ସୁନ୍ଦରଗଡ଼, ୨୧/୦୨ : ମହୁଲରେ ଭରି ରହିଛି ପୌଷ୍ଟିକ ତତ୍ତ୍ୱ । ପ୍ରକ୍ରିୟାକରଣ କରି ଏଥିରୁ ପ୍ରସ୍ତୁତ ହେଉଛି ଲଡ଼ୁ, କେକ୍‌, ବିସ୍କୁଟ୍‌, ଜେଲି । ସ୍ୱାଦ ବି କିଛି କମ୍‌ ନୁହେଁ । ହେଲେ ବଜାର ସୁବିଧା ନାହିଁ । ସରକାରୀ ପ୍ରୋତ୍ସାହନ ବି ମିଳୁନି । ମଉଳି ଯାଉଛି ମହୁଲକୁ ନେଇ ସ୍ୱାବଲମ୍ବୀ ହେବାର ଯେତକ ସମ୍ଭାବନା । ଫଳସ୍ୱରୂପ ସୁନ୍ଦରଗଡ଼ ଜିଲ୍ଲାରେ ଆରମ୍ଭ ହୋଇଥିବା ରାଜ୍ୟର ପ୍ରଥମ ପାଇଲଟ୍‌ ପ୍ରକଳ୍ପ ଦିଶାହୀନ ହୋଇଯିବା ଆଶଙ୍କା ଦେଖାଦେଇଛି । ମହୁଲ କହିଲେ ଆଖିକୁ ଆସେ ମହୁଲି ମଦ ପ୍ରସ୍ତୁତିର ପ୍ରମୁଖ ଉପାଦାନ । ହେଲେ ସୁନ୍ଦରଗଡ଼ରେ ମଦବିରୋଧୀ ଆନ୍ଦୋଳନ ତେଜିବା ସହ ମହୁଲରୁ ମଦକୁ ନା’ କହିଲେଣି ଅନେକ ଗ୍ରାମର ଲୋକେ । ଏବେ ଏଥିରୁ ଭଳିକି ଭଳି ସୁସ୍ୱାଦୁ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତ ହେଉଛି । ଏଥିନିମନ୍ତେ ୨୦୨୪ରୁ ଜିଲ୍ଲାରେ ଆରମ୍ଭ ହୋଇଛି ରାଜ୍ୟର ପ୍ରଥମ ପାଇଲଟ୍‌ ପ୍ରକଳ୍ପ ।

ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ପକ୍ଷରୁ ହେମଗିର, ଲେଫ୍ରିପଡା, ଉଜ୍ଜ୍ୱଳପୁର, ବଡଗାଁ ଓ ସଦର ବନାଞ୍ଚଳକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି । ବିଭିନ୍ନ ଗ୍ରାମରୁ ୩୦ଜଣ ଲେଖାଏଁ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ସଦସ୍ୟଙ୍କୁ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ତାଲିମ ଦିଆଯାଇଛି । ତାଲିମପ୍ରାପ୍ତ ସଦସ୍ୟମାନେ ସାଧନ କର୍ମୀ ଭାବେ ଅନ୍ୟମାନଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ନିଜେ ମହୁଲକୁ ପ୍ରକ୍ରିୟାକରଣ କରି ଲଡୁ, କେକ୍‌, ବିସ୍କୁଟ, ଜେଲି ପ୍ରସ୍ତୁତ କରୁଛନ୍ତି । ୬ଟି ଏସ୍‌ଏଚ୍‌ଜି ଗୋଷ୍ଠୀ ଏଥିରେ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇଛନ୍ତି ।  ମହୁଲ ଗଛରୁ ଗୁଣାତ୍ମକମାନର ଫୁଲ ସଂଗ୍ରହ କରିବାକୁ ଏଚ୍‌ଏଚ୍‌ଜିଗୁଡ଼ିକୁ ନେଟ୍‌ ଯୋଗାଇ ଦିଆଯାଇଛି । ନେଟ୍‌ଗୁଡ଼ିକୁ ସେମାନେ ଗଛରେ ବାନ୍ଧୁଛନ୍ତି । ଫଳରେ ମହୁଲ ଫୁଲ ମାଟିରେ ପଡୁନାହିଁ କି ଏହାର ଗୁଣାତ୍ମକମାନ ସୁରକ୍ଷିତ ରହୁଛି । ମହୁଲ, ଗୁଡ଼, ବାଦାମ, ରାଶି, କିସ୍‌ମିସ୍‌ ଭଳି ସାମଗ୍ରୀ ମିଶ୍ରଣରେ ପାରମ୍ପରିକ ଉପାୟରେ ଲଡୁ ପ୍ରସ୍ତୁତ କରାଯାଉଛି । ୩୦ ଟଙ୍କାରେ ମିଳୁଥିବା ଗୋଟିଏ କିଲୋ ମହୁଲରୁ ପ୍ରାୟ ୨୦୦ଟି ପର୍ଯ୍ୟନ୍ତ ଲଡୁ ତିଆରି ହୋଇପାରୁଛି । କିନ୍ତୁ ବିସ୍କୁଟ, କେକ୍‌ ପ୍ରସ୍ତୁତ ପାଇଁ ଓଟିଜି ମେସିନ ଆବଶ୍ୟକ ଯାହାର ମୂଲ୍ୟ ମାତ୍ର ସାଢ଼େ ୪ ହଜାର ଟଙ୍କା । ସ୍ଥାନୀୟ ବନ ସୁରକ୍ଷା ସମିତିକୁ ଏହା ଯୋଗାଇ ଦିଆଯାଇଛି ।

କେକ୍‌ର ମୂଲ୍ୟ ୧୦ ଟଙ୍କା ଓ ବିସ୍କୁଟ୍‌ର ମୂଲ୍ୟ ୫ ଟଙ୍କା ରହିଛି । କିନ୍ତୁ ସରକାରୀ ପ୍ରୋତ୍ସାହନ ଓ ଉତ୍ପାଦିତ ସାମଗ୍ରୀ ବିକ୍ରି ପାଇଁ ବଜାର ସୁବିଧା ନ ଥିବାରୁ ଏଚ୍‌ଏଚ୍‌ଜି ଗୋଷ୍ଠୀର ବ୍ୟବସାୟ ବଢ଼ି ପାରୁନାହିଁ । ବ୍ୟବସାୟ କେବଳ ସରକାରୀ ମେଳା, ମହୋତ୍ସବରେ ସୀମିତ ରହିଛି । ଗୋଷ୍ଠୀ ସଦସ୍ୟଙ୍କ ମାସିକ ଲାଭ ୫୦୦୦ ଟଙ୍କା ପାର୍‌ କରୁନି ।  ଏ ସମ୍ପର୍କରେ ଲେଫ୍ରିପଡ଼ା ବନାଞ୍ଚଳ ଅନ୍ତର୍ଗତ ଚାରପଡ଼ାସ୍ଥିତ ମା’ ଲକ୍ଷ୍ମୀ ଏଚ୍‌ଏଚ୍‌ଜିର ସମ୍ପାଦିକା ସନ୍ତୋଷିନୀ ଚିତା କୁହନ୍ତି, ୧୦ ଜଣ ସଦସ୍ୟ ଏହି କାମ କରୁଛନ୍ତି । ହେଲେ ବଜାର ସୁବିଧା ନ ଥିବାରୁ କେତେବେଳେ ମାସକୁ ୧୦୦୦ ତ ଆଉ କେତେବେଳେ ୫୦୦୦ ଟଙ୍କା ଲାଭ ମିଳୁଛି । ଅଙ୍ଗନବାଡ଼ି କେନ୍ଦ୍ରରେ ଗର୍ଭବତୀ, ପ୍ରସୂତି, କିଶୋରୀ ବାଳିକା ଏବଂ କୁନିକୁନି ପିଲାଙ୍କ ପୁଷ୍ଟିସାଧନ ପାଇଁ ଘରେ ପ୍ରସ୍ତୁତ ପୁଷ୍ଟିଯୁକ୍ତ ଖାଦ୍ୟ (ଟିଏଚ୍‌ଆର୍‌) ଯୋଗାଣ ବ୍ୟବସ୍ଥା ରହିଛି । ସେମାନଙ୍କୁ ଛତୁଆ, ଲଡୁ, ବୁଟ ଆଦି ଦିଆଯାଉଛି । ମହୁଲରୁ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀକୁ ଏଥିରେ ସାମିଲ କରାଗଲେ କାରବାର ବଢ଼ନ୍ତା । ଭଲ ଦି ପଇସା ରୋଜଗାର ହୁଅନ୍ତା । ଉଜ୍ଜ୍ୱଳପୁର ବନାଞ୍ଚଳ ଅଧୀନ କଟ୍ରା ଗ୍ରାମର ମା’ ଶାରଳା ଏସ୍‌ଏଚ୍‌ଜିର ସଭ୍ୟା ତଥା ସାଧନ କର୍ମୀ ସୁଷମା ଭୋଇ ମଧ୍ୟ ଅନୁରୂପ କଥା କରିଛନ୍ତି । ତାଙ୍କ ଏସ୍‌ଏଚଜିର ନିଜସ୍ୱ ବିସ୍କୁଟ ପ୍ରସ୍ତୁତି ମେସିନ ନାହିଁ । ସ୍ଥାନୀୟ ବନ ସୁରକ୍ଷା ସମିତିର ଓଟିଜି ମେସିନ ନେଇ ସେମାନେ ତିଆରି କରୁଛନ୍ତି । ବଜାର ବ୍ୟବସ୍ଥା ନ ଥିବାରୁ ମାସକୁ ଜଣକୁ ୨୦୦୦ ଟଙ୍କା ବି ମିଳୁନି ।  ମହୁଲର ଉତ୍ତମ ଉପଯୋଗ ହୋଇପାରୁନି । ସଂଗୃହୀତ ମହୁଲର ସିଂହଭାଗ ମହୁଲି ମଦ ପ୍ରସ୍ତୁତରେ ବ୍ୟବହାର ହେଉଛି । ଏହାର କୁପ୍ରଭାବ ସାମାଜିକ ଜୀବନ ଉପରେ ପଡୁଛି । ମହୁଲର ଶତପ୍ରତିଶତ ସଦ୍‌ବ୍ୟବହାର ହେଲେ ମହୁଲି ମଦ ପ୍ରାଦୁର୍ଭାବ କମିବ ବୋଲି ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି ।

ଏହି ଖବରଟିକୁ ପଢନ୍ତୁ- ଅନ୍ତର୍ଜାତୀୟ ଜଙ୍ଗଲ ଦିବସ;କଳାହାଣ୍ଡି ଜଙ୍ଗଲ ସମ୍ପଦକୁ ବନାଗ୍ନି ବିପଦ,ଲୋପ ପାଉଛି ଜୈବ ବିବିଧତା