ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କ ପାଇଁ ଏକ ବଡ଼ ଆଶ୍ବସ୍ତି ଖବର ଏବେ ଆସିଛି। ସୂଚନାଥାଉକି, ୩୭୧ କୋଟି ଟଙ୍କାର ସ୍କିଲ୍ ଡେଭଲପମେଣ୍ଟ କର୍ପୋରେସନ୍ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାଙ୍କୁ କ୍ଲିନ୍ ଚିଟ୍ ଦେଇଛି । ଗତ ବର୍ଷ ତତ୍କାଳୀନ ଜଗନ୍ ମୋହନ ରେଡ୍ଡୀଙ୍କ ନେତୃତ୍ୱାଧୀନ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଅନୁସନ୍ଧାନରେ ନାଇଡୁଙ୍କୁ ଗିରଫ କରାଯାଇଥିଲା ଏବଂ ୫୦ ଦିନ ଜେଲରେ ରହିବା ପରେ ଅକ୍ଟୋବର ୩୧, ୨୦୨୩ରେ ଅନ୍ତରୀଣ ଜାମିନ ପାଇ ଜେଲରୁ ମୁକୁଳିଥିଲେ। ଗତ ବର୍ଷ ସେପ୍ଟେମ୍ବର ୯ ରେ ଆନ୍ଧ୍ରପ୍ରଦେଶ ସିଆଇଡି ଦ୍ୱାରା କରାଯାଇଥିବା ଅନୁସନ୍ଧାନରେ ନାଇଡୁଙ୍କୁ ଗିରଫ କରାଯାଇଥିଲା।
ତେବେ ରିପୋର୍ଟରେ ଦର୍ଶାଯାଇଛି ଯେ, ଇଡି ମନି ଲଣ୍ଡରିଂ ଅଧିନିୟମ ଅନୁଯାୟୀ, ଡିଜାଇନ୍ଟେକ୍ ସିଷ୍ଟମ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଚାର୍ଜସିଟ୍ରେ ନାମିତ ଅନ୍ୟ ଲୋକଙ୍କର ୨୩.୫ କୋଟି ଟଙ୍କାର ସମ୍ପତ୍ତିକୁ ଅସ୍ଥାୟୀ ଭାବରେ ଜବତ କରିଛି । ଏଥି ସହ ଏହା କହିଛି ଯେ, ସାଇମେନ୍ସ ସହଭାଗିତାରେ କୌଶଳ ଏବଂ ଉଦ୍ୟୋଗ ବିକାଶ ପ୍ରକଳ୍ପରେ ପାଣ୍ଠିର ଅପବ୍ୟବହାର ସହିତ ନାଇଡୁଙ୍କ କିଛି ସଂଯୋଗ ନାହିଁ।