ନୂଆଦିଲ୍ଲୀ: ଲଦାଖର ଗଲୱାନ ନିକଟ ଚାରବାଗ ଅଞ୍ଚଳରେ ଏକ ବଡ଼ ଦୁର୍ଘଟଣା ଘଟିଛି । ସେନା ଗାଡ଼ି ଉପରେ ଏକ ବିଶାଳ ପଥର ଖଣ୍ଡ ଖସିପଡ଼ିଥିବା ଜଣାପଡ଼ିଛି । ଫଳରେ ଗାଡ଼ିରେ ଯାତ୍ରା କରୁଥିବା ଦୁଇ ଅଧିକାରୀ ସହିଦ ହୋଇଛନ୍ତି ଏବଂ ତିନି ଜଣ ଅଧିକାରୀ ଗୁରୁତର ହୋଇଛନ୍ତି । ଆହତମାନଙ୍କୁ ବିମାନ ଯୋଗେ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ଆହତଙ୍କ ମଧ୍ୟରେ ୨ ଜଣ ମେଜର ଏବଂ ଜଣେ କ୍ୟାପ୍ଟେନ୍ ଅଛନ୍ତି । ସୈନିକଙ୍କ କାରକେଡ୍ ଦୁର୍ବୁକରୁ ଚୋଙ୍ଗତାଶ ଯାଉଥିଲା । ବୁଧବାର ସକାଳ ପ୍ରାୟ ୧୧:୩୦ ସମୟରେ ଏହି ଦୁର୍ଘଟଣା ଘଟିଥିଲା।
ଏହି ଦୁର୍ଘଟଣାରେ ୧୪ ସିନ୍ଧ ହର୍ସର ଲେଫ୍ଟନାଣ୍ଟ କର୍ଣ୍ଣେଲ ମାନକୋଟିଆ ଏବଂ ଦଲଜିତ ସିଂହ ସହିଦ ହୋଇଛନ୍ତି । ମେଜର ମୟଙ୍କ ଶୁଭମ (୧୪ ସିନ୍ଧ ହର୍ସ), ମେଜର ଅମିତ ଦୀକ୍ଷିତ ଏବଂ କ୍ୟାପ୍ଟେନ ଗୌରବ (୬୦ଆର୍ମଡ୍) ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଲେହସ୍ଥିତ 153 GH କୁ ନିଆଯାଇଛି । ଏହି ଦୁର୍ଘଟଣା ସମ୍ପର୍କରେ, ଭାରତୀୟ ସେନାର ଫାୟାର ଆଣ୍ଡ ଫ୍ୟୁରି କର୍ପସ ସୂଚନା ଦେଇଛନ୍ତି ଯେ, ଜୁଲାଇ ୩୦ ସକାଳ ପ୍ରାୟ ୧୧.୩୦ ସମୟରେ ଲଦାଖରେ ଏକ ସାମରିକ ଗାଡ଼ି ଉପରେ ପଥରରୁ ପଥର ଖସି ପଡ଼ିଥିଲା ।
ଗତ କିଛି ମାସ ମଧ୍ୟରେ ସୈନ୍ୟ ଗାଡ଼ି ସହିତ ହୋଇଥିବା ସବୁଠାରୁ ବଡ଼ ଦୁର୍ଘଟଣା । ଚଳିତ ବର୍ଷ ମେ ମାସରେ ଜମ୍ମୁକାଶ୍ମୀରର ରାମବାନ ଜିଲ୍ଲାରେ ଏକ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣା ଜିଲ୍ଲାର ବ୍ୟାଟେରୀ ଚଷମା ନିକଟରେ ଘଟିଥିଲା । ସେନା ଟ୍ରକଟି ୨୦୦-୩୦୦ ମିଟର ଗଭୀର ଖାଇକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ୩ ଜଣ ସୈନିକ ସହିଦ ହୋଇଥିଲେ। ଏହି ସୈନ୍ୟ ଟ୍ରକଟି ଜମ୍ମୁରୁ ଶ୍ରୀନଗର ଯାଉଥିଲା ।