• ନିଜକୁ ଜାତିମୁକ୍ତ ଘୋଷଣା କଲା ମହାରାଷ୍ଟ୍ରର ସୌଣ୍ଡଲା ଗ୍ରାମସଭା
  • ନାମ ପୂର୍ବରୁ ରହିବନି ଜାତି ସୂଚକ ସରନେମ୍
  • ଗାଁ ଯୁବକଙ୍କ ଉଦ୍ୟମକୁ ପଞ୍ଚାୟତ ଦେଲା ମଞ୍ଜୁରୀ
  • ଏକାଠି ପୂଜା-ପାର୍ବଣ ସହ ହେବ ଭୋଜି
  • ଜିଲ୍ଲାପାଳ କହିଲେ ଏହା ହିଁ ‘ପ୍ରକୃତ ଗଣତନ୍ତ୍ର’
  • ‘ଆଦର୍ଶ ଗାଁ’ ଭାବରେ ହେବ ବିକଶିତ

ମୁମ୍ବାଇ,୧୪।୨: ଦେଶରେ ଜାତି ଜନଗଣନା ଏବଂ ସଂରକ୍ଷଣ ରାଜନୀତିକୁ ନେଇ ବିତର୍କ ଲାଗି ରହିଛି। ତେବେ ଏସବୁରେ ବ୍ୟତିକ୍ରମ ସାଜିଛି ମହାରାଷ୍ଟ୍ରର ଅହଲ୍ୟାନଗର ଜିଲ୍ଲାର ଏକ ଛୋଟ ଗାଁ ‘ସୌଣ୍ଡଲା’। ଯାହା ଆଗାମୀ ପିଢ଼ି ପାଇଁ ମାର୍ଗଦର୍ଶକ ଭାବରେ କାର୍ଯ୍ୟ କରିବ। ସୌଣ୍ଡଲା ଗ୍ରାମସଭା ନିଜକୁ ‘ଜାତିମୁକ୍ତ’ଘୋଷଣା କରି ଏକ ଐତିହାସିକ ପ୍ରସ୍ତାବ ପାସ୍ କରିଛି। ବାସିନ୍ଦାମାନେ ଆଉ ସେମାନଙ୍କ ନାମ ପୂର୍ବରୁ ଜାତି ସୂଚକ ସରନେମ୍ ବା ସାଙ୍ଗିଆ ବ୍ୟବହାର କରିବେ ନାହିଁ।

୫ ଫେବୃଆରୀରେ ଗ୍ରାମ ମୁଖ୍ୟ ଶରଦ ବାବୁରାଓ ଆର୍ଗାଡେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ‘ବିଶେଷ ଗ୍ରାମସଭା’ବୈଠକରେ ଏହି ବୈପ୍ଳବିକ ନିଷ୍ପତ୍ତି ନିଆଯାଇଥିଲା। ବୈଠକରେ ଉପସ୍ଥିତ ଗ୍ରାମବାସୀ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ କରିଥିଲେ ଯେ ଗାଁରେ ଆଉ କୌଣସି ସରକାରୀ କିମ୍ବା ବେସରକାରୀ ସାମାଜିକ କାର୍ଯ୍ୟକ୍ରମରେ ଜାତି ଉଲ୍ଲେଖ କରାଯିବ ନାହିଁ। ଗ୍ରାମବାସୀ ବିଶ୍ୱାସ କରନ୍ତି ଯେ ଜାତି ବ୍ୟବସ୍ଥା କେବଳ ସମାଜକୁ ବିଭାଜିତ କରେ, କିନ୍ତୁ ବିକାଶ ପାଇଁ ଏକତା ଜରୁରୀ। ଏହି ପ୍ରୟାସ ଗାଁର ଶିକ୍ଷିତ ଯୁବକମାନଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା।

ଜଣେ ଯୁବ ସମାଜସେବୀ କହିଛନ୍ତି, ଆମେ ପ୍ରାୟତଃ ଦେଖିଥିଲୁ ଯେ ନିର୍ବାଚନ ହେଉ କିମ୍ବା ସାମାଜିକ କାର୍ଯ୍ୟକ୍ରମ, ଜାତିଗତ ପ୍ରସଙ୍ଗ ସର୍ବଦା ଉଠୁଥିଲା। ତେଣୁ ସେଥିପାଇଁ ଯୁବକମାନେ ନିଷ୍ପତ୍ତି ନେଇଥିଲେ ଆମକୁ ପ୍ରକୃତ ପ୍ରଗତି ଦରକାର। ସେଥିପାଇଁ ଏହି ପୁରୁଣା ବନ୍ଧନକୁ ଭାଙ୍ଗିବାକୁ ପଡିବ। ଧୀରେ ଧୀରେ, ଯୁବକମାନେ ବୟସ୍କମାନଙ୍କୁ ବୁଝାଇଲେ, ଏବଂ ଆଜି ସମଗ୍ର ଗାଁ ଏହାକୁ ସ୍ବୀକୃତି ଦେଇଛି। ଗ୍ରାମସଭାର ସଂକଳ୍ପ ଅନୁଯାୟୀ, ଗାଁ ପିଲାମାନଙ୍କୁ ଏବେ ସ୍କୁଲରେ ପଞ୍ଜିକରଣ କରିବା ସମୟରେ କେବଳ ସେମାନଙ୍କ ପିତାଙ୍କ ନାମ କିମ୍ବା ଜାତିଭିତ୍ତିକ ଉପନାମ ବଦଳରେ ‘ଭାରତୀୟ’ ଶବ୍ଦ ବ୍ୟବହାର କରିବାକୁ ଉତ୍ସାହିତ କରାଯିବ। ଗାଁରେ କୌଣସି ଉତ୍ସବ ହେଲେ ଅଲଗା ଭାବରେ ନକରି ସାମୁହିକ ଭୋଜିର ବ୍ୟବସ୍ଥା କରାଯିବ।

କୌଣସି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ଗ୍ରାମ ମନ୍ଦିର ଏବଂ କୂଅ ଉପରେ ପ୍ରାଧାନ୍ୟ ବିସ୍ତାର କରିବ ନାହିଁ; ବରଂ, ପ୍ରତ୍ୟେକ ଗ୍ରାମବାସୀ ସେଗୁଡ଼ିକୁ ସମାନ ଭାବରେ ବ୍ୟବହାର କରିବେ।ଜିଲ୍ଲାପାଳ ସୌଣ୍ଡଲା ଗ୍ରାମସଭାର ଏହି ପଦକ୍ଷେପକୁ ପ୍ରଶଂସା କରି କହିଛନ୍ତି ଏହା ‘ପ୍ରକୃତ ଗଣତନ୍ତ୍ର’ ।ପ୍ରଶାସନ ଗାଁକୁ ‘ଆଦର୍ଶ ଗ୍ରାମ’ ଭାବରେ ବିକଶିତ କରିବା ପାଇଁ ଏକ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରିବାକୁ ବିଚାର କରୁଛି। ସରପଞ୍ଚ ଆରଗଡେ କହିଛନ୍ତି ଯେ ‘ଜାତିମୁକ୍ତ ଗ୍ରାମ‘ ଶୀର୍ଷକ ପ୍ରସ୍ତାବଟି ଜାତିଭିତ୍ତିକ ବୈଷମ୍ୟକୁ ଦୂର କରିବା ଏବଂ ଲୋକଙ୍କ ଭିତରେ ଏକତାକୁ ପ୍ରୋତ୍ସାହିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରେ। ଏହା ଜାତି ନିର୍ବିଶେଷରେ ସାମାଜିକ ଏକୀକରଣ ଏବଂ ସମସ୍ତଙ୍କ ପାଇଁ ସମାନ ବ୍ୟବହାର ସୁନିଶ୍ଚିତ କରିବା ପାଇଁ ଗ୍ରାମବାସୀମାନଙ୍କୁ ସାମୁହିକ ଭାବରେ ମିଳିତ କାମ କରିବାକୁ କରାଯାଉଛି।

ଆହୁରି ପଢନ୍ତୁ : ଭାରତ ଭଳି ହେଉ ସଂସଦୀୟ ବ୍ୟବସ୍ଥା, ୭୦% ବାଂଲାଦେଶୀଙ୍କ ଦାବି : ଜାଣନ୍ତୁ ‘ଜୁଲାଇ ଚାର୍ଟର’ କ’ଣ ?