ନୂଆଦିଲ୍ଲୀ: ମଙ୍ଗଳବାର ଜମ୍ମୁକାଶ୍ମୀରର ପୁଞ୍ଛ ଜିଲ୍ଲା ବଲନୋଇରେ ବଡ଼ ଦୁର୍ଘଟଣା ଘଟିଛି । ସେନାର ଏକ ଟ୍ରକ୍‌ ୩୦୦ ଫୁଟ୍‌ ଗଭୀର ଖାଇକୁ ଖସିପଡ଼ିଛି । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୫ ଜଣ ସୈନିକଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ଏନେଇ ହ୍ବାଇଟ୍‌ ନାଇଟ୍‌ କର୍ପସ ପକ୍ଷରୁ ଏକ୍ସରେ ସୂଚନା ଦିଆଯାଇଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।


ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ସେନା ଟ୍ରକ୍‌ରେ ୧୮ ଜଣ ଯବାନ ଥିଲେ  । ସେଥିମଧ୍ୟରୁ ୫ ଜଣ ଯବାନଙ୍କ ଦୁଃଖଦ ମୃତ୍ୟୁ ହୋଇଥିବା ବେଳେ ବାକି ୧୩ ଜଣ ଆହତ ହୋଇଛନ୍ତି । ଦୁର୍ଘଟଣାକୁ ନେଇ ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ଯେ, ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୫ଟା ୪୦ରେ ୧୧ ମରାଠା ଲାଇଟ୍‌ ଇନଫାଣ୍ଟ୍ରିର ଏକ ଟ୍ରକ୍‌, ନିଲମ ମୁଖ୍ୟାଳୟରୁ ଏଲଓସି ନିକଟ ବଲନୋଇ ପୋଷ୍ଟକୁ ଯାଉଥିଲା । ହେଲେ ଘୋରା ପୋଷ୍ଟ ପାଖରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।’