ଉତ୍ତରପ୍ରଦେଶ, ୫।୧୧: କାର୍ତ୍ତିକ ପୂର୍ଣ୍ଣିମାରେ ବଡ଼ ଅଘଟଣ । ଉତ୍ତରପ୍ରଦେଶ ମିର୍ଜାପୁର ଜିଲ୍ଲାରେ ବଡ଼ ଟ୍ରେନ ଦୁର୍ଘଟଣାରେ ୬ ଜଣ ଶ୍ରଦ୍ଧାଳୁ ମୁଣ୍ଡ କଟି ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଶ୍ରଦ୍ଧାଳୁମାନେ ପ୍ରୟାଗରାଜ-ଚୋପାନ ପେସେଞ୍ଜରରୁ ପ୍ଲାଟଫର୍ମ ନଂ ୪ରେ ଓହ୍ଲାଇ ୩ ନଂ ପ୍ଲାଟଫର୍ମରେ ଯାଉଥିଲେ । ଟ୍ରେନର ଭୁଲ୍ ଦିଗରୁ ଓହ୍ଲାଇବା ସମୟରେ ଦୁର୍ଘଟଣା ଘଟିଥିଲା । ଟ୍ରେନରୁ ଓହ୍ଲାଇବା ପରେ ଷ୍ଟେସନରେ ଯାତ୍ରୀମାନେ ଦ୍ରୁତଗତିରେ ରେଳ ଟ୍ରାକ୍ ପାର୍ ହେବା ପାଇଁ ଦୌଡ଼ିବା ଆରମ୍ଭ କରିଥିଲେ । ଟ୍ରାକ୍‌ ପାର୍ ହେଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା କାଲକା-ହାୱାଡ଼ା ଏକ୍ସପ୍ରେସ୍‌ ହଠାତ୍‌ ଦ୍ରୁତଗତିରେ ଟ୍ରାକ୍‌ ଉପରେ ଆସିଗଲା । ଟ୍ରେନରେ ଧକ୍କା ଖାଇବା ଫଳରେ ପ୍ରାୟ ୬ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇ । ଆଗକୁ ଏହି ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ସମସ୍ତ ଶ୍ରଦ୍ଧାଳୁ ଗଙ୍ଗାରେ ସ୍ନାନ କରିବା ପାଇଁ ବାହାରିଥିଲେ ବୋଲି ଜଣାପଡ଼ିଛି ।

ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନଙ୍କ କହିବାନୁସାରେ, ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ମୃତକଙ୍କ ଶରୀର ଖଣ୍ଡଖଣ୍ଡ ହୋଇଯାଇଥିଲା । ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସବିଶେଷ ସୂଚନା ନେବା ସହ ମୃତକଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଏଥିସହ ଅଧିକାରୀମାନଙ୍କୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେ ଏସ୍‌ଡିଆରଏଫ୍ ଏବଂ ଏନଡିଆରଏଫ୍ ଦଳଗୁଡ଼ିକୁ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ରିଲିଫ୍ କାର୍ଯ୍ୟ ଆରମ୍ଭ କରିବାକୁ ଏବଂ ଆହତମାନଙ୍କର ଉପଯୁକ୍ତ ଚିକିତ୍ସା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପଟେ ମଙ୍ଗଳବାର ଛତିଶଗଡ଼ର ବିଳାସପୁରରେ ବଡ଼ଧରଣର ଟ୍ରେନ୍‌ ଦୁର୍ଘଟଣା ଘଟିଥିଲା । ଟ୍ରାକ୍‌ରେ ଅଟକିଥିବା ଏକ ମାଲବାହୀ ଟ୍ରେନ୍‌ ଉପରେ ପାସେଞ୍ଜର ଟ୍ରେନ୍‌ ଚଢ଼ିଯିବା ଫଳରେ ୧୧ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା ଏବଂ ୨୦ରୁ ଅଧିକ ଗୁରୁତର ଆହତ ହୋଇଥିଲେ । ପଛପଟୁ ଧକ୍କା ଦେବା ପରେ ପାସେଞ୍ଜର ମେମୁ ଟ୍ରେନ୍‌ର ଇଞ୍ଜିନ୍‌ ମାଲବାହୀ ଟ୍ରେନ୍‌ର ଗୋଟିଏ ବଗି ଉପରେ ଚଢ଼ି ଯାଇଥିଲା । ଦୁର୍ଘଟଣାରେ ମାଲବାହୀ ଟ୍ରେନର ଅନେକ ବଗି ଲାଇନଚ୍ୟୁତ ହୋଇଛି । ​​​​​​​