ମୁମ୍ବାଇ ୧୭/୦୧: ବଲିଉଡ୍‌ ଅଭିନେତା ସୈଫ୍‌ ଅଲି ଖାନଙ୍କୁ ମରଣାନ୍ତ ଆକ୍ରମଣ ମୁମ୍ବାଇ ବାସୀଙ୍କ ଛାତି ଥରାଇ ଦେଇଛି। ସଲମାନ ଖାନଙ୍କ ବାସଭବନ ବାହାରେ ଗୁଳି ଚଳନା ଏବଂ ବାବା ସିଦ୍ଦିକିଙ୍କ ହତ୍ୟା ଘଟଣା ଏପର୍ଯ୍ୟନ୍ତ ଲୋକଙ୍କ ମନରୁ ଯାଇଛି। ବର୍ତ୍ତମାନ ସୈଫ୍‌ଙ୍କ ଛୁରାମାଡ ଘଟଣା ପୁଣି ଲୋକଙ୍କୁ ଡରାଇଛି। ଯାହାପରେ ମୁମ୍ବାଇ ସୁରକ୍ଷିତ ନୁହେଁ ବୋଲି ପ୍ରଶ୍ନ ଉଠୁଛି। ଏହି ଘଟଣାକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ମୁହଁ ଖୋଲିଛନ୍ତି।

ନିକଟରେ କଙ୍ଗନା ରଣାୱତଙ୍କ ଫିଲ୍ମ 'ଏମରଜେନ୍ସି' ର ସ୍ୱତନ୍ତ୍ର ସ୍କ୍ରିନିଂରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନଭିସ୍ ଯୋଗ ଦେଇଥିଲେ। ଏହି ସମୟରେ ସେ ଗଣମାଧ୍ୟମ ସହିତ କଥା ହୋଇଥିଲେ। ସେ କହିଛନ୍ତି, “ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କ ଉପରେ ହୋଇଥିବା ଆକ୍ରମଣ ଏକ ଗୁରୁତର ଘଟଣା। କିନ୍ତୁ ଏହି କାରଣରୁ ସମଗ୍ର ମୁମ୍ବାଇକୁ ଅସୁରକ୍ଷିତ ବୋଲି କହିବା ଭୁଲ ହେବ। ଦେଶର ଆର୍ଥିକ ରାଜଧାନୀକୁ ସୁରକ୍ଷିତ ରଖିବା ପାଇଁ ସରକାର ପଦକ୍ଷେପ ନେବେ। ମୁଁ ଭାବୁଛି ଦେଶର ବଡ ସହର ମଧ୍ୟରେ ମୁମ୍ବାଇ ସବୁଠାରୁ ସୁରକ୍ଷିତ। ଏହା ସତ୍ୟ ଯେ ବେଳେବେଳେ କିଛି ଘଟଣା ଘଟେ, ଏବଂ ସେଗୁଡିକୁ ଗମ୍ଭୀରତାର ସହ ନିଆଯିବା ଉଚିତ୍। ଏଭଳି ଘଟଣା ଯୋଗୁଁ ମୁମ୍ବାଇ ଅସୁରକ୍ଷିତ ବୋଲି କହିବା ଠିକ୍ ନୁହେଁ। ଏହା ଦ୍ୱାରା ମୁମ୍ବାଇର ଭାବମୂର୍ତ୍ତି ଖରାପ ହେଉଛି। କିନ୍ତୁ ସହରକୁ ସୁରକ୍ଷିତ ରଖିବା ପାଇଁ ସରକାର ନିଶ୍ଚିତ ଭାବେ ଉଦ୍ୟମ କରିବେ।”

ତେବେ ଏଥିସହିତ ସୈଫ ଅଲି ଖାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଉଦ୍ବେଗ ପ୍ରକାଶ କରିଛନ୍ତି। ସେ ଏକ୍ସ ଆକାଉଣ୍ଟରେ ପୋଷ୍ଟ ସେୟାର କରି ଲେଖିଛନ୍ତି, ସୈଫ ଅଲି ଖାନଙ୍କ ଉପରେ ହୋଇଥିବା ଆକ୍ରମଣ ଖବର ଶୁଣି ମୁଁ ଆଶ୍ଚର୍ଯ୍ୟ । ସେ ଶୀଘ୍ର ସୁସ୍ଥ ହେବାର କାମନା ମୁଁ କରୁଛି। ” ଏମାନଙ୍କ ବ୍ୟତୀତ ଶିବସେନା ନେତା ତଥା ରାଜ୍ୟସଭା ସଦସ୍ୟ ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି ଯେ ଅଭିନେତା ସଲମାନ ଖାନଙ୍କ ବାସଭବନ ବାହାରେ ଗୁଳି ଚଳାଇବା ଏବଂ ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପରେ ସୈଫଙ୍କ ଘରେ ଏହି ଘଟଣା ଆଉ ଏକ "ହାଇ ପ୍ରୋଫାଇଲ ହତ୍ୟା ଉଦ୍ୟମ"। ଏହା ପୁଣି ଥରେ ମୁମ୍ବାଇ ପୋଲିସ ଏବଂ ଗୃହମନ୍ତ୍ରୀଙ୍କ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।