାଟିଲଙ୍କୁ ଦଳ କଲ୍ୟାଣ ଗ୍ରାମୀଣ ଆସନରୁ ଟିକେଟ ଦେଇଛି । ଏହା ସହ ଥାନେରୁ ପ୍ରାର୍ଥୀ ହୋଇଛନ୍ତି ଅବିନାଶ ଯାଦବ ।