ମୁମ୍ବାଇ,୦୩/୧୨: ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିବାର ୧୦ ଦିନ ପରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ  ନାମ ଚୂଡ଼ାନ୍ତ ହୋଇପାରିନାହିଁ । ମହାୟୁତି  ଅର୍ଥାତ୍‌ ବିଜେପି, ଏକନାଥ ସିନ୍ଦେଙ୍କ  ଶିବସେନା ଓ ଅଜିତ ପାୱାରଙ୍କ ଏନ୍‌ସିପି  ଜଣେ ମୁଖ୍ୟମନ୍ତ୍ରୀ, ୨ ଜଣ ଉପ ମୁଖ୍ୟମନ୍ତ୍ରୀ  ଫର୍ମୁଲା ସ୍ଥିର କରିଛନ୍ତି । 

ବିଜେପି ପକ୍ଷରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଗୁଜରାଟର  ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନିଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି । ରୂପାନି ମଙ୍ଗଳବାର ସନ୍ଧ୍ୟାରେ  ଓ ସୀତାରମଣ ଡିସେମ୍ବର ୪ ତାରିଖ  ସକାଳେ ମୁମ୍ବାଇ ପହଞ୍ଚିବେ । ୪ ତାରିଖ  ସକାଳ ୧୦ଟାରେ ବିଧାନ ଭବନର ସେଣ୍ଟ୍ରାଲ  ହଲ୍‌ରେ ବିଜେପି ବିଧାୟକ ଦଳର ବୈଠକ  ଅନୁଷ୍ଠିତ ହେବ । ସେଠାରେ ମୁଖ୍ୟମନ୍ତ୍ରୀଙ୍କ  ନାମ ସ୍ଥିର କରାଯିବ । 

ଡିସେମ୍ବର ୫  ତାରିଖ ସନ୍ଧ୍ୟା ୫ଟାରେ ମୁମ୍ବାଇର ଆଜାଦ ମୈଦାନରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇପାରେ । ବିଜେପି ପକ୍ଷରୁ ଦେବେନ୍ଦ୍ର ଫଡନବିସ୍‌  ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି କୁହାଯାଉଛି ।  ସେପଟେ ଅଜିତ ପାୱାର ଓ ଫଡନବିସ୍‌ ସୋମବାର ଦିଲ୍ଲୀରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିବାର ଥିଲା । ପାୱାର ଦିଲ୍ଲୀ ପହଞ୍ଚିଥିବାବେଳେ ଫଡନବିସ୍‌ଙ୍କ ଗସ୍ତ ଅଚାନକ ରଦ୍ଦ ହୋଇଛି । ଏବେ ସେ ଭିଡିଓ  କନ୍‌ଫରେନ୍ସିଂ ଜରିଆରେ ବୈଠକରେ ସାମିଲ  ହେବେ । ଅନ୍ୟପଟେ ଅସୁସ୍ଥ ଥିବା କାମଚଳା ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦଙ୍କ ଘରକୁ ଯାଇ  ଶିବସେନା ସାଂସଦ ସଞ୍ଜୟ ଶିରସାଟ୍‌ ତାଙ୍କର  ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛିଥିଲେ । ସିନ୍ଦେ ସୋମବାର ଦଳୀୟ ବିଧାୟକମାନଙ୍କ ସହିତ ବୈଠକ  କରିବାର ଥିବାବେଳେ ତାହା ରଦ୍ଦ ହୋଇଥିଲା । ଡାକ୍ତରମାନେ ତାଙ୍କୁ ଆରାମ କରିବାକୁ ପରାମର୍ଶ ଦେଇଛନ୍ତି । ଇତିମଧ୍ୟରେ ତାଙ୍କ ପୁଅ  ଶ୍ରୀକାନ୍ତ ସିନ୍ଦେ ଉପମୁଖ୍ୟମନ୍ତ୍ରୀ ଦୌଡ଼ରେ ନଥିବା ପ୍ରକାଶ କରିଛନ୍ତି । ଏପରିକି ସେ  କେନ୍ଦ୍ରମନ୍ତ୍ରୀ ପଦ ଲାଗି ଲାଳାୟିତ ନଥିବା  ସ୍ପଷ୍ଟ କରିଛନ୍ତି । ସେପଟେ ସିନ୍ଦେଙ୍କ ଅସୁସ୍ଥତା  ଲାଗି ଏନ୍‌ଡିଏର ବୈଠକକୁ ମଙ୍ଗଳବାର ଯାଏ ସ୍ଥଗିତ ରଖାଯାଇଛି। 

ମହାରାଷ୍ଟ୍ରରେ ମହାୟୁତିକୁ ୨୩୦ଟି ଆସନ  ମିଳିଛି । ବହୁମତ ଲାଗି ଜରୁରି ସଂଖ୍ୟାଠାରୁ  ଏହା ୮୫ ଅଧିକ । ସେଥିମଧ୍ୟରୁ ବିଜେପି ୧୩୨, ଶିବସେନା ସିନ୍ଦେ ୫୭ ଓ ଏନ୍‌ସିପି  ଅଜିତ ପାୱାର ୪୧ଟି ଆସନ ପାଇଛନ୍ତି