ନୂଆଦିଲ୍ଲୀ,୩୦/୦୯: ଅକ୍ଟୋବର ୨ ପୂର୍ବରୁ ଭାଙ୍ଗିଦେଲେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି । ଲଣ୍ଡନର ଟାଭିଷ୍ଟକ୍‌ ସ୍କୋୟାରରେ ସ୍ଥାପିତ ଗାନ୍ଧୀଙ୍କ ପ୍ରତିମା ଉପରେ ଆକ୍ରମଣ ହୋଇଛି । ଏହି ସ୍ଥାନକୁ ସର୍ବଦା ଶାନ୍ତି ଓ ଅହିଂସାର ପ୍ରତୀକ ଭାବରେ ବିବେଚନା କରାଯାଏ । ମହାତ୍ମା ଗାନ୍ଧୀଙ୍କ ଜନ୍ମଜୟନ୍ତୀର ଠିକ୍ ୩ ଦିନ ପୂର୍ବରୁ ଏହି ଘଟଣା ଘଟିବା ଚିନ୍ତାଜନକ କାରଣ ହୋଇଛି । ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ କରଛନ୍ତି ଲଣ୍ଡନରେ ଥିବା ଭାରତୀୟ ହାଇ-କମିଶନ । ଏହା ଲଜ୍ଜାଜନକ କାର୍ଯ୍ୟ ବୋଲି କହିଛି ଭାରତ । ସୋସିଆଲ ମିଡିଆ ଏକ୍ସରେ ଭାରତୀୟ ହାଇ-କମିଶନ କହିଛନ୍ତି, ଏହା କେବଳ ଭଙ୍ଗିବା ନୁହେଁ ଅହିଂସା ବିଚାର ଏବଂ ମହାତ୍ମା ଗାନ୍ଧୀଙ୍କ ଐତିହ୍ୟ ଉପରେ ଆକ୍ରମଣ । ପ୍ରତିମୂର୍ତ୍ତୀ ଭାଙ୍ଗିବା ସହିତ ସେଥିରେ ଆତଙ୍କବାଦ (ଟେରରିଷ୍ଟ), ହିନ୍ଦୁସ୍ତାନୀ ଟେରରିଷ୍ଟ ବୋଲି ଲେଖାଯାଇଛି । ମେଟ୍ରୋପଲିଟନ ପୁଲିସ ଓ ସ୍ଥାନୀୟ କାଉନସିଂଲ ଅଧିକାରୀ ମାମଲାର ଯାଞ୍ଚ କରୁଛନ୍ତି ।
 

ଜାତିସଂଘ ଦ୍ୱାରା ଅନ୍ତର୍ଜାତୀୟ ଅହିଂସା ଦିବସ ଭାବରେ ଘୋଷିତ ଗାନ୍ଧୀ ଜୟନ୍ତୀ ପ୍ରତିବର୍ଷ ଟାଭିଷ୍ଟକ୍ ସ୍କୋୟାରରେ ଫୁଲମାଳ ଅର୍ପଣ ଏବଂ ଗାନ୍ଧୀଜୀଙ୍କ ପ୍ରିୟ ଭଜନ ଗାନ  କରାଯାଏ। ଏହି ଅବସରରେ, ଲୋକମାନେ ମହାତ୍ମା ଗାନ୍ଧୀଙ୍କ ଚିନ୍ତାଧାରା ଏବଂ ଅହିଂସାର ବାର୍ତ୍ତାକୁ ସ୍ମୃତିଚାରଣ କରନ୍ତି । ଏହି କାଂସ୍ୟ ପ୍ରତିମୂର୍ତ୍ତି ୧୯୬୮ ମସିହାରେ କଳାକାର ଫ୍ରେଡା ବ୍ରିଲିଆଣ୍ଟଙ୍କ ଦ୍ୱାରା ନିର୍ମିତ ହୋଇଥିଲା ଏବଂ ଇଣ୍ଡିଆ ଲିଗ୍ ସହାୟତାରେ ଟାଭିଷ୍ଟକ୍ ସ୍କୋୟାରରେ ସ୍ଥାପିତ ହୋଇଥିଲା । ପ୍ରତିମୂର୍ତ୍ତିରେ ମହାତ୍ମା ଗାନ୍ଧୀଙ୍କୁ ଏକ ଶାନ୍ତ ମୁଦ୍ରାରେ ବସିଥିବା ଚିତ୍ରିତ ହୋଇଛି । ଫଳକରେ ଲେଖା ଅଛି, "ମହାତ୍ମା ଗାନ୍ଧୀ, ୧୮୬୯-୧୯୪୮।"

ପ୍ରତିମୂର୍ତ୍ତି ଚାରିପାଖରେ ଅନେକ ଶାନ୍ତି ସ୍ମାରକୀ ଯୋଡାଯାଇଛି । ଏଥିରେ ହିରୋସିମା ବୋମା ବିସ୍ଫୋରଣର ଶିକାର ହୋଇଥିବା ବ୍ୟକ୍ତିଙ୍କ ସ୍ମୃତିରେ ଏକ ଚେରି ଗଛ, ୧୯୮୬ ମସିହାରେ ଜାତିସଂଘର ଅନ୍ତର୍ଜାତୀୟ ଶାନ୍ତି ବର୍ଷ ପାଳନ ପାଇଁ ମେପଲ ଏବଂ ୧୯୯୫ ମସିହାରେ ବିବେକୀ ଆପତ୍ତିକାରୀଙ୍କୁ ସମ୍ମାନିତ କରୁଥିବା ଏକ ଗ୍ରାନାଇଟ୍ ସ୍ମାରକୀ ଅନ୍ତର୍ଭୁକ୍ତ । ଏହି କାରଣଗୁଡ଼ିକ ପାଇଁ, ଟାଭିଷ୍ଟକ୍ ସ୍କୋୟାରକୁ ଲଣ୍ଡନର "ପିସ୍ ପାର୍କ" ଭାବରେ ଜଣାଶୁଣା ।