ଢାକା,୧୬।୧୦: ସେନା ସହ କୌଣସି ପ୍ରକାର ବିବାଦଠାରୁ ଦୂରେଇ ରୁହ। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନ୍‌ପି) ମହମ୍ମଦ ୟୁନୁସ୍‌ଙ୍କ ଅନ୍ତରୀଣ ସରକାରଙ୍କୁ ଏଭଳି କିଛି ପରାମର୍ଶ ଦେଇଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିୟା। ସେନା ଅଧିକାରୀଙ୍କ ବିରୋଧରେ ନାଗରିକ ଟ୍ରିବ୍ୟୁନାଲରେ ଚାଲିଥିବା ଆଇନଗତ କାର୍ଯ୍ୟାନୁଷ୍ଠାନ ଉପରେ ସେ ଏହା କହିଛନ୍ତି। ଏହି ମକଦ୍ଦମା ଅନ୍ତରୀଣ ସରକାର ଓ ସେନା ଭିତରେ ବଢୁଥିବା ମତଭେଦର କାରଣ ପାଲଟିଛି। ପାର୍ଟିର କହିବା ଅନୁସାରେ, ୟୁନୁସ ସରକାରଙ୍କୁ ସଶସ୍ତ୍ର ବଳ ସହ ମଜବୁତ ଓ ସକାରତ୍ମକ ସମ୍ପର୍କ ବଜାୟ ରଖିବା ଜରୁରୀ।

ଏହି ଚେତାବନୀ ଢାକାରେ ୟୁନୁସଙ୍କ ଦ୍ବାରା ରାଜନୈତିକ ଦଳ ସହ ଡକାଯାଇଥିବା ଏକ ଜରୁରୀ ବୈଠକ ବେଳେ ଦିଆଯାଇଥିଲା। ବୈଠକର ଉଦେଶ୍ୟ ଥିଲା ସେନା କର୍ମୀଙ୍କ ଉପରେ ଚାଲିଥିବା ମକଦ୍ଦମା ଚଳାଇବାର ସରକାରୀ ନିଷ୍ପତ୍ତିକୁ ନେଇ ଥିବା ଚାପ ଓ ବିବାଦର ସମାଧାନ କରିବା। ବିଏନ୍‌ପି କହିଛି, ଦେଶରେ ସନ୍ତୁଳିତ ଅବସ୍ଥା ରହିବା ଦରକାର। ଆମେ କୌଣସି ବିପଦରେ ପଡିବାକୁ ଚାହୁଁନୁ।  କାରଣ ଏହାର ବୋଝ ଉଠାଇ ପାରିବୁନି। ଏହା ସହ ଆଗାମୀ ବର୍ଷ ଫେବୃଆରୀରେ ପ୍ରସ୍ତାବିତ ସାଧାରଣ ନିର୍ବାଚନ ପୂବର୍ରୁ ଏକତା ଓ ସ୍ଥିରତା ବଜାୟ ରଖିବାର ଆବଶ୍ୟକତାକୁ ଜୋର ଦେଇଛି।

ଉଲ୍ଲେଖନୀୟ ଯେ, ଆସନ୍ତା ସପ୍ତାହରେ ବାଂଲାଦେଶର ଅନ୍ତର୍ଜାତୀୟ ଅପରାଧ ନ୍ୟାୟାଧିକରଣ (ଆଇସିଟି-ବିଡି) ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସହ ୧୬ ସକ୍ରିୟ ସେନା ଅଧିକାରୀ ଓ ୧୪ ଅନ୍ୟ ଲୋକଙ୍କ ବିରୋଧରେ ଗିରଫ ଓ୍ବାରେଣ୍ଟ ଜାରି କରିଥିଲେ। ଏହାକୁ ନେଇ ପୂବର୍ତନ ଶାସନକାଳରେ ‘ରାଜନୈତିକ ବିରୋଧିଙ୍କୁ ବଳପୂର୍ବକ ନିଖୋଜ କରିବା, ଅପହରଣ କରିବା ଓ ନିର୍ଯାତନା ଦେବାର ଅଭିଯୋଗ କରିଛନ୍ତି। ଓ୍ବାରେଣ୍ଟ ଜାରି ହେବାପରେ ସେନା ସୂଚନା ଦେଇଥିଲା ଯେ ୧୬ ରୁ ୧୫ ଅଧିକାରୀ ‘ସେନା କଷ୍ଟଡି’ରେ ରହିଛି। ସେଭଳି ଜଣେ ମେଜର ଜେନେରାଲ ଫେରାର ହୋଇଯାଇଛନ୍ତି।