ନୂଆଦିଲ୍ଲୀ, ୨୪।: ଭାରତର ଆତ୍ମନିର୍ଭରଶୀଳତା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । କୋଚିନ ସିପୟାର୍ଡ ଲିମିଟେଡ୍ ଭାରତୀୟ ନୌସେନାକୁ 'ମାହେ' ନାମକ ସ୍ୱଦେଶୀ ଭାବରେ ନିର୍ମିତ ଆଣ୍ଟି-ସବମେରିନ୍ ୱାରଫାୟାର ଶ୍ୟାଲୋ ୱାଟର କ୍ରାପ୍ଟ ପ୍ରଦାନ କରିଛି । ଏହି ଯୁଦ୍ଧଜାହାଜ ସମ୍ପୂର୍ଣ୍ଣ ସ୍ୱଦେଶୀ ଡିଜାଇନ ଏବଂ ନିର୍ମାଣ ଉପରେ ଆଧାରିତ । ଏହି ଯୁଦ୍ଧଜାହାଜ ନୌସେନାର ଆଣ୍ଟି- ସବମେରିନ କ୍ଷମତାକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।  

ବୁଧବାର କୋଚିରେ ଏହି ଯୁଦ୍ଧଜାହାଜର ବିତରଣ ସମାରୋହ ଅନୁଷ୍ଠିତ ହୋଇଥିଲା । ସିଏସଏଲର ନିର୍ଦ୍ଦେଶକ ଡ. ଏସ୍.ହରିକ୍ରିଷ୍ଣନ ଏବଂ ମାହେର କମାଣ୍ଡିଂ ଅଫିସର କମାଣ୍ଡର ଅମିତ ଚନ୍ଦ୍ର ଚୌବେ ଏହି ଗ୍ରହଣ ପତ୍ରରେ ସ୍ୱାକ୍ଷର କରିଥିଲେ । ଏହି ସମାରୋହରେ ପଶ୍ଚିମ ନୌସେନା କମାଣ୍ଡର ମୁଖ୍ୟ କର୍ମଚାରୀ ଅଧିକାରୀ ରିଅର ଆଡମିରାଲ ଆର.ଆଦିଶ୍ରୀନିବାସନ, ଯୁଦ୍ଧଜାହାଜ ଉତ୍ପାଦନ ଅଧୀକ୍ଷକ, କୋଚି କମୋଡୋର ଅନୁପ ମେନନ ଏବଂ ଅନ୍ୟାନ୍ୟ ବରିଷ୍ଠ ନୌସେନା ଏବଂ ଜାହାଜ ଅଧିକାରୀମାନେ ଉପସ୍ଥିତ ଥିଲେ । ସିଏସଏଲର ଜଣେ ମୁଖପାତ୍ର କହିଛନ୍ତି ଯେ, ଏହି ଜାହାଜଟି ଡେଟ୍ ନୋରସ୍‌କେ ଭେରିଟାସ୍(DNV) ବର୍ଗୀକରଣ ନିୟମ ଅନୁଯାୟୀ, ଡିଜାଇନ ଏବଂ ନିର୍ମିତ ହୋଇଛି । ଏହା ନୌସେନାର ସର୍ବବୃହତ୍ ଯୁଦ୍ଧଜାହାଜ ଯାହା ଡିଜେଲ ଇଞ୍ଜିନ ଏବଂ ଏକ ୱାଟରଜେଟ୍ ପ୍ରପଲ୍ସନ ସିଷ୍ଟମ ଦ୍ୱାରା ଚାଳିତ । 

ଯୁଦ୍ଧଜାହାଜର ବୈଶିଷ୍ଟ୍ୟ:

୭୮ ମିଟର ଲମ୍ୱ ବିଶିଷ୍ଟ ‘ଆଇଏନଏସ ମାହେ’କୁ ବୁଡ଼ାଜାହାଜ ବିରୋଧୀ ଅଭିଯାନ, ମାଇନ୍ ବିଛାଇବା, ସନ୍ଧାନ କରିବା ଏବଂ ଉଦ୍ଧାର କାର୍ଯ୍ୟ ଏବଂ ଅଗଭୀର ଜଳରେ ତୀବ୍ରତା ବିଶିଷ୍ଟ ସାମୁଦ୍ରିକ ଅଭିଯାନ ପାଇଁ ଡିଜାଇନ କରାଯାଇଛି । ଏହି ଜାହାଜଟି ଆଧୁନିକ ସେନ୍ସର, ଉନ୍ନତ ଯୋଗାଯୋଗ ପ୍ରଣାଳୀ ଏବଂ କମ୍ ଶବ୍ଦ ବିଶିଷ୍ଟ ସିଗ୍ନେଚର ପ୍ରଯୁକ୍ତିବିଦ୍ୟା, ଯାହା ଏହାକୁ ବୁଡ଼ାଜାହାଜ ସନ୍ଧାନରେ ପ୍ରଭାବଶାଳୀ କରିଥାଏ । ଏହା ନୌସେନାର ଉପକୂଳ ସୁରକ୍ଷା ଏବଂ ବୁଡ଼ାଜାହାଜ ବିରୋଧୀ ଯୁଦ୍ଧ କ୍ଷମତାକୁ ଯଥେଷ୍ଟ ସୁଦୃଢ଼ କରିବ । ସରକାରଙ୍କ ଆତ୍ମନିର୍ଭର ଭାରତ ଅଭିଯାନ ସହିତ ସଙ୍ଗତ ଏହି ଯୁଦ୍ଧଜାହାଜରେ ୯୦%ରୁ ଅଧିକ ସ୍ୱଦେଶୀ ସାମଗ୍ରୀ ବ୍ୟବହାର କରାଯାଇଛି । ଅଧିକାଂଶ ସାମଗ୍ରୀ, ଯନ୍ତ୍ରପାତି, ସେନ୍ସର ଏବଂ ଅନବୋର୍ଡ ସିଷ୍ଟମ ଭାରତୀୟ ନିର୍ମାତାଙ୍କଠାରୁ ସଂଗ୍ରହ କରାଯାଇଛି । ସିଏଲଏଲର ଜଣେ ମୁଖପାତ୍ର କହିଛନ୍ତି, ମାହେର ବିତରଣ ଭାରତୀୟ ନୌସେନାର ସ୍ୱଦେଶୀକରଣ ପ୍ରୟାସରେ ଆଉ ଏକ ମାଇଲଖୁଣ୍ଟ । ଏହି ଜାହାଜ କେବଳ ଦେଶର ସୁରକ୍ଷାକୁ ସୁଦୃଢ଼ କରିବା ନାହିଁ ବରଂ ଉନ୍ନତ ସ୍ୱଦେଶୀ ଯୁଦ୍ଧଜାହାଜ ନିର୍ମାଣରେ ବିଶ୍ୱରେ ଏକ ପ୍ରମୁଖ ଦେଶ ଭାବରେ ସ୍ଥାନିତ କରିବ । ଏହି ସିରିଜର ଅବଶିଷ୍ଟ ୭ଟି ଜାହାଜ ସିଏସଏଲରେ ନିର୍ମାଣର ବିଭିନ୍ନ ପର୍ଯ୍ୟାୟରେ ଅଛି ଏବଂ ଆଗାମୀ ବର୍ଷଗୁଡ଼ିକରେ ପର୍ଯ୍ୟାୟକ୍ରମେ ବିତରଣ କରାଯିବ ।