ମୁମ୍ବାଇ, ୩୧/୧ : ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଭାବେ ଶନିବାର ଶପଥ ଗ୍ରହଣ କରିଛନ୍ତି ସୁନେତ୍ରା ପାଓ୍ବାର । ସ୍ବାମୀ ଅଜିତ ପାଓ୍ବାରଙ୍କ ସ୍ଥାନରେ ସେ ଉପମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିଛନ୍ତି । ମାତ୍ର ଅଜିତ ପାଓ୍ବାରଙ୍କ ପାଖରେ ଥିଲା ଅର୍ଥ ବିଭାଗ । ଯାହାକି, ସୁନେତ୍ରାଙ୍କୁ ମିଳିନାହିଁ । କ୍ରୀଡ଼ା, ରାଜ୍ୟ କଲ୍ୟାଣ, ଅବକାରୀ ସାଙ୍ଗକୁ ସଂଖ୍ୟାଲଘୁ ବ୍ୟାପାର ବିଭାଗ ମିଳିଛି । ମାତ୍ର ମୁଖ୍ୟ ବିଭାଗ ଭାବେ ଗଣା ଯାଉଥିଲା ଅର୍ଥ ବିଭାଗ ତାଙ୍କୁ ଦିଆଯାଇନାହିଁ । ଅଜିତ ପାଓ୍ବାର ମେଣ୍ଟରେ ଦବଦବା ରଖିଥିବାବେଳେ ନିଜ ପାଖରେ ରଖିଥିଲେ ଅର୍ଥ ବିଭାଗ ।
ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନସିବ ନିଜେ ଅର୍ଥ ବିଭାଗ ରଖିବେ ବୋଲି କୁହାଯାଉଛି । ବାକି ବିଭାଗ ସୁନେତ୍ରାଙ୍କୁ ହସ୍ତାନ୍ତର କରାଯିବ । ତେବେ ଅର୍ଥ ବିଭାଗକୁ ନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ । ଆଗକୁ ବଜେଟ୍ ଅଧିବେଶନ ହେବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ନିଜେ ଉପସ୍ଥାପନ କରିବେ । ପୂର୍ବରୁ ୨୦୨୩ ମସିହାରେ ବଜେଟ୍ ଉପସ୍ଥାପନ କରିବାର ଅଭିଜ୍ଞତା ଫଡନସିବଙ୍କ ପାଖରେ ରହିଛି । ସେପଟେ ସୁନେତ୍ରା ଶପଥ ଗ୍ରହଣ କରିବା ପରେ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଏହାସହ ପଢ଼ନ୍ତୁ : ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ସୁନେତ୍ରା ପାଓ୍ବାର