ମୁମ୍ବାଇ, ୨।୫: ମୁମ୍ବାଇର ପାଇଧୋନି ଅଞ୍ଚଳରେ ଏକାସାଙ୍ଗରେ ଗୋଟିଏ ପରିବାରର ୪ ଜଣଙ୍କ ମୃତ୍ୟୁ ଘଟଣାରେ ଏବେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ପ୍ରାରମ୍ଭିକ ଫରେନସିକ୍ ରିପୋର୍ଟ ଅନୁଯାୟୀ, ମୃତକଙ୍କ ଶରୀରରେ ବିଷ ଥିବା ନିଶ୍ଚିତ ହୋଇଛି । ଏହି ରିପୋର୍ଟ ଆସିବା ପରେ ଏହା କେବଳ ସାଧାରଣ 'ଫୁଡ୍ ପଏଜନିଂ' ନା ଏହା ପଛରେ କୌଣସି ବଡ଼ ଷଡ଼ଯନ୍ତ୍ର ରହିଛି, ସେ ନେଇ ପୋଲିସ ତଦନ୍ତ ତେଜିଛି । ଫରେନସିକ୍ ରିପୋର୍ଟରୁ ଜଣାପଡ଼ିଛି ଯେ, ବିଷର ପ୍ରଭାବ ଏତେ ଭୟଙ୍କର ଥିଲା ଯେ ମୃତକଙ୍କ ଶରୀରର ଭିତର ଅଂଶ ସବୁଜ ପଡ଼ିଯାଇଛି । ସୂତ୍ର ଅନୁଯାୟୀ, ମୃତ ବ୍ୟକ୍ତିଙ୍କ ମସ୍ତିଷ୍କ, ହୃଦୟ ଏବଂ ଅନ୍ତନଳୀରେ ସବୁଜ ରଙ୍ଗ ଦେଖିବାକୁ ମିଳିଛି । ଏଥିସହିତ ମୃତ ଅବଦୁଲ୍ଲାଙ୍କ ଶରୀରରେ 'ମର୍ଫିନ୍' ନାମକ ଏକ ଶକ୍ତିଶାଳୀ ଯନ୍ତ୍ରଣା ନାଶକ ଔଷଧର ଅଂଶ ମଧ୍ୟ ମିଳିଛି । ଏହା ଶରୀରରେ କିପରି ପହଞ୍ଚିଲା, ସେ ନେଇ ଡାକ୍ତରୀ ଦଳ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ।

ଗତ ଏପ୍ରିଲ ୨୬ ତାରିଖରେ ଏହି ଦୁଃଖଦ ଘଟଣା ଘଟିଥିଲା । ପାଇଧୋନି ଅଞ୍ଚଳରେ ରହୁଥିବା ଏହି ପରିବାରର ମୋଟ ୭ ଜଣ ସଦସ୍ୟ ରାତିରେ ଏକାଠି ବିରିୟାନୀ ଖାଇଥିଲେ । ଖାଇବା ପରେ କିଛି ସମ୍ପର୍କୀୟ ନିଜ ଘରକୁ ଫେରିଯାଇଥିଲେ । ରାତି ପ୍ରାୟ ୧ଟାରୁ ୧ଟା ୩୦ ମିନିଟ୍ ମଧ୍ୟରେ ପରିବାରର ୪ ଜଣ ସଦସ୍ୟ ତରଭୁଜ ଖାଇଥିଲେ । ଭୋର ୫ଟା ୩୦ ମିନିଟ୍ରେ ତରଭୁଜ ଖାଇବାର କିଛି ଘଣ୍ଟା ପରେ ହଠାତ୍ ୪ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ମୃତକ ହେଉଛନ୍ତି ୪୦ ବର୍ଷୀୟ ବ୍ୟକ୍ତି ତାଙ୍କ ୩୫ ବର୍ଷୀୟା ପତ୍ନୀ ଏବଂ ସେମାନଙ୍କର ଦୁଇ ଝିଅ ।

କେଉଁଠୁ ଆସିଲା ବିଷ:

ପୁଲିସ ଏବେ ଦୁଇଟି ଦିଗ ଉପରେ ଗୁରୁତ୍ୱ ଦେଇ ତଦନ୍ତ କରୁଛି । ତରଭୁଜକୁ ଶୀଘ୍ର ପଚାଇବା ପାଇଁ କିମ୍ବା ଲାଲ୍ ଦେଖାଯିବା ପାଇଁ କୌଣସି ମାରାତ୍ମକ ରାସାୟନିକ ପଦାର୍ଥର ଇଞ୍ଜେକ୍ସନ ଦିଆଯାଇଥିଲା କି ? କେହି ଜାଣିଶୁଣି ତରଭୁଜ କିମ୍ବା ଖାଦ୍ୟରେ ବିଷ ମିଶାଇଛି କି ? ପୁଲିସ ସେହି ଫଳ ବିକ୍ରେତାଙ୍କୁ ଠାବ କରିବାକୁ ଚେଷ୍ଟା କରୁଛି, ଯେଉଁଠାରୁ ପରିବାରଟି ତରଭୁଜ କିଣିଥିଲା । ସେହି ଦୋକାନରୁ ଅନ୍ୟ କେଉଁମାନେ ଫଳ କିଣିଛନ୍ତି ଏବଂ ସେମାନଙ୍କ ଉପରେ କିଛି ପ୍ରଭାବ ପଡ଼ିଛି କି ନାହିଁ, ତାହାର ମଧ୍ୟ ଯାଞ୍ଚ ଚାଲିଛି ।

ସତର୍କ ରହିବାକୁ ପରାମର୍ଶ:

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ବାହାରୁ କଟା ଫଳ କିମ୍ବା ଅସ୍ୱାଭାବିକ ରଙ୍ଗ ଦେଖାଯାଉଥିବା ଫଳ ନଖାଇବାକୁ ପରାମର୍ଶ ଦିଆଯାଇଛି । ସମ୍ପୂର୍ଣ୍ଣ ଫରେନସିକ୍ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ । ମୁମ୍ବାଇର ଏହି ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଖାଦ୍ୟ ବିଷାକ୍ତ ହେବା ପଛରେ କେଉଁ ରାସାୟନିକ ରହିଛି, ତାହା ଏବେ ପୁଲିସ ପାଇଁ ସବୁଠାରୁ ବଡ଼ ପ୍ରଶ୍ନ ।

ଆହୁରି ପଢ଼ନ୍ତୁ... West bengal Repolling : ପଶ୍ଚିମବଙ୍ଗର ୧୫ଟି ବୁଥ୍ରେ ରିପୋଲିଂ, ଭୋଟ୍ ଅନିୟମିତତା ଅଭିଯୋଗ ପରେ ସାନି ଭୋଟ୍