ମୁମ୍ବାଇ,୯।୧୧: ଠାକରେ ପରିବାରର ବାସଭବନ ‘ମାତୋଶ୍ରୀ’ ବାହାରେ ଏକ ଅଜଣା ଡ୍ରୋନ୍ ଉଡିବାକୁ ନେଇ ଆରମ୍ଭ ହୋଇଛି ବିବାଦ। ରବିବାର ସକାଳେ ଏହି ଡ୍ରୋନ୍ ଉଡୁଥିବାର ଦେଖିବାକୁ ମିଳିଥିଲା । ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଥିଲା। ଏହି ଅଞ୍ଚଳରେ ଡ୍ରୋନ୍ ଉଡିବା ଘଟଣା ସୁରକ୍ଷା ଏଜେନ୍ସି ଏବଂ ଠାକରେ ଗୋଷ୍ଠୀ ଉଭୟଙ୍କୁ ଚିନ୍ତିତ କରିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ‘ମାତୋଶ୍ରୀ’ ଏବଂ MMRDA କାର୍ଯ୍ୟାଳୟ ମଧ୍ୟରେ ଥିବା ରାସ୍ତାରେ କିଛି ସମୟ ପାଇଁ ଡ୍ରୋନ୍ ଟି ଉଡ଼ୁଥିବାର ଦେଖାଯାଇଥିଲା।‘ମାତୋଶ୍ରୀ’ରେ ନିୟୋଜିତ ସୁରକ୍ଷା କର୍ମୀମାନେ ଡ୍ରୋନ୍ ଦେଖିବା ମାତ୍ରେ ତୁରନ୍ତ ଏହାର ଏକ ଭିଡିଓ ରେକର୍ଡ କରିଥିଲେ ଏବଂ ସମ୍ପୃକ୍ତ ସୁରକ୍ଷା ଅଧିକାରୀଙ୍କୁ ଜଣାଇଥିଲେ।
ରିପୋର୍ଟ ଅନୁଯାୟୀ, ଠାକରେ ଗୋଷ୍ଠୀ ଅଭିଯୋଗ କରିଥିଲେ ଯେ ଡ୍ରୋନ୍ ଉଦ୍ଧବ ଠାକରେଙ୍କୁ ଭେଟିବାକୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିବା ପାଇଁ ବ୍ୟବହାର କରାଯାଇଛି। ଶିବସେନା (ଉଦ୍ଧବ ବାଳାସାହେବ ଠାକରେ) ନେତା ଅମ୍ବାଦାସ ଦାନଭେ କହିଛନ୍ତି, ମାତୋଶ୍ରୀ ପରିସର ହାଇ ସିକ୍ୟୁରିଟି ଜୋନ୍ ଭିତରେ ରହିଛି। ଏହା ସତ୍ତ୍ୱେ, ଏପରି ଡ୍ରୋନ୍ ଉଡ଼ାଇବା ଏକ ଅତ୍ୟନ୍ତ ଗମ୍ଭୀର ସୁରକ୍ଷା ସମସ୍ୟା। କେହି ମାତୋଶ୍ରୀ ଉପରେ ନଜର ରଖିଛି କି ?
ମୁମ୍ବାଇ ପୁଲିସ କହିଛି, ବିକେସି ଏବଂ ଖେରଓ୍ବାଡି ଅଞ୍ଚଳରେ MMRDA ଦ୍ୱାରା ଅନୁମତିପ୍ରାପ୍ତ ଏକ ଡ୍ରୋନ୍ ସର୍ଭେ ଚାଲିଛି। ଦୟାକରି କୌଣସି ଭୁଲ ସୂଚନା ପ୍ରସାରଣ କରିବାରୁ ନିବୃତ୍ତ ରୁହନ୍ତୁ। ଡ୍ରୋନ୍ ସମ୍ଭବତଃ ସେହି ସର୍ଭେର ଏକ ଅଂଶ ଥିଲା ଏବଂ ବ୍ୟକ୍ତିଗତ କୌଣସି ପ୍ରକାର ନଜର ରଖାଯିବା ମାମଲା ନୁହେଁ। ତେବେ ଠାକରେ ଗୋଷ୍ଠୀ ଏହି ସ୍ପଷ୍ଟୀକରଣରେ ସନ୍ତୁଷ୍ଟ ନୁହନ୍ତି। ତାଙ୍କର କହିବା ଅନୁସାରେ, ଡ୍ରୋନ୍ ସର୍ଭେ ଅନୁମତି ପ୍ରାପ୍ତ ହୋଇଥିଲେ ବି ମାତୋଶ୍ରୀ ଉପରେ କିମ୍ବା ଏହାର ଚାରିପାଖରେ ଉଡ଼ାଣକୁ କଡ଼ାକଡ଼ି ନିଷିଦ୍ଧ କରାଯିବା ଉଚିତ। ମାତୋଶ୍ରୀ କମ୍ପ୍ଲେକ୍ସ ରେଡ୍ ଜୋନରେ ପଡ଼ିଥାଏ। ଉଲ୍ଲେଖନୀୟ ଯେ ଡ୍ରୋନ୍ ନୀତି ଅନୁଯାୟୀ, ମୁମ୍ବାଇର ଅନେକ ଅଞ୍ଚଳ, ବିଶେଷକରି VIP ଏବଂ ସରକାରୀ ଆବାସିକ ଅଞ୍ଚଳ, ରେଡ୍ ଜୋନରେ ପଡ଼ିଥାଏ, ଯେଉଁଠାରେ ସ୍ୱତନ୍ତ୍ର ଅନୁମତି ବିନା ଡ୍ରୋନ୍ ଉଡ଼ାଣକୁ କଡ଼ାକଡ଼ି ନିଷେଧ କରାଯାଇଛି। ଘଟଣା ପରେ, ମାତୋଶ୍ରୀ ଚାରିପାଖରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।